ସମାଜ ସେବାର ଅନନ୍ୟ ଅନୁଷ୍ଠାନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ : ଏକ ବର୍ଷ ଭିତରେ ଚାରି ପ୍ରବାସୀ ଦାଦନ ଶ୍ରମିକ ମୃତ ଦେହକୁ ଭିଟାମାଟିରେ ପହଞ୍ଚାଇବାରେ ନେଇଛି ପ୍ରମୁଖ ଭୂମିକା

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ସମାଜ ସେବା ହେଉ ବା ସାହିତ୍ୟ ଆସର, ପରିବେଶ ସୁରକ୍ଷା ହେଉ ବା କରୋନା ବିରୋଧରେ ଲଢ଼େଇ, ସବୁଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଯୁବକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ I ଏହି ସଂଗଠନ ଗଠନ ହେବା ପରଠାରୁ ବହୁ ଜନହିତକର କାର୍ଯ୍ୟକ୍ରମ ହାଟକୁ ନେଇ ବେଶ୍ ଜନାଦୃତ ହୋଇପାରିଛି I ଏହି ସଂଗଠନ ଗଠିତ ହେବା ପରେ ମହାରାଷ୍ଟ୍ରର ପୁନେରେ ବସବାସ କରୁ୍ଥିବା ପ୍ରବାସୀଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ସହ କରୋନା ସମୟରେ ଜନ ସଚେତନତା ଏବଂ କରୋନା କିଟ୍ ବଣ୍ଟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା I ସଂଗଠନର ଏହି କାର୍ଯ୍ୟକ୍ରମ ଧିରେ ଧିରେ ପୁନେରୁ ଭାରତର ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ପ୍ରସାରିତ ହୋଇଥିଲା I ଏହି ସଂଗଠନ ଓଡ଼ିଶାରେ କରୋନା ସଚେତନତା, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିବା ସହିତ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଶିଶୁ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି I ଏହା ସହ ବିଭିନ୍ନ କୁଷ୍ଠାଶ୍ରମରେ ହାଇଜିନ୍ କିଟ୍ ବଣ୍ଟନ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ଲଡ୍ ଷ୍ଟେମ୍ ସେଲ୍ ସଂଗ୍ରହ ଅଭିଯାନ ଆରମ୍ଭ କରି ଏହି ସଂଗଠନ ଚର୍ଚ୍ଚାର ପରିଧି ମଧ୍ୟକୁ ଆସି ପାରିଛି I ଏହାରି ଭିତରେ ଏହି ସଂଗଠନ ଏକ ବର୍ଷ ମଧ୍ୟରେ ଏକାଧିକ ଦାଦନ ଶ୍ରମିକଙ୍କ ମୃତ ଦେହକୁ ନିଜ ଭିଟା ମାଟିରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରି ନିଜର ଅନ୍ୟ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି I ଗତବର୍ଷ ଏପ୍ରିଲ ମାସରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା କେନ୍ଦ୍ରାପଡ଼ା ଜିଲ୍ଳା ପାଟକୁରା ଅଞ୍ଚଳର ଚିତ୍ତରଞ୍ଜନ ମହାନ୍ତି(44)ଙ୍କ ଶବକୁ ନିଜ ଭିଟାମାଟିରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏହି ଅନୁଷ୍ଠାନ I ସେହିପରି ଚଳିତ ବର୍ଷ ଫେବୃୟାରୀ ମାସରେ କେରଳରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସୋରଡା ଅଞ୍ଚଳର କାଲୁ ନାୟକ ଏବଂ ଏପ୍ରିଲ ମାସରେ ଗାନ୍ଧୀ ପାତ୍ରଙ୍କ ଶବକୁ ନିଜ ଗ୍ରାମରେ ପହଞ୍ଚାଇବା ଦାଦନ ପରିବାରର ହୃଦୟ ଜିତିଥିବା ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ଆଜି ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହକୁ ନିଜ ଭିଟାମାଟିରେ ଅନ୍ତିମ ସଂସ୍କାର କରାଇବାରେ ସଫଳତା ହାସଲ କରି ପାରିଛି I ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଳା ସୋରଡା ବ୍ଳକ୍ ନୂଆଁଗାଆଁର ରଞ୍ଜନ ମଲ୍ଲିକ (37) ନାମକ ଜଣେ ବ୍ୟକ୍ତି ନିଜର ଅନ୍ୟ ଦୁଇ ଭାଇଙ୍କ ସହ ତାମିଲନାଡ଼ୁ କୋଏମ୍ବାଟୁର୍ ଶାନ୍ତିପେଡ୍ ଅଞ୍ଚଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ I ଗତ ଗୁରୁବାର ରାତିରେ ସେ ଶୋଇଥିବା ସମୟରେ ତାଙ୍କୁ କୌଣସି ବିଷାକ୍ତ ସାପ କାମୁଡ଼ି ଦେଇଥିଲା I ରଞ୍ଜନଙ୍କ ଦୁଇ ଭାଇ ସ୍ଥାନୀୟ ସରକାରୀ ମେଡିକାଲ୍ ରେ ତାଙ୍କୁ ଭର୍ତ୍ତି କରିଥିଲେ I ସେଠାରେ ଦୁଇଦିନ ଚିକିତ୍ସା ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଶନିବାର ଦିନ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା I ସେଠାରେ ରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ପରେ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସଂଗଠନ ସ୍ଥାନୀୟ ପେରିୟାନାଇକେନପାଲାୟାମ୍ ଥାନା ପୋଲିସ୍ ଏବଂ ସେବା ଭାରତୀ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ ମହେଶ୍ ବାବୁଙ୍କ ସହଯୋଗରେ ରଞ୍ଜନଙ୍କ ଶବକୁ ଓଡ଼ିଶା ଆଣିବା ବ୍ୟବସ୍ଥା କରିଥିଲା I ରଞ୍ଜନଙ୍କ ଶବକୁ କୋଏମ୍ବାଟୁର୍ ଗୌହାଟୀ ଏକ୍ସପ୍ରେସର ସ୍ଵତନ୍ତ୍ର ବଗିରେ ବ୍ରହ୍ମପୁରକୁ ଅଣାଯିବା ପରେ ସେଠାରୁ ସ୍ପ୍ରେଡ୍ହାପିନେସ୍ ଫାଉଣ୍ଡେସନ୍ ର ସଦସ୍ୟ ମାନେ ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ତାଙ୍କ ଶବକୁ ନିଜ ଭିଟାମାଟିକୁ ଅଣାଯାଇ ସେଠାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ରଞ୍ଜନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା I ଏହି କାର୍ଯ୍ୟରେ ଟ୍ରେନ୍ ପାର୍ସଲ ଅଧିକାରୀ ଏବଂ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ସହଯୋଗ କରିଥିଲେ I ପ୍ରକାଶ ଥାଉକି ସ୍ଵର୍ଗତ ରଞ୍ଜନଙ୍କ ତିନୋଟି ଛୋଟ ଛୋଟ ଝିଅ ରହିଥିବାରୁ ତାଙ୍କ ବିଧବା ସ୍ତ୍ରୀ ଏବଂ ଅସହାୟ ପିଲାମାନଙ୍କୁ ସରକାର ତୁରନ୍ତ ସାହାଯ୍ୟ ଯୋଗାଇଦିଅନ୍ତୁ ବୋଲି ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ