ସଙ୍ଗରୋଧ କେନ୍ଦ୍ରରେ ମଦ ବିରୋଧ ଯୋଗୁଁ ସରପଞ୍ଚଙ୍କୁ ଆକ୍ରମଣ ୪ ଜଣ ବ୍ୟକ୍ତି ଗିରଫ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ କଳମ୍ଵ ଗ୍ରାମର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ପ୍ରବାସୀ ଓଡିଆମାନଙ୍କୁ ଜାତୀୟ ସଙ୍ଗୀତ ଗାନ କରାଇବା ସହ ଯୋଗ ଓ ବ୍ୟାୟାମ ଅଭ୍ୟାସ କରାଇ ସୁନାମ ଅର୍ଜନ କରିଥିବା ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ରବିବାର ଦିନ ଆକ୍ରମଣ କରି ୪ ଜଣ ବ୍ୟକ୍ତି ଗିରଫ ହୋଇଥିବା ଜଣାପଡିଛି। କେତକ ବ୍ୟକ୍ତି କଳମ୍ବ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଦ ଯୋଗାଉଥିବା ଜଣା ପଡିବା ପରେ ସରପଞ୍ଚ ଓ କେନ୍ଦ୍ର ଦାୟିତ୍ୱରେ ଥିବା ଅନ୍ୟ ବ୍ୟକ୍ତି ମଦ ଯୋଗାଣକୁ ବିରୋଧ କରିଥିଲେ। ଫଳରେ ମଦ ଯୋଗାଉଥିବା ବ୍ୟକ୍ତିମାନେ ମିଳିତ ଭାବେ ସରପଞ୍ଚ ଓ ଅନ୍ୟ ମାନଙ୍କୁ ରବିବାର ଦିନ ଆକ୍ରମଣ କରିଥିଲେ। ଯାହାଫଳରେ କଳମ୍ବ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଟାୟାର ଜାଳି କଳମ୍ବ – ପୋଲସରା ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୋଲସରା ତହସିଲଦାର ସୁକାନ୍ତ କୁମାର ମିଶ୍ର ଓ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲିକ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ପରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ପହଞ୍ଚିଥିଲେ। ଦୋଷୀକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବୁଝାସୁଝା କଲାପରେ ରାସ୍ତାରୋକ ହଟି ଯାନବାହନ ଯାତାୟତ ସ୍ୱାଭାବିକ ହୋଇଥିଲା। ସରପଞ୍ଚଙ୍କ ଏତଲା କ୍ରମେ ପୋଲସରା ପୋଲିସ ଏକ ମାମଲା ରୁଜୁ କରି ବିକାଶ ସାହୁ, ରଞ୍ଜିତ ସାହୁ, ବିଚିତ୍ର ସାହୁ ଓ ସୁଶାନ୍ତ ପ୍ରଧାନ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ମଲିକ ପ୍ରକାଶ କରିଛନ୍ତି।


