ସବୁଜ ଜଳ ବାୟୁ ପାଣ୍ଠି ପ୍ରକଳ୍ପରେ ଜଳମିତ୍ରଙ୍କୁ ପ୍ରଶିକ୍ଷଣ

ନୂଆପଡା, (ଡୋଲେଶ୍ବର ବାଗ):ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସଭାଗୃହରେ ବି ଡି ଓ ସୁଶାନ୍ତ କୁମାର ରଣା ଏବଂ ଏ ପି ଓ ରବିନାରାୟଣ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବୁଜ ଜଳ ବାୟୁ ପାଣ୍ଠି ପ୍ରକଳ୍ପରେ ନିୟୋଜିତ ଜଳମିତ୍ର ମାନଙ୍କୁ ପ୍ରଶିକ୍ଷଣ ଶିବିର ଚାଲୁଅଛି । ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ଵାରା ତାଲିମ ପ୍ରାପ୍ତ ତାଲିମ ଦାତା ୟାର ଅନୁଷ୍ଠାନର ପ୍ରେସିଡେଣ୍ଟ ମହେନ୍ଦ୍ର କୁମାର ଯୋଶୀ ଓ ପ୍ରକୃତି ବନ୍ଧୁ ଅରୁଣ କୁମାର ବିଶ୍ବାଳ, ଏସ୍ପି ରେସନାଳ ବ୍ଲକ ଫେଲୋ ରାକେଶ କୁମାର ଷଡ଼ଙ୍ଗୀ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ବୋଡ଼େନ ବ୍ଲକର ୧୫ଟି ପଞ୍ଚାୟତର ୪୭ ଜଣ ପୁରୁଷ ଜଳମିତ୍ର ଓ ୪୭ ଜଣ ମହିଳା ଜଳମିତ୍ରଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।୨୬ ଓ ୨୭ ତାରିଖ ଦିନ ଫରସରା,କରଙ୍ଗାମାଲ, କର୍ଲ୍ଲାକୋର୍ଟ,ଲର୍କା,ଖଇରା ଓ ନାଗପଡ଼ା ପଞ୍ଚାୟତର ୩୪ ଜଣ ଜଳ ମିତ୍ର, ୨୮ଓ୨୯ତାରିଖ ଦିନ ପଲସଦା,ରୋକାଲ,ସୁନାପୁର ପଞ୍ଚାୟତର ୨୪ ଜଣ ଜଳ ମିତ୍ର ଏବଂ ଡିସେମ୍ବର ମାସ ୩ ଓ ୪ ତାରିଖ ଦିନ ବାବେବୀର, ଲିଟି ସର୍ଗି, ଭଇଁସାଦାନି,ବୋଡ଼େନ, ବୋଇରଗାଁ ଓ ଡମଝର ପଞ୍ଚାୟତର ୩୬ ଜଣ ଜଳ ମିତ୍ର ତାଲିମ ଗ୍ରହଣ କରିବାର ବ୍ୟବସ୍ଥା ହୋଇଅଛି ।ପ୍ରଶିକ୍ଷକ ମାନେ ମୁଖ୍ୟତଃ ଆଠଟି ବିଷୟ ବିନ୍ଦୁ ଉପରେ ତାଲିମ ପ୍ରଦାନ କରୁଛନ୍ତି ଯଥା – ଜଳବାୟୁ ପରିବର୍ତ୍ତନ,ସମ୍ଭାବ୍ୟ କୁପ୍ରଭାବ ଏବଂ ସବୁଜ ଜଳ ବାୟୁ ପାଣ୍ଠି ଉପରେ ଧାରଣା,ଭୂତଳ ଜଳର ଗୁରୁତ୍ଵ ଏବଂ ଖୋଲା କୂପ ନିର୍ମାଣ,କୃତ୍ରିମ ପୁନଃଭରଣ କୂପ ନିର୍ମାଣର ବିଧି ଉପରେ ବିସ୍ତୃତ ଆଲୋଚନା,ପ୍ରକଳ୍ପରେ ଜଳ ମିତ୍ର ମାନଙ୍କ ଭୂମିକା,ଭୂତଳ ଜଳ ନିରୀକ୍ଷଣ,ଫସଲର ଜଳ ବଜେଟ,ଜଳର ଗୁଣବତ୍ତା ଓ ଏହାର ଗୁରୁତ୍ଵ,ଗ୍ରାମୀଣ ସମୁଦାୟଙ୍କୁ ପ୍ରକଳ୍ପରେ ଭାଗ ନେବାପାଇଁ ପ୍ରେରିତ କରିବା ଏବଂ ସୌର ଚାଳିତ ଜଳ ସିଞ୍ଚନ ପମ୍ପର ରକ୍ଷଣାବେକ୍ଷଣ ।ଜଳମିତ୍ରମାନେ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ ଅନ୍ତର୍ଗତ କାର୍ଯ୍ୟକ୍ରମକୁ ଦୀର୍ଘସ୍ଥାୟୀ କରିବା ପାଇଁ ସ୍ଵ ପରିଚାଳନା ଓ ମିତବ୍ୟୟୀତା ଆଧାରରେ ସମୁଚିତ ଜଳ ବ୍ୟବହାର ଓ ଫସଲ ଚୟନ ଆଦିରେ ତୃଣ ମୂଳ ସ୍ତରରେ ପ୍ରାଧାନ୍ୟ ଦେବାର କାର୍ଯ୍ୟ ହେଉଛି – ବେସ୍ ଲାଇନ ସର୍ଭେ,ଭୂତଳ ଜଳ ପୁନଃ ଭରଣ ପ୍ରଣାଳୀର ରକ୍ଷଣାବେକ୍ଷଣ,ସୌର ଚାଳିତ ପମ୍ପ ଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ,ପାଣି ପଞ୍ଚାୟତ ତଥା ଜଳାଶୟ ସ୍ତରରେ ଗୋଷ୍ଠୀ ମାନଙ୍କର ତଦାରଖ କରିବା,ଭୂତଳ ଜଳ ସ୍ତର ତଦାରଖ କରିବା,ଗ୍ରାମର ଜଳ ସମ୍ପଦର ଆକଳନ କରିବା,ଭୂତଳ ଜଳର ମାନ ତଦାରଖ କରିବା,ଗ୍ରାମରେ ଥିବା ଜଳ ସମ୍ପଦର ଯୋଜନା ଓ ପରିଚାଳନା,ସଚେତନତା ସୃଷ୍ଟି ମାଧ୍ୟମରେ ଗୋଷ୍ଠୀ ବା ସମାଜକୁ ଗତିଶୀଳ କରାଇବା ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜି ପି ଇ ଓ ପ୍ରଫୁଲ୍ଲ କୁମାର ନାଏକ,ବି ଏଲ ସି ସୁନିତା ସୋନା,ବି ଆର୍ ସି ହେରାମ୍ବ ବିଶ୍ଵାଳ ପ୍ରମୁଖ ବିଭିନ୍ନ ଦିଗରେ ସହଯୋଗ କରୁଥିବାବେଳେ ଅନ୍ୟାନ୍ୟ ସୁବିଧା ଯୋଗାଇବାରେ ବ୍ଲକ ପିଅନ ଗଙ୍ଗାରାମ ବନ୍ଧିଛୋର୍ ଭୂମିକା ନିର୍ବାହ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ