ଶ୍ରୀ ମନ୍ଦିର ରେ ଶ୍ରୀ ବଳଭଦ୍ର ଙ୍କ ଜନ୍ମ ଉତ୍ସବ ଓ ରାକ୍ଷୀ ବନ୍ଧନ ପର୍ବ
ନିମାପଡା, (ସନ୍ତୋଷ ଦାଶ):ଶ୍ରାବଣ ମାସ ପୂର୍ଣ୍ଣିମା ତିଥି ରେ ବଡ଼ ଠାକୁର ଭଗବାନ ବଳଭଦ୍ର ଙ୍କର ଜନ୍ମ ହୋଇଥିଲା ବୋଲି ବିଭିନ୍ନ ପୁରାଣ ରେ ବର୍ଣ୍ଣିତ ହୋଇଛି। ସେ ଭଗବାନ ଶ୍ରୀ କୃଷ୍ଣ ଙ୍କର ବଡ଼ଭାଇ ଥିଲେ। ଜଗନ୍ନାଥ ସଂସ୍କୃତି ରେ ବଳରାମ ଙ୍କୁ ବଳଭଦ୍ର ରୂପେ ପୂଜା କରାଯାଇ ଆସୁଛି ବୋଲି ବିଶ୍ୱାସ କରାଯାଏ। ପୁରାଣର ବର୍ଣ୍ଣନା ଅନୁସାରେ ବସୁଦେବ ଙ୍କ ପତ୍ନୀ ରୋହିଣୀ ଙ୍କ ଗର୍ଭ ରୁ ଶ୍ରାବଣ ପୂର୍ଣ୍ଣିମା ତିଥି ରେ ପ୍ରଭୂ ବଳରାମ ଙ୍କ ଜନ୍ମ ହୋଇଥିଲା। ଏଣୁ ଶ୍ରାବଣ ପୂର୍ଣ୍ଣିମା/ଗହ୍ମା ପୂର୍ଣ୍ଣିମା/ରାକ୍ଷୀ ପୂର୍ଣ୍ଣିମା ଦିନ ଶ୍ରୀ ବଳରାମ/ଶ୍ରୀ ବଳଭଦ୍ର ଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ପ୍ରଭୁ ବଳରାମ ଙ୍କ ଆୟୁଧ ହେଉଛି ଲଙ୍ଗଳ ଓ ମୁଷଳ। ତାଙ୍କୁ କୃଷି ର ଦେବତା ଭାବେ ଗ୍ରହଣ କରାଯାଇଥିବାରୁ ତାଙ୍କ ଜନ୍ମ ଉତ୍ସବ ଦିନ ଘରେ ଘରେ ଗାଈ, ବଳଦ ଙ୍କୁ ପୂଜା କରାଯାଇଥାଏ। ପ୍ରତି ଓଡ଼ିଆ ଘରେ ଗାଈ, ବଳଦ ଙ୍କୁ ସ୍ନାନ କରା ଯାଇ ଫୁଲ, ଚନ୍ଦନ ପିନ୍ଧାଇ , ପିଠା ପଣା ଖାଇବାକୁ ଦିଆଯାଇଥାଏ। ଆମ ରାଜ୍ୟ ରେ ଗହ୍ମାପୂର୍ଣ୍ଣିମା କୁ ଚାଷୀ ଓ ଗୋପାଳ ପରିବାର ଧୁମ୍ ଧାମ ରେ ପାଳିତ କରିଥାନ୍ତି। ପୁରୀ ଶ୍ରୀ ମନ୍ଦିର ରେ ବି ଶ୍ରୀ ବଳଭଦ୍ର ଙ୍କ ଜନ୍ମୋତ୍ସବ ସ୍ଵତନ୍ତ୍ର ଭାବେ ପାଳିତ ହୋଇଥାଏ। ମହାପ୍ରଭୂ ଶ୍ରୀ ଜଗନ୍ନାଥ ଓ ବଡ଼ ଠାକୁର ଶ୍ରୀ ବଳଭଦ୍ର ରାକ୍ଷୀ ପିନ୍ଧିଥାନ୍ତି। ପାଟରା ବିଶୋଇ ସେବକ ମାନେ ବାସୁଙ୍ଗା ପାଟ ରେ ରାକ୍ଷୀ ଓ ଗୁଆ ମାଳ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୂ ଶ୍ରୀ ଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆ ମାଳ ପିନ୍ଧୁ ଥିବା ବେଳେ ବଡ଼ ଠାକୁର ଶ୍ରୀ ବଳଭଦ୍ର ବାଇଗଣୀ ଓ ନୀଳ ରଙ୍ଗର ଗୁଆ ମାଳ ପରିଧାନ କରିଥାନ୍ତି। ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଙ୍କ ପାଇଁ ୪ଟି ରାକ୍ଷୀ ପ୍ରସ୍ତୁତି ହେଉଥିବା ବେଳେ ପାଶ୍ଵ ଦେବତା ମାନଙ୍କ ପାଇଁ ୮ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ଶ୍ରୀ ମନ୍ଦିର ରେ ଶ୍ରୀ ବଳଭଦ୍ର ଜନ୍ମ ଉତ୍ସବ ଓ ରାକ୍ଷୀ ବନ୍ଧା ଉତ୍ସବ ଏକ ଅନନ୍ୟ ପରମ୍ପରା ଭାବେ ରହିଆସିଛି କାହିଁ କେତେ କାଳରୁ। ଜୟ ଜଗନ୍ନାଥ।