ସନାତନ ଯଜ୍ଞୋପବୀତ ବିଜ୍ଞାନ ସମ୍ମତ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ଆମ ଭାରତୀୟ ସଂସ୍କୃତି ହେଉଛି ସୁସଂସ୍କୃତି ସମ୍ପନ୍ନ ଏଵଂ ସନାତନ ଧର୍ମର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାର ପ୍ରତିଟି ସଂସ୍କାରରେ ଆଧ୍ୟାତ୍ମିକ, ଵୈଜ୍ଞାନିକ ଓ ଦାର୍ଶନିକାଦି ତଥ୍ୟ ଲୁଚି ରହିଛି। ଯାହା ଆମକୁ କର୍ତ୍ତବ୍ୟ ବୋଧ ତଥା ସଚେତନ ହେବା ପାଇଁ ସହାୟକ ହୋଇଥାଏ। ସେଥି ମଧ୍ୟରୁ ଗୋଟଏ ହେଉଛି ଉପନୟନ ସଂସ୍କାର। ଏହା ମାତୃ ଗର୍ଭଧାରଣ କରିବାର ଅଷ୍ଟମ ବର୍ଷରେ ଅର୍ଥାତ୍ ଜନ୍ମ ହେବାର ସପ୍ତମ ବର୍ଷରେ ସମ୍ପନ୍ନ କରାଯାଏ। ଯାହାର ଦୃଷ୍ଟାନ୍ତ ମନୁସ୍ମୃତି ଦେଖିବାକୁ ମିଳେ :- “ଗର୍ଭାଷ୍ଟମେଽବ୍ଦେ କୁର୍ବୀତ ବ୍ରାହ୍ମଣସ୍ୟୋପନାୟନମ୍”। ଏଥିରେ ବାଳକ ଯଜ୍ଞୋପବୀତ ବା ପଇତା ଧାରଣ କରିଥାଏ। ଏହାକୁ ଯଦି ଆଧ୍ୟାତ୍ମିକତା ଦୃଷ୍ଟିରେ ଦେଖାଯାଏ ତେବେ, ଏଥିରେ ରହିଛି ସୃଷ୍ଟିକର୍ତ୍ତା ବ୍ରହ୍ମା, ବିଷ୍ଣୁ ଓ ରୁଦ୍ରଙ୍କ ଆଶୀର୍ବାଦ ଏବଂ ଓଁକାର, ଅଗ୍ନି, ସର୍ପ, ସୋମ, ପିତୃ, ପ୍ରଜାପତି, ଅନିଳ, ଯମ ତଥା ବିଶ୍ୱେଦେବାଙ୍କର ଅସୀମ ଶକ୍ତି। ଯାହା ତିନୋଟି ଗ୍ରନ୍ଥି ଓ ନଅ ଗୋଟି ତନ୍ତୁରେ ବିଦ୍ୟମାନ ବୋଲି ଶାସ୍ତ୍ରରେ କୁହାଯାଇଛି:- “ଓଁକାରାଗ୍ନି ତଥା ସର୍ପାନ୍ ସୋମ ପିତୃନ୍ ପ୍ରଜାପତିନ୍। ବାୟୁ ସୂର୍ଯ୍ୟଶ୍ଚ ବିଶ୍ୱାଶ୍ଚ ଦେବାନ୍ନବଷୁ ତନ୍ତୁଷୁ।।” ଏହି ଉପବୀତ ବୈଦିକ ସାହିତ୍ୟ ଅନୁଯାୟୀ, ସର୍ଵ ପ୍ରଥମେ ବ୍ରହ୍ମା ସୃଷ୍ଟିର ଆରମ୍ଭରେ ଏହାକୁ ପରିକଳ୍ପନା କରିଥିଲେ ବୋଲି ମନ୍ତ୍ରରେ ଉଲ୍ଳେଖ ରହିଛି:-
ଓମ୍‌ ଯଜ୍ଞୋପବୀତଂ ପରମଂ ପବିତ୍ରଂ ପ୍ରଜାପତେୟର୍‌ତ୍‌ସହଜଂ ପୁରସ୍ତାତ୍‌।
ଆୟୁଷ୍ୟମଗ୍ର୍ୟଂ ପ୍ରତିମୁଞ୍ଚ ଶୁଭ୍ରଂ ଯଜ୍ଞୋପବୀତଂ ବଲମସ୍ତୁ ତେଜଃ॥
ଅର୍ଥାତ୍ ଏହି ଯଜ୍ଞୋପବୀତ ଅତ୍ୟନ୍ତ ପବିତ୍ର ଅଟେ। ଏହା ପ୍ରଜାପତି ବ୍ରହ୍ମାଙ୍କ ସହ ଉତ୍ପନ୍ନ ହୋଇଛି ଏବଂ ତାହା ସହିତ ଏହା ଆୟୁ ବୃଦ୍ଧି, ଉତ୍ତମ ତଥା ଶୁଭ୍ର ବର୍ଣ୍ଣ ଯୁକ୍ତ ମଧ୍ୟ। ଏହାକୁ ଧାରଣ କରୁଥିବା ବ୍ୟକ୍ତିର ବଳ ଏବଂ ତେଜର ବୃଦ୍ଧି ଘଟିଥାଏ।
ଉପନୟନ ସଂସ୍କାର ସମୟରେ ଧାରଣ କରାଯାଇଥିବା ଯଜ୍ଞୋପବୀତର ବୈଜ୍ଞାନିକ ଓ ଦାର୍ଶନିକ କାରଣ ଯଦି ଦେଖାଯାଏ, ତେବେ ଆମେ ଜାଣି ପାରିବା, ଆମ ବୈଦିକ ମହର୍ଷିମାନଙ୍କ ପ୍ରକୃତ ଜ୍ଞାନ ଓ ଗାରିମା ଗାଥା। ସେହିମାନେ ଜାଣିଥିଲେ ଯେ, ମାନବୀୟ ଶରୀରର ଆନ୍ତରିକ ସରଞ୍ଚନା। ମଣିଷର କେଉଁ କେଉଁ ଅଙ୍ଗ ସହିତ କେଉଁ କେଉଁ ଅଙ୍ଗର ସମ୍ପର୍କ ରହିଛି ଏଵଂ କେଉଁ କ୍ରିୟାକୁ କେଉଁ ସମୟରେ କରିବା ଦ୍ୱାରା କି ପ୍ରକାର ସୁଫଳ ମିଳିବ, ତାହା ମଧ୍ୟ ସେମାନେ କହିଯାଇଛନ୍ତି। ଡାହାଣ କାନର ଶିରା ପ୍ରଶିରା ଗୁଡିକ ସହ ମସ୍ତିଷ୍କ, ହୃଦୟ, ମଳଦ୍ୱାର ଓ ମୂତ୍ରଦ୍ଵାର ଇତ୍ଯାଦିର ସିଧାସଳଖ ସମ୍ପର୍କ ରହିଛି। ତେଣୁ ମଳ-ମୂତ୍ର ତ୍ୟାଗ ସମୟରେ ପଇତାକୁ ଡାହାଣ କାନରେ ଏକ ଏବଂ ଦୁଇ ଘେରା ଗୁଡ଼ାଇବା ପାଇଁ ନିୟମ କରାଯାଇଛି। ଏହା ଦ୍ୱାରା କାନରେ ଏକ ପ୍ରକାର ପ୍ରାକୃତିକ ଆକ୍ୟୁପ୍ରେସର ସୃଷ୍ଟି ହୋଇଥାଏ। ଯାହାଫଳରେ ମଳ-ମୂତ୍ର ସହଜରେ ତ୍ୟାଗ ହୁଏ। ଏଥି ଯୋଗୁଁ କୋଷ୍ଠକାଠିନ୍ୟ, ଗ୍ୟାସ ଏବଂ ପେଟର ଅନ୍ୟାନ୍ୟ ସମସ୍ୟା ମଧ୍ଯ ସ୍ୱତଃ ଦୂରେଇ ଯିବାସହ ମସ୍ତିଷ୍କର ସ୍ନାୟୁଗୁଡ଼ି ସକ୍ରିୟ ଓ ସତେଜ ରହେ। ଏହା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ଘଟେ ତଥା ମାନସିକ ଚିନ୍ତା ବା ଡିପ୍ରେସନର ମାତ୍ରା ବହୁତ୍ ଭାବେ କମିଯାଏ ଏବଂ ରକ୍ତଚାପ ସହିତ ହୃଦୟର ସ୍ପନ୍ଦନ ମଧ୍ଯ ସାମାନ୍ୟ ହୋଇଯାଏ। ଏହି ଯଜ୍ଞୋପବୀତ ଏକ ପଵିତ୍ର ସୂତ୍ର ହେବା କାରଣରୁ ଏହାର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ। ତେଣୁ ନିୟମ ଅନୁସାରେ ଶୌଚ ହେବା ପୂର୍ବରୁ ପଇତାକୁ କାନରେ ରଖାଯାଏ ଏବଂ ଅଣ୍ଟା ଠାରୁ ହାତ-ଗୋଡ଼ ଭଲଭାବେ ଧୋଇ ପରେ ହିଁ ଏହାକୁ କାନରୁ ବାହାର କରାଯାଏ। ଏହି ବିଧି ଯୋଗୁଁ ଶରୀର ସ୍ୱଚ୍ଛ ରହିବା ସହ ଜୀବାଣୁ ଜନିତ ସଂକ୍ରମଣରୁ ରକ୍ଷା ମିଳିଥାଏ।
ଯଜ୍ଞୋପବୀତକୁ ଯଦି ଦାର୍ଶନିକ ଦୃଷ୍ଟିରେ ଦେଖାଯାଏ ତେବେ ଆମେ ଏହାର ମର୍ମକୁ ହୃଦୟଙ୍ଗମ କରିପାରିବା। କାରଣ ଏହି ଉପବୀତ ବ୍ୟକ୍ତିକୁ ତା’ର କର୍ତ୍ତବ୍ୟ ମନେ ପକାଇ ଦେଇଥାଏ। ଏହା ଏକ ପ୍ରକାରର ଆଧ୍ୟାତ୍ମିକ କବଚ ଭଳି କାର୍ଯ୍ୟକରେ। ଯାହା ଖରାପ କାମରୁ ନିବୃତ୍ତ ରଖିଥାଏ। ଯେପରି ଜଣେ ବ୍ୟକ୍ତି କୌଣସି ଭୁଲ୍ କାମ ଯଥା :- ଚୋରି, ମିଥ୍ୟା କିମ୍ବା ଅଧର୍ମ କାର୍ଯ୍ୟ କରିବାକୁ ଯାଏ, ତେବେ ଶରୀରରେ ଥିବା ପବିତ୍ର ଯଜ୍ଞୋପବୀତ ତାକୁ ମନେ ପକାଇଦିଏ ଯେ, ତୁମେ ଜଣେ ଏକ ସଂସ୍କାରୀ ମାନଵ। ଏହା ଦ୍ୱାରା ମନୁଷ୍ୟର ମାନସିକ ଶକ୍ତି ଓ ଆତ୍ମବିଶ୍ୱାସ ବଢ଼ିଯାଏ। ତତ୍ ସହିତ ତିନୋଟି ଋଣ ଯଥା:- ପିତୃଋଣ, ଦେବଋଣ ଏବଂ ଋଷିଋଣର ଦାୟିତ୍ୱ ବିଷୟରେ ସଦାସର୍ବଦା ସଚେତନ କରାଏ। ଅତଃ ସନାତନ ଧର୍ମରେ କୁହାଯାଇଥିବା କୌଣସି ବି ସଂସ୍କାର ଅନ୍ଧବିଶ୍ୱାସ ନୁହେଁ। ଯଜ୍ଞୋପବୀତ ହେଉଛି ଜୀବନକୁ ସୁସ୍ଥ, ସଂଯମ ଏବଂ ଦୀର୍ଘାୟୁ କରିବାର ଏକ ସହଜ ଉପାୟ। ଆଜିର ଆଧୁନିକ ବିଜ୍ଞାନ ଆକ୍ୟୁପ୍ରେସର ଏବଂ ନ୍ୟୁରୋଲୋଜି ବା ସ୍ନାୟୁ ଵିଜ୍ଞାନ ମାଧ୍ୟମରେ ଯେଉଁ ସତ୍ୟକୁ ଖୋଜୁଛି, ତାହା ଆମର ପୂର୍ବପୁରୁଷମାନେ ହଜାର ହଜାର ବର୍ଷ ପୂର୍ବରୁ ତାକୁ ଯଜ୍ଞୋପବୀତ ପରମ୍ପରା ମାଧ୍ୟମରେ ଆମ ଜୀବନଶୈଳୀରେ ସାମିଲ କରିଦେଇଛନ୍ତି। ଏହା ଏକ ବିଜ୍ଞାନ ସମ୍ମତ ସଂସ୍କାର, ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ମନୁଷ୍ୟ ଶରୀରରେ ଯଜ୍ଞୋପବୀତକୁ ଧାରଣ କରିବା ଉଚିତ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ