ବାଲେଶ୍ୱର ବନ୍ଦକୁ ସମର୍ଥନ ପାଇଁ ବାମପନ୍ଥୀଙ୍କ ପଥପ୍ରାନ୍ତ ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆସନ୍ତା୧୬ ତାରିଖରେ ହେବାକୁ ଥିବା ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦକୁ ବିଭିନ୍ନ ମହଲରୁ ସମର୍ଥନ ଜୁଟାଇବା ପାଇଁ ଗଣ ସଂଗଠନମାନଙ୍କ ପକ୍ଷରୁ ଗତ ୪ଦିନ ଧରି ସହରର ବିଭିନ୍ନ ଛକ ବଜାରରେ ପଥପ୍ରାନ୍ତ ସଭା ଜାରି ରହିଛି । ବାଲେଶ୍ୱର ବାର ଆସୋସିଏସନ, ବାଲେଶ୍ୱର ସିଭିଲ ସୋସାଇଟି, ବରିଷ୍ଠ ନାଗରିକ ମଞ୍ଚ, ବାଲେଶ୍ୱର ପଥ ବିକ୍ରେତା ସଂଘ, ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି, ୟୁଟିୟୁସିଲେନୀନ ସରଣୀ, ଟିୟୁସିସି ସମେତ ବିଭିନ୍ନ ଶ୍ରମିକ ସଂଗଠନ, ବାମପନ୍ଥୀ ଓ କଂଗ୍ରେସ ପ୍ରଭୃତି ରାଜନୈତିକ ଦଳର ନେତୃତ୍ୱମାନେ ଏଥିରେ ଯୋଗଦେଇ ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶାନ୍ତିପ୍ରିୟ ବାଲେଶ୍ୱର ଜିଲାରେ ବଢ଼ି ଚାଲିଥିବା ଚୋରି, ଛିନତାଇ, ରହାଜାତୀ, ଲୁଟରେ ଜନସାଧାରଣ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଜିଲା ପୁଲିସ ତଥା ପ୍ରଶାସନର ଉଦାସୀନତା କ୍ରମଶଃ ଅସହ୍ୟ ହୋଇଥିବା ବକ୍ତାମାନେ କହିଥିଲେ । ଏହାର ସ୍ଥାୟୀ ପ୍ରତିକାର ପାଇଁ ପୁଲିସ ପ୍ରଶାସନ ଓ ସରକାରଙ୍କୁ ଏକ ଚେତାବନୀ ସଦୃଶ ବୋଲି ସେମାନେ ମତ ପ୍ରକାଶ କରିଥିଷଲ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ସୁଧାର ତଥା ସ୍ଥାୟୀ ପ୍ରତିକାର ପାଇଁ ଏହି ଆନ୍ଦାଳନକୁ ସମର୍ଥନ ଦେବା ନିମେନ୍ତ ବ୍ୟବସାୟୀ ସଂଘ, ପେଟ୍ରୋଲ ପମ୍ପ ସଂଘ, କୃଷକ, ଶିକ୍ଷକ, ଶ୍ରମିକ, ଛାତ୍ର, ଆଇନଜୀବୀ ଏମିତିକି ସାଧାରଣ ଲୋକଙ୍କୁ ପଥପ୍ରାନ୍ତ ସଭାରେ ନିବେଦନ କରାଯାଇଛି ।୧୬ ତାରିଖ ଗୁରୁବାର ସକାଳ ୬ଟାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ଶାନ୍ତିପୂର୍ଣ୍ଣ ବାଲେଶ୍ୱର ବନ୍ଦ ପାଳନ ପାଇଁ ସେମାନେ ନିବେଦନ କରିଛନ୍ତି ।


