ସମବାୟ ସମିତି ସଭାପତିଙ୍କ ବୈଠକ: ଧାନ କିଣା ଉପରେ ଗୁରୁତ୍ୱାରୋପ

ବନ୍ତ, (ଚାନ୍ଦିନୀ ମହାନ୍ତି):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବନ୍ତ ଶାଖା ଅଧିନ ୮ ସମବାୟ ସମିତି ସଭାପତି ମାନଙ୍କର ବୈଠକ ପଧାନପଡା ସେବା ସମବାୟ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ସେକ୍ କଦମ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚାଷୀ ମାନେ କିପରି ସୁବିଧାରେ ଧାନ ବିକ୍ରୟ କରିପାରିବେ, ଧାନ କିଣା ବେଳେ ଆର.ଏମ୍‌.ସିର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିବା ସହିତ ମିଲର ମାନେ ସଠିକ୍ ସମୟରେ ଧାନ ଉଠାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିନା ସୁଧରେ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଜମିର ଭେଲୁଏସନକୁ ନେଇ ଶାଖା ପରିଚାଳକଙ୍କ ସହିତ ଆଲୋଚନା କରିବା ପାଇଁ ମତପ୍ରକାଶ ପାଇଥିଲା । ପରିଚାଳନା ପରିଷଦ ସହିତ ଆଲୋଚନା ନକରି ସମସ୍ତ ସମିତିରେ ଅତିରିକ୍ତ ଡି.ଇ.ଓ ନିଯୁକ୍ତି ଦେବା ପାଇଁ ବ୍ୟାଙ୍କ ଓ ଏ.ଆର୍‌.ସି.ଏସ୍ କାର୍ଯ୍ୟାଳୟ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ବୈଠକରେ ବିରୋଧ କରାଯାଇଥିଲା । ଦୀର୍ଘ ଦିନ ଧରି ଅଚଳ ହୋଇପଡିଥିବା ବ୍ୟବସାୟ ଓ ଚାଷ ଋଣକୁ ଓ.ଟି.ଏସ୍ ମାଧ୍ୟମରେ ପରିଶୋଧ କରିବା ପାଇଁ ସମିତିକୁ କ୍ଷମତା ଦେବାପାଇଁ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟଙ୍କୁ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଖରିଫରେ ଋଣ ନେଇଥିବା ଚାଷୀ ମାନଙ୍କର ପୁନର୍ବାର ରବି ଋଣ ବାବଦରେ ଫାଇନାନ୍ସ ନକରିବା ପାଇଁ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ସମବାୟ ସମିତି ମାଧ୍ୟମରେ ଏସ୍‌.ଏଚ୍‌.ଜି ଗ୍ରୁପକୁ ୫ ଲକ୍ଷ ପର୍ଯ୍ୟନ୍ତ ବିନାସୁଧରେ ଋଣ ଦେବା ପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ କୃତଜ୍ଞତା ଜଣାଯାଇଥିଲା । ଉକ୍ତ ବୈଠକରେ କେନ୍ଦୁଆପଦା ସମିତିର ଜୟନ୍ତ ସାମଲ, ସେଣ୍ଢତୀରା ସମିତିର ମଳୟ ରାଉତ, ଚାଇଁପୁର ସମିତିର ଅଜୟ ନାୟକ, ଗଣିଜାଙ୍ଗ ସମିତିର ରଞ୍ଜନ ସାହୁ, ଟିଲୋ ସମିତିର ବିଜୟ ନାୟକ, ରାମକୃଷ୍ଣପୁର ସମିତିର ଭକ୍ତିପଦ ସାମଲ, ବସନ୍ତିଆ ସମିତିର ବସନ୍ତ ବେହେରା ଯୋଗ ଦେଇଥିଲେ । ପଧାନପଡା ସମିତିର ସମ୍ପାଦକ ନାରାୟଣ ଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଆସନ୍ତା ବୈଠକ ଡିସେମ୍ବର ୨୧ରେ ବାଲେଶ୍ୱରସ୍ଥିତ ଚାନ୍ଦିପୁର ଠାରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ