ସମାଜ ସେବାରୁ ଆତ୍ମତୃପ୍ତି ପାଉଥିବା ଗୋପିନାଥ ଏବେ ଶିକ୍ଷକତାକୁ ଆପଣାଇଛନ୍ତି

ବନ୍ତ, (ଚାନ୍ଦିନୀ ମହାନ୍ତି) : ମାନବ ସେବା ହିଁ ମାଧବସେବା । ଏହାକୁ ବ୍ରତ ରୂପେ ଗ୍ରହଣ କରି ଆତ୍ମତୃପ୍ତି ପାଉଥିବା ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ଗୋପିନାଥ ଦାଶ ଏବେ ଶିକ୍ଷକତାକୁ ଆପଣାଇଛନ୍ତି । ଦାରିଦ୍ର‌୍ୟତା ମଧ୍ୟରେ ଉଚ୍ଚ ଶିକ୍ଷାଲାଭ କରି ସମାଜସେବାରେ ନିଜକୁ ନିୟୋଜିତ କରିପାରିଥିଲେ । ପିତା ଜୟକୃଷ୍ଣ ଦାଶ ଓ ମାତା କମଳା ଦାଶଙ୍କର କନିଷ୍ଠ ସନ୍ତାନ ଭାବେ ୧୯୭୪ ମସିହାରେ ଦରିଦ୍ର ବାହ୍ମଣ ପରିବାରରେ ତାଙ୍କର ଜନ୍ମ । ସେ ନିଜ ଗ୍ରାମରେ ଥିବା ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷାଲାଭ କରି ଅଣିଜୋସ୍ଥିତ ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିଲେ । ପରେ ଆଗରପଡା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ କଳା ଏବଂ ଯୁକ୍ତ ତିନି କଳାରେ ସ୍ନାତକ ପାସ୍ କରିଥିଲେ । ୧୯୯୫ ମସିହାରେ ପିଲା ଦିନରୁ ଥିବା ସାମାଜିକ ସେବା ମନୋବୃତ୍ତି ତାଙ୍କ ଭିତରେ ପ୍ରତିଫଳିତ ହୋଇଥିଲା । ନିଜ ଗ୍ରାମର ଜଣେ ଗରିବ ବାଳିକାର ମସ୍ତିଷ୍କ ମ୍ୟାଲେରିଆ ଓ ପରବର୍ତ୍ତୀ ସମୟରେ ଜଣେ କର୍କଟ ରୋଗରେ ପିଡିତ ଯୁବକର ଚିକିତ୍ସା ପାଇଁ ବିଭିନ୍ନ ବର୍ଗର ଲୋକ ମାନଙ୍କ ଠାରୁ ଅର୍ଥ ସଂଗ୍ରହ କରି ସେମାନଙ୍କ ଚିକିତ୍ସା ପାଇଁ ପ୍ରଦାନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷିତ ହୋଇଥିଲେ । ପରେ ସେ ଗୋପିନାଥପୁର ଗ୍ରାମର ସମାଜସେବୀ ତଥା ଲୋକଶକ୍ତି ସଂସ୍ଥାର ସମ୍ପାଦକ ରବିନ୍ଦ୍ର ରାୟ ଓ ତାଙ୍କ ପତ୍ନୀ ସମାଜସେବୀକା ରାଗିଣୀ ରାୟଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ବିଶିଷ୍ଟ ସମାଜସେବୀଙ୍କ ଘରେ ଗୋପିନାଥଙ୍କର ପିତା ଜୟକୃଷ୍ଣ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ପିତାଙ୍କ ମାଧ୍ୟମରେ ରବିନ୍ଦ୍ର ରାୟଙ୍କ ଡାକରା ପାଇ ସେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କ ମ୍ୟାନେଜମେଣ୍ଟର ଏକ ଷ୍ଟଡି ଟୁର୍ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ରାଜ୍ୟର ବିଭିନ୍ନ ଜିଲାର ଶତାଧିକ ଗ୍ରାମରେ କାର୍ଯ୍ୟ କରି ସଂସ୍ଥାର ଆସ୍ଥାଭାଜନ ହୋଇଥିଲେ । ଏହାରି ମଧ୍ୟରେ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଏବଂ ୧୯୯୮ ମସିହାରେ ବି.ଏଡ୍ ପାସ୍ କରିଥିଲେ । ସେ ଟିଉସନ କରିବା ସହ ପରର ମୂଲ ଲାଗି ଉପାର୍ଜିତ ଅର୍ଥରେ ମାଟ୍ରିକ୍ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ବହୁ କଷ୍ଟରେ ପାଠ ପଢିଥିଲେ । ୧୯୯୯ ମହାବାତ୍ୟାରେ ଭଦ୍ରକ ଜିଲାର କ୍ଷୟକ୍ଷତି ଓ ଲୋକ ମାନଙ୍କର ଦୁର୍ଦ୍ଦଶା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ବିଶେଷଭାବେ ଆଗରପଡା ଅଞ୍ଚଳର ସାଳନ୍ଦୀ ନଦୀ ତଟବର୍ତ୍ତୀ ହରିପୁର, ଘଣ୍ଟଗଢିଆ, ନରାଜପୁର, ବଡମହିଁଷଗୋଠ, ଚାରିଗାଁ, ଇଟୁଆ, ତାଜିପୁର, ଗୋପିନାଥପୁର, ତୁଳିପଦା, ସାହୁପଡା, ବଡସନ୍ଦାଡୋ, ସାନସନ୍ଦାଡୋ ଆଦି ଗ୍ରାମର ମହାବାତ୍ୟା ପ୍ରପିଡିତ ଲୋକ ମାନଙ୍କ ପାଇଁ ଲୋକଶକ୍ତି ସଂସ୍ଥାର ସହଯୋଗ ଲୋଡିଥିଲେ । ପରେ ସେ ଲୋକଶକ୍ତି ସଂସ୍ଥାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ବନ୍ୟା ଅଞ୍ଚଳର ପୁନଃ ଥଇଥାନ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ । ଏଥିସହିତ ଆଗରପଡା ଅଞ୍ଚଳର ଅନେକ ଗୁଡିଏ ମହିଳା ସଂଗଠନ, ଯୁବକ ସଂଘ ଏବଂ ତୃଣମୂଳ ସ୍ତରୀୟ ସ୍ୱେଚ୍ଛାସେବୀ ସଂସ୍ଥା ଗଠନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଲୋକଶକ୍ତି ସଂସ୍ଥା ତରଫରୁ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରେ ମହିଳା ସଶକ୍ତିକରଣ, ଜଳ ଓ ପରିମଳ, ସ୍ୱାସ୍ଥ୍ୟ, ପରିବେଶ ସମ୍ପର୍କୀତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦିତ କରାଇଥିଲେ । ୨୦୦୧ ମସିହାରେ ଆଗରପଡା ଅଞ୍ଚଳର କେତେକ ଉତ୍ସର୍ଗୀକୃତ ଯୁବକ ଓ ଯୁବତୀ ମାନଙ୍କୁ ନେଇ ସ୍ୱେଚ୍ଛାସେବୀ ସଂସ୍ଥା ସେଣ୍ଟର ଫର ୱେଇକର ସେକ୍ସନ୍ ଡେଭଲପ୍‌(ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି) ଗଠନ କରି ବନ୍ତ ବ୍ଲକରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ମହିଳା ସଶକ୍ତିକରଣ, ଜଳ ଓ ପରିମଳ, ସ୍ୱାସ୍ଥ୍ୟ, ପରିବେଶ, ଶିଶୁକନ୍ୟା ସୁରକ୍ଷା, ଶିକ୍ଷା, ଦୁର୍ବିପାକ ପ୍ରଶମନ ଭଳି ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦିତ କରିଥିଲେ । ୨୦୦୮ ମସିହାରେ ଶିକ୍ଷକତା କାର୍ଯ୍ୟରେ ଯୋଗଦାନ କରି ଜଣେ ନିଷ୍ଠାପର ଶିକ୍ଷକ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ