ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ଦେଶପାଇଁ ଗୌରବ ଆଣିଥିବା ମଲ୍ଲଯୋଦ୍ଧାଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ ଓ ଯୌନ ନିର୍ଯ୍ୟାତନା ଦେଇଥିବା ସାଂସଦ ବ୍ରିଜଭୂଷଣଙ୍କୁ ଗିରଫ ସହ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ୨ମାସ ଧରି ଦିଲୀରେ ଧାରଣାରତ ମହିଳା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି ସଂଯୁକ୍ତ କିସାନ ମୋର୍ଚ୍ଚା ଜିଲା ଶାଖା ଗୁରୁବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି । ମୋର୍ଚ୍ଚାର ଅଭିଯୋଗ ଅନୁସାରେ ଗତ ୨୮ ତାରିଖରେ ଆୟୋଜିତ ହେବାକୁ ଥିବା ମହିଳା ମହାପଞ୍ଚାୟତ ସମାବେଶକୁ ଭଣ୍ଡୁର କରିବା ଏବଂ ପୁଲିସ ବଳ ଲଗାଇ ଧାରଣାରତ ମହିଳା କୁସ୍ତିଯୋଦ୍ଧା ଓ ବିଭିନ୍ନ ଗଣସଂଗଠନର କର୍ମକର୍ତ୍ତାଙ୍କୁ ଧାରଣାସ୍ଥଳରୁ ଜୋର ଜବରଦସ୍ତ ଉଠାଇଦେବା, ଧାରଣାସ୍ଥଳକୁ ଭାଙ୍ଗିଦେବା ଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କରିବା ଦୁର୍ଭାଗ୍ୟର ବିଷୟ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଏହାର ଦୃଢ଼ ପ୍ରତିବାଦରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରାଯାଇଥିବା ବେଳେ ବାଲେଶ୍ୱର ଜିଲା ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଡେପୁଟି କଲେକ୍ଟର ସାଗରିକା ଦାସଙ୍କୁ ପ୍ରଦାନ କରାଯାଇଛି । ସ୍ମାରକ ପତ୍ର ପ୍ରଦାନ ବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଜିଲା ଆବାହକ ଶିଶିର ହୁଇ, ବରିଷ୍ଠ କୃଷକ ନେତା ସୀତାଂଶୁ ସେନାପତି, ଭାଗବତ ପ୍ରତିହାରୀ, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ପ୍ରେମରଞ୍ଜନ ପାତ୍ର, ଆଇଏନଟିୟୁସିର ବିକାଶ ଦାସ, ଚାଷୀ ଏକତା ମଞ୍ଚ ଜିଲା ସଭାପତି ଅରୁଣ ଜେନା, ଆଇନଜୀବୀ ମନୋଜ ନାୟକ, ସର୍ବୋଦୟ ନେତା ବିଧାନ ଚନ୍ଦ୍ର ରାୟ, ଶ୍ରମିକନେତା ଶ୍ୟାମସୁନ୍ଦର ଜେନା, ଭରତ ସେଠୀ, ଲକ୍ଷ୍ମୀଧର ଦାସ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।