ସକାଳ ୧୦ଟାରୁ ଅପରାହ୍ନ ୫ ପଂଚାୟତ ଅଫିସ ଖୋଲାରହିବ – ଜିଲ୍ଲାପାଳ
କେନ୍ଦ୍ରାପଡା – ପ୍ରତ୍ୟେହ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗ୍ରାମପଂଚାୟତ କାର୍ଯ୍ୟାଳୟ ଗୁଡିକ ଖୋଲା ରହିବା ସହିତ ସଂପୃକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ସେଠାରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦେଶନାମା ଜାରି କରିଛନ୍ତି । ଯଦି ଜଣେ ପଂଚାୟତ ନିର୍ବାହୀ ଅଧିକାରୀ ଦୁଇଟି ପଂଚାୟତର ଦାୟିତ୍ୱରେ ଥାନ୍ତି ତେବେ ପ୍ରଥମ ପଂଚାୟତରେ ପ୍ରତ୍ୟେକ ସପ୍ତାହର ସୋମବାର,ବୁଧବାର ଓ ଶୁକ୍ରବାର ରହିବେ ଏବଂ ଦ୍ୱିତୀୟ ପଂଚାୟତରେ ମଙ୍ଗଳବାର,ଗୁରୁବାର ଓ ଶନିବାର ଉପସ୍ଥିତ ରହିବେ । ଗ୍ରାମପଂଚାୟତ ସ୍ତରରେ ରାଜ୍ୟ ସରକାରଙ୍କ ଅନେକ ଗୁଡିଏ ସାମାଜିକ ସୁରକ୍ଷା ଓ ଜନମଙ୍ଗଳ ଯୋଜନା ଯଥା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡ, ଗ୍ରାମ୍ୟ ଗୃହନିର୍ମାଣ ଯୋଜନା, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟକାରିତା,ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା ଗୁଡିକ ସାଧାରଣ ଜନତାଙ୍କ ସ୍ୱାର୍ଥ ନିମନ୍ତେ କାର୍ଯ୍ୟକାରି ହେଉଛି । ବର୍ତ୍ତମାନ ଗ୍ରାମପଂଚାୟତ କାର୍ଯ୍ୟାଳୟ ତୃଣମୂଳ ସ୍ତରରେ ମୁଖ୍ୟ ପଂଚାୟତରାଜ ଅନୁଷ୍ଠାନ ଯେଉଁଠାରେକି ଗ୍ରାମବାସୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ତା’ର କାର୍ଯ୍ୟକାରିତା ସମ୍ପର୍କରେ ସଚେତନ କରାଯିବା ସହ ସେହିସବୁ ଜନମଙ୍ଗଳକାରୀ ସରକାରୀ ଯୋଜନାର ସୁବିଧା ସୁଯୋଗ ସେମାନଙ୍କୁ ପ୍ରଦାନ କରାଯିବ । ଏଥି ଯୋଗୁଁ ଗ୍ରାମବାସୀମାନେ ପ୍ରତ୍ୟେହ ଗ୍ରାମପଂଚାୟତ କାର୍ଯ୍ୟାଳୟକୁ ଅନେକ ଆଶା ଓ ଆକାଂକ୍ଷା ରଖି ଯିବେ ସରକାରୀ ସୁବିଧା ସୁଯୋଗ ପାଇ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ । ତେଣୁ ପଂଚାୟତ ନିର୍ବାହୀ ଅଧିକାରୀମାନେ ପଂଚାୟତ କାର୍ଯ୍ୟାଳୟରେ ପ୍ରତ୍ୟେହ କାର୍ଯ୍ୟଦିବସରେ ଉପସ୍ଥିତ ରହି ଗ୍ରାମବାସୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ସହିତ ସେହିସବୁ ଯୋଜନାର ସୁଫଳ ସେମାନଙ୍କୁ ଯୋଗାଇଦେବା ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ବିଡିଓମାନଙ୍କୁ ସ୍ୱତନ୍ତ୍ର ନିର୍ଦେଶ ଦେଇଥିବା ଜଣାପଡିଛି ।


