ସଡକ ସୁରକ୍ଷା କମିଟି ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଆଜି ଅପରାହ୍ନ ୫ଘଟିକା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଡକ ଦୁର୍ଘଟଣା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରାରମ୍ଭରେ ବିଗତ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତିର ସଠିକ ଅନୁପାଳନ ହୋଇ ନ ଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ କରି ଦୁର୍ଘଟଣା ହେବାର ୨୪ ଘଂଟା ମଧ୍ୟରେ ପୋଲିସ, ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ ପାଇଁ ନିୟମ ରହିଥିଲେ ଥିଲେ ହେଁ ଏହା ହେଉ ନ ଥିବାରୁ କମିଟି ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ବେପରୁଆ ଯାନ ଚାଳନା ଏବଂ ଟ୍ରା‘ିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ବୈଠକରେ ଆଲୋଚନା ହେବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚିହ୍ନଟ ହୋଇଥିବା ବ୍ଲାକ ସ୍ପଟ୍ ରେ ସଡକ ଦୁର୍ଘଟଣାକୁ କିଭଳି ରୋକି ହେବ ସେ ନେଇ ବିଚାର ବିମର୍ଶ କରାଯାଇଥିଲା । ଜାତୀୟ ରାଜପଥକୁ ଲାଗି ରହିଥିବା ସର୍ଭିସ୍ ରୋଡରେ ବେଆଇନ ପାର୍କିଂ ହେଉଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା କମିଟି ସଦସ୍ୟମାନେ ପ୍ରକାଶ କରିଥିବା ବେଳେ ସର୍ବାଧିକ ଅଗ୍ରାଧିକାର ଦେଇ ଏହାର ସମାଧାନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଏଥିଲାଗି ଜାତୀୟ ରାଜପଥର ନହରପାଟଣାଠାରେ ଟ୍ରକ ଓ ଅନ୍ୟ ବଡ ଗାଡି ପାର୍କିଂ କରିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେବା ସହ ଏହାର ଅନୁଧ୍ୟାନ କରିବା ଲାଗି ଜିଲ୍ଲାୁପାଳ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥ କଡରେ ରହିଥିବା ସର୍ଭିସ ରୋଡ, ‘୍ଲାଏ ଓଭରବ୍ରିଜ ଓ ରାସ୍ତା ମରାମତି କାମ ନଭେମ୍ବର ୧୫ତାରିଖ ସୁଦ୍ଧା ଆରମ୍ଭ କରାଯିବ ବୋଲି ଜାତୀୟ ରାଜପଥ କର୍ତୃପକ୍ଷ ଗୃହକୁ ଅବଗତ କରିଥିଲେ । ସେହିପରି ପଣପଣା ଠାରେ ଅଣ୍ଡରପାସ୍ ନିର୍ମାଣ, ସନ୍ତୋଷପୁର ଠାରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଟୋଲ ଗେଟକୁ ଭଙ୍ଗାଯିବା, ଭଦ୍ରକ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଛଅ ଲେନ ରାସ୍ତା ନିର୍ମାଣ କାର୍ଯ୍ୟ ବର୍ତମାନ ସୁଦ୍ଧା ଆରମ୍ଭ କରାଯାଇ ନ ଥିବାରୁ କମିଟି ସଦସ୍ୟମାନେ ଚିନ୍ତାପ୍ରକଟ କରିଥିଲେ । ଦୁର୍ଘଟଣା ହ୍ରାସ ପାଇଁ ମରାମତି ହେଉଥିବା ରାସ୍ତା ଓ ପୋଲ ଗୁଡିକରେ ଯଥେଷ୍ଟ ସଂଖ୍ୟାରେ ସାଇନେଜ୍‌, ସତର୍କ ସୂଚନା ଲଗାଇବା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ, ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମାଂଚଳ ବିକାଶ ବିଭାଗ ନିର୍ବାହୀ ଯନ୍ତ୍ରୀମାନଙ୍କୁ କୁହାଯାଇଥିଲା । ଯାତ୍ରୀବାହୀ ବସ ଉପରେ ମାଲ ପରିବହନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିନା ହେଲମେଟରେ ବାଇକ ଚଳାଇବା ,ବିକୃତ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହାର ନିମନ୍ତେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବାକୁ କଡାକଡି ଭାବେ ଲାଗୁ କରିବାକୁ କୁହାଯାଇଛି । ଦୁର୍ଘଟଣା ସଂପର୍କରେ ତୁରନ୍ତ ଖବର ପାଇବା, ପୀଡିତଙ୍କୁ ସେବା ଯୋଗାଇବାକୁ ପଦକ୍ଷେପ ତ୍ୱରିତ କରିବାକୁ କରିବାକୁ ଆରଟିଓଙ୍କୁ କୁହାଯାଇଥିଲା । ବାଲେଶ୍ୱର ସହରର ରେମୁଣା ଗୋଲେଇଠାରୁ ବସଷ୍ଟାଣ୍ଡ ଏବଂ ମାଲଗୋଦାମରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ବେଆଇନ ପାର୍କିଂକୁ ହଟାଇବା, ଆଜିମାବାଦ ଛକ ନିକଟରେ ଡ୍ରେନ ଓ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏବଂ ସହରରେ ଟ୍ରା‘ିକ ବ୍ୟବସ୍ଥାକୁ ସୁଗମ କରିବା ଲାଗି ବୈଠକରେ ମତପ୍ରକାଶ ପାଇଥିଲା । ସେରଗଡ ଟୋଲଗେଟ ଠାରେ ସିସିଟିଭି କ୍ୟାମେରାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ଛକ ନିକଟରେ ରାସ୍ତାକୁ ଚଉଡା କରିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗାଈ ଗୋରୁଙ୍କ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେବା ଏବଂ ଦୁର୍ଘଟଣା ଘଟୁଥିବା ଯୋଗୁଁ ତାର କିଭଳି ସମାଧାନ ହୋଇ ପାରିବ ସେଥି ନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ ଶ୍ରୀ ବିକାଶ ଚୌଧୁରୀ, ଡିଏସପି ରଜତ କୁମାର ରାୟଙ୍କ ସମେତ, ଟ୍ରକ୍ ମାଲିକ ସଂଘ ଓ ବସ ମାଲିକ ସଂଘର କର୍ମକର୍ତା ଏବଂ କମିଟିର ସଦସ୍ୟମାନ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ