ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) : ଉତ୍ତରପ୍ରଦେଶର ଲକ୍ଷୀପୁର ଖେରି କୃଷକ ଶୋଭାଯାତ୍ରା ଉପରେ ଗାଡ଼ି ଚଢ଼ାଇ ଚାରିଜଣ କୃଷକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କ ପିତା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ଓ ୩ କଳାକୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସୋମବାର ସମଗ୍ର ଦେଶରେ ସୋମବାର ରେଳରୋକ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ବାଲେଶ୍ୱରରେ ବି ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଜିଲା ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ରେଳଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ବାମପନ୍ଥୀ ଦଳ ଏବଂ କଂଗ୍ରେସ ସହ ଅନୁବନ୍ଧିତ ବିଭିନ୍ନ ଗଣସଂଗଠନ ପକ୍ଷରୁ ସଞ୍ଜୀବ ଗିରି, ନିରଞ୍ଜନ ବାରିକ, ଶିଶିର ହୁଇ, ରବୀନ୍ଦ୍ର ବେହେରା, ଲକ୍ଷ୍ମୀଧର ଗିରି, ପ୍ରଜ୍ଞାପାରମିତା ମହାନ୍ତି, ବନ୍ଦନା ବିଶ୍ୱାସ, ଶ୍ୟାମସୁନ୍ଦର ଜେନା, କୈଳାସ ଚନ୍ଦ୍ର ପଣ୍ଡା, ସର୍ବେଶ୍ୱର ମିଶ୍ର, ରାଜକିଶୋର ଲେଙ୍କା, ପ୍ରକାଶ ଦେ, ନିକୁଞ୍ଜ ବସନ୍ତ ରାୟ, ସନ୍ତୋଷ ସାହୁ, ସିକନ୍ଦର ଖାଁ, ସୁଧୀର ରାଉତ, ସେଖ ଇନୁସ ପ୍ରମୁଖ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ କୃଷି ଆଇନ ଦେଶର କୃଷକ ଓ ଖାଉଟିଙ୍କ ସ୍ୱାର୍ଥକୁ ସଙ୍କୁଚିତ କରିବା ସହ ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ସହାୟକ ହେବ ବୋଲି ବିକ୍ଷୋଭ ସ୍ଥଳରେ ବକ୍ତାମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେମାନେ ଆହୁହି କହିଥିଲେ କି ମୋଦି ସରକାରଙ୍କ ସାତବର୍ଷ ଶାସନକାଳରେ ସବ ବର୍ଗର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଧନୀମାନେ ଅଧିକ ଧନୀ ହୋଇଛନ୍ତି, ଆକାଶଛୁଆଁ ଦରଦାମ ବୃଦ୍ଧି ଫଳରେ ସାଧାରଣ ମଣିଷ ତ୍ରାହି ତ୍ରାହି ଡାକୁଛନ୍ତି । ଲାଭରେ ଚାଲିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମେତ ପ୍ରତିରକ୍ଷା ବିଭାଗର ଗୋଳା, ବାରୁଦ, ତୋପ, କମାଣ ପ୍ରସ୍ତୁତ କରୁଥିବା ୪୧ଟି କାରଖାନାକୁ ୭ଟି କମ୍ପାନିକୁ ହସ୍ତାନ୍ତର କରି କେନ୍ଦ୍ର ସରକାର ଦେଶପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ବକ୍ତାମାନେ ଆରୋପ କରିଥିଲେ । ତୁରନ୍ତ ନୂତନ କୃଷି ଆଇନ ପ୍ରତ୍ୟାହାର ଓ ଗାଡ଼ି ଚପାଇ କୃଷକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତର ପିତା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦବୀରୁ ଅପସାରଣ ପାଇଁ ବିକ୍ଷୋଭକାରୀମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦାବି ଉଠାଇଥିଲେ । ପ୍ରତିକୂଳ ପାଗ ସତ୍ତ୍ୱେ ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ୱାନରେ ବିଭିନ୍ନ କୃଷକ, ଶ୍ରମିକ, ମହିଳା ଓ ଯୁବ ସଗଠନ ପକ୍ଷରୁ ଶତାଧିକ ବ୍ୟକ୍ତି ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ସମେତ ବହୁ ସଂଖ୍ୟା ରେଳବାଇ ପୁଲିସ ଓ ରେଳ ସୁରକ୍ଷାବଳ କର୍ମଚାରୀ ଉପସ୍ଥିତ ଥିଲେ ।