ସବୁଜ ଭାରତ ତରଫରୁ ବୃକ୍ଷରୋପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ ପକ୍ଷରୁ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ହୋମିଓପ୍ୟାଥି କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ସମ୍ପ୍ରତି ରାଜ୍ୟରୁ କ୍ରମାଗତ ଭାବେ ବୃକ୍ଷ ଛେଦନ ଦ୍ୱାରା ଖାଲି ପରିବେଶ ପ୍ରଦୂଷଣ ହେଉନାହିଁ, ବରଂ ଅମ୍ଲଜାନର ଘୋର ଅଭାବ ପରିଲକ୍ଷିତ ହେଉଛି ଯାହା ମହାମାରୀ କରୋନା ସମୟରେ ତାହା ଅନୂଭୂତ ହୋଇଥିଲା । ଏହା ସହ ବୃକ୍ଷ ଛେଦନ ଫଳରେ ମଣିଷ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସଭ୍ୟ ସମାଜ ଭାବରେ ପ୍ରତ୍ୟେକ ମଣିଷ ଗୋଟେ ଗୋଟେ ଗଛ ଲଗାଇଲେ ତାହା ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ହୋମିଓପ୍ୟାଥି କଲେର ସଚିବ, ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ରଜନୀକାନ୍ତ ମହାନ୍ତ, ବିଶିଷ୍ଟ ପାଲାଗାୟକ ସୁରେନ୍ଦ୍ର ଛୋଟରାୟ, ବିଜୁ ଜନତାଳ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶୁଭ୍ରଜିତ ପାଢୀ, ଆଇଷ୍ଟେପ୍ର ଜ୍ଞାନେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ସଭାପତି ତଥା ସମାଜସେବୀ ସତ୍ୟବ୍ରତ ଜେନାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୃକ୍ଷରୋପଣକୁ ଗୁରୁତ୍ୱ ଦେଇ କରୋନା ମହାମାରୀ ସମୟରେ ସବୁଜ ଭାରତର କର୍ମକର୍ତ୍ତାମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ଆଗକୁ ଏହି କାର୍ଯ୍ୟକ୍ରମକୁ କ୍ରମାଗତ ଭାବେ ଜାରି ରଖିବା ପାଇଁ ଶପଥ ନେଇଥିଲେ । ଦୀର୍ଘ ୭ ବର୍ଷ ଧରି ସବୁଜ ଭାରତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷସାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ବୋଲି ସଭାପତି ଜେନା ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳ୍ପତରୁ ସେନାପତି, ସତ୍ୟବାନ ପ୍ରଧାନ, ଭଗବାନ ସାହୁ, ନିତିନ ନିବେଶ ଚାନ୍ଦ, ରଶ୍ମୀତା ମୁଖୀ, ସମାଜସେବୀ ଚିତ୍ତରଞ୍ଜନ ଦାସ, ରଞ୍ଜୁଲତା ରାୟ, ଶ୍ରୀନିବାସ ଦାସ, ବିଶ୍ୱଭୂଷଣ ହରିଚନ୍ଦନ, ଯୁବ ସମାଜସେବୀ ପ୍ରଭାତ ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।