ସମସ୍ତଙ୍କୁ ସନ୍ତୁଷ୍ଟି ପାଇଁ ରଥ ଉପରେ ଅଧରପଣା ଭୋଗ

ସନ୍ତୋଷ କୁମାର ଦାଶ
ଦାରୁବିଗ୍ରହ ମାନଙ୍କ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେବା ସମୟରେ ରଥ ଉପରେ ଶ୍ରୀ ଜିଉ ମାନଙ୍କୁ ଏକ ଅନନ୍ୟ ନୈବିଦ୍ୟ ଅର୍ପଣ କରା ଯାଇଥାଏ। ତାହା ଅଧରପଣା ଭୋଗ ନାମରେ ପରିଚିତ। ଏହି ଅଧରପଣା ଭୋଗ ଲାଗି ନୀତି ଯେତିକି ବୈଚିତ୍ରମୟ ସେତିକି ରହସ୍ୟମୟ। ହରିଶୟନ ଏକାଦଶୀ ତିଥି ରେ ରଥ ଉପରେ ଶ୍ରୀ ଜିଉ ମାନଙ୍କୁ ସୁନା ବେଶ ରେ ସଜ୍ଜିତ କରାଯାଉଥିବା ବେଳେ ତହିଁ ଆର ଦିନ ଗରୁଡ଼ ଦ୍ଵାଦଶୀ ତିଥି ରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ପବିତ୍ର ଅଧର ପଣା ନୀତି। ଦାରୁ ବିଗ୍ରହ ମାନଙ୍କ ଅଧର (ଓଠ) ପର୍ଯ୍ୟନ୍ତ ଲମ୍ବି ଯାଇଥିବା ସ୍ଵତନ୍ତ୍ର ଭାବେ ନିର୍ମିତ ମାଟି ହାଣ୍ଡି ରେ ଏହି ପଣା ଭୋଗ ଲାଗି କରା ଯାଉଥିବାରୁ ଏହି ଭୋଗ ର ନାମ ଅଧର ପଣା ହୋଇଥାଏ ବୋଲି କୁହାଯାଏ। ନବାତ, କଦଳୀ,ସର, ଦୁଗ୍ଧ, ରାବିଡି,ଗୋଲ ମରିଚ,ଛେନା, କର୍ପୁର, ଅଳେଇଚ ସବୁ ଶୁଦ୍ଧ ପାଣି ରେ ପକାଯାଇ ଏହି ପଣା ଭୋଗ ପ୍ରସ୍ତୁତ କରାଯାଇଥାଏ। ଶ୍ରୀ ଜଗନ୍ନାଥଙ୍କ ସେବା ପୂଜାରେ ସଂଶ୍ଳିଷ୍ଟ ବଡ଼ଓଡ଼ିଆ ମଠ ଓ ରାଘବଦାସ ମଠ ଏହି ପଣା ଭୋଗ ଲାଗି ଉପାଦାନ ଯୋଗାଇ ଦେଇଥାନ୍ତି। ଛାଉଣୀ ମଠ କୂପ ରୁ ଶୁଦ୍ଧ ଜଳ ଅଣାଯାଇ ଏକ ବଡ଼ ପିତ୍ତଳ ହଣ୍ଡା ଢଳା ଯିବା ପରେ ସେବକ ମାନେ ପଣା ପ୍ରସ୍ତୁତି କରି ସାରି ଅଧର ହାଣ୍ଡି ରେ ଭର୍ତ୍ତି କରିଥାନ୍ତି। ଶ୍ରୀ ଜିଉ ମାନଙ୍କୁ ପଣା ଭୋଗ ଲାଗି ହେବା ପରେ ଅଧର ମାଟିହାଣ୍ଡି ଗୁଡ଼ିକୁ ସେହିଠାରେ ଭାଙ୍ଗି ଦିଆଯାଏ।ପଣା ଭୋଗ ସବୁ ରଥ ଉପର ଦେଇ ତଳକୁ ବୋହି ଆସିଥାଏ ।ଏହି ପଣା ଭୋଗ କୁ କୌଣସି ମଣିଷ ଭକ୍ତ ପାଇ ନ ଥାନ୍ତି। ତାର କାରଣ ହେଉଛି ଏହି ପଣା ଭୋଗକୁ ରଥରେ ଥିବା ପାଶ୍ଵ ଦେବା ଦେବୀ, ଚଣ୍ଡୀ, ଚାମୁଣ୍ଡା, ଅସଶିରୀ, ଭୂତ, ପ୍ରେତ, ଗନ୍ଧର୍ବ, କିନ୍ନରମାନେ ପାଇ ତୃପ୍ତ ହୋଇ ଥାନ୍ତି ବୋଲି ବିଶ୍ୱାସ ରହିଛି। ଶ୍ରୀ ମନ୍ଦିର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୁସ୍ତକ ରୁ ଜଣାଯାଏ ଯେ,ଅତୀତ ରେ ବାହୁଡ଼ା ଦଶମୀ, ହରି ଶୟନ ଏକାଦଶୀ ଓ ଗରୁଡ଼ ଦ୍ଵାଦଶୀ ତିଥି ରେ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଶ୍ରୀ ବିଗ୍ରହ ମାନଙ୍କ ସମ୍ମୁଖ ରେ ଏହି ଅଧରପଣା ଭୋଗ ଲାଗି ହେଉଥିଲା।କାଳକ୍ରମେ ଏବେ କେବଳ ଗରୁଡ଼ ଦ୍ଵାଦଶୀ ତିଥି ରେ ରଥ ଉପରେ ଶ୍ରୀ ଜିଉ ମାନଙ୍କୁ ଅଧର ପଣା ଭୋଗ ଲାଗି ହେଉଛି।ପୁରୀ ର କୁମ୍ଭାରପଡ଼ା ଓ ଟିକରପଡ଼ା ଗ୍ରାମ ରେ ବାସ କରୁଥିବା ଶ୍ରୀ ଜଗନ୍ନାଥ ଙ୍କ କୁମ୍ଭକାର ବିଶୋଇ ସେବକ ମାନେ ଭକ୍ତି ଓ ନିଷ୍ଠାର ସହିତ ଏହି ଅଧର ପଣା ମାଟି ହାଣ୍ଡି ଗୁଡ଼ିକୁ ସ୍ଵତନ୍ତ୍ର ଶୈଳୀରେ ତୁମ୍ବାକୃତି ନିର୍ମାଣ କରି ଥାନ୍ତି।ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଅଧର ପଣା ହାଣ୍ଡି ର ଉଚ୍ଚତା ୫ ଫୁଟ ୮ ଇଞ୍ଚ ହୋଇଥିବା ବେଳେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ଅଧର ପଣା ମାଟି ହାଣ୍ଡି ର ଉଚ୍ଚତା ୪ ଫୁଟ ୭ ଇଞ୍ଚ ଓ ଦେବୀ ସୁଭଦ୍ରା ଙ୍କ ଅଧର ପଣା ମାଟି ହାଣ୍ଡି ର ଉଚ୍ଚତା ୪ ଫୁଟ ର ହୋଇଥାଏ। କୁରାଳ ପଞ୍ଚମୀ ଦିନ କୁମ୍ଭାର ସେବକ ମାନେ ହାଣ୍ଡି ଗଢା ଚକ ସବୁର ପୂଜା କରିବା ପରେ ଶୁଦ୍ଧପୂତ୍ତ ଭାବେ ରହି ଏହି ତୁମ୍ବାକୃତି ମାଟି ହାଣ୍ଡି ଗୁଡ଼ିକୁ ନିର୍ମାଣ କରିଥାନ୍ତି। ଶ୍ରୀ ବିଗ୍ରହ ମାନଙ୍କ ଭୋଗ ଲାଗି ଅଧର ପଣା ପାଇ ସମସ୍ତେ ତୃପ୍ତ ହୋଇଥାନ୍ତି। ମହାପ୍ରଭୂ ଶ୍ରୀଜଗନ୍ନାଥ ଯେତିକି ରହସ୍ୟମୟ ତାଙ୍କ ପୂଜା ନୀତି ମଧ୍ଯ ସେତିକି ରହସ୍ୟମୟ।
ଜୟ ଜଗନ୍ନାଥ ସ୍ଵାମୀ।।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


