ସମ୍ପାଦକ, ସହସମ୍ପାଦକ ନିଲମ୍ବିତ ପରେ ଧାନକିଣା ବନ୍ଦ ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ସମବାୟ ସମିତିରେ ଚଞ୍ଚକତାକରି ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇଥିବା ଧରାପଡିଯିବାପରେ ଏବେ ପ୍ରଶାସନ ସମିତିର ସମ୍ପାଦକ, ସହ-ସମ୍ପାଦକଙ୍କୁ ନିଲମ୍ବିତ କରିଥିବାବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ଅପସାରିତ କରିଛନ୍ତି । ଫଳରେ ଦୁଇଦିନ ଧରି ସମିତିରେ ଅଚଳାବସ୍ଥା ଦେଖା ଦେଇଛି । ଧାନ କିଣା ଯାଇପାରୁ ନଥିବାରୁ ଚାଷୀଙ୍କ ଟ୍ରିପ ଟ୍ରିପ ଧାନ ମଣ୍ଡି ବାହାରେ ଥୁଆ ହୋଇ ରହିଛି । ଫଳରେ ଚାଷୀମାନେ ବାଧ୍ୟହୋଇ ଛେନାପଦି- ହଦଗଡ ରାସ୍ତାକୁ ଅବରୋଧ କରିଛନ୍ତି । ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲାର ସଢ଼ା ସମବାୟ ସମିତିରେ ଧାନ କିଣିବାପାଇଁ ସୁଦୁର ପାଟଣା, ବାଂଶପାଳ, ମୟୁରଭଞ୍ଜ ଜିଲ୍ଲାର ଠାକୁରୁମୁଣ୍ଡା ଆଦି ଅଞ୍ଚଳର ଚାଷଜମିକୁ ଭାଗଚାଷ ଦର୍ଶାଇ ଠଶରେ ଚାଷୀପଞ୍ଜିକରଣ କରାଯାଇଥିଲା । କିନ୍ତୁ ଏନେଇ ଅଭିଯୋଗ ହେବାପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ତଦନ୍ତ କରାଯିବାରୁ ସମିତିରେ ଚାଲିଥିବା କଳା କାରନାମା ଧରାପଡି ଯାଇଥିଲା । ଫଳରେ ରେଜିଷ୍ଟର ଅଫ କୋଅପରେଟିଭ ସୋସାଇଟ ଓ ଡେପୁଟି ରେଜିଷ୍ଟାର ସମିତିର ସମ୍ପାଦକ ଓ ସହସମ୍ପାଦକଙ୍କୁ ନିଲମ୍ବିତ କରିବା ସହିତ ଦୁଇଜଣ ଡାଟାଏଣ୍ଟ୍ରିଅପରେଟରଙ୍କୁ କାର୍ଯ୍ୟରୁ ଅପସାରିତ କରିଛନ୍ତି । କିନ୍ତୁ ତାଙ୍କ ବଦଳରେ କାହାରିକୁ ନିଯୁକ୍ତି ଦିଆଯାଇ ନଥିବାରୁ ଆଜି ଏଠାରେ ଧାନ କିଣା ଏକପ୍ରକାର ବନ୍ଦ ହୋଇଯାଇଛି । ସମିତିରେ କେହି ଅଧିକାରୀ ଧାନ କିଣିବାପାଇଁ ନଥିବାରୁ ୩/୪ଦିନ ହେଲା ଚାଷୀମାନେ ମଣ୍ଡିରେ ଧାନ ପକାଇ ବିକିବାପାଇଁ ଅପେକ୍ଷା କରି ବସିରହିଛନ୍ତି । ଟ୍ରିପ ଟ୍ରିପ ଧାନ ଗଦାହୋଇଥିବାରୁ ଓ ଗାଡି ମାଲିକମାନେ ଅଧିକ ଭଡା ଦାବି କରୁଥିବାରୁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସୁଧିର ଶେଖର ପୁହାଣ, ସଦାଶିବ ବେହେରା, ଜଗନ୍ନାଥ ନାୟକ, ଜଗତବନ୍ଧୁ ମିଶ୍ର, ବନମାଳୀ ମହାନ୍ତି, ଶାନ୍ତିଲତା ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ଗିରି, କୈଳାଶ ଚନ୍ଦ୍ର ପହି, ଘନଶ୍ୟାମ ମଲ୍ଲିକଙ୍କ ସମେତ ଅନେକ ଚାଷୀମାନେ ମଣ୍ଡିକୁ ଆଣିଥିବା ଧାନବୋଝେଇ ଟ୍ରାକ୍ଟର ଗୁଡିକୁ ଛେନାପଦି-ହଦଗଡ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ଖବରପାଇ ଉପଖଣ୍ଡ ଯୋଗାଣ ଅଧିକାରୀ ବୁଦ୍ଧଦେବ ଜେନା, ଏ.ଆର.ସି.ଏସ ନିତ୍ୟାନନ୍ଦ ଦେହୁରୀ, ବ୍ଳକ ଯୋଗାଣ ଅଧିକାରୀ ଶ୍ୟାମ ମାଝୀ ପ୍ରମୁଖ ଆନ୍ଦୋଳନକାରୀ ଚାଷୀଙ୍କ ନିକଟରେ ପହଞ୍ଚି ସଢ଼ା ସମବାୟ ସମିତିର ସମ୍ପାଦକ ଓ ସହ ସମ୍ପାଦକ ନିଲମ୍ବିତ ହୋଇଥବବାରୁ ଅନ୍ୟ ଏକ ସମବାୟ ସମିତିର ସମ୍ପାଦକଙ୍କୁ ଧାନ କିଣିବାର ଦାୟିତ୍ୱ ଦେବାପରେ ରାସ୍ତା ଅବରୋଧ ହଟିଥିଲା । ଯେପରି ଚାଷୀମାନେ ଧାନ ବିକିବାରେ କୌଣସି ଅସୁବିଧା ନଭୋଗନ୍ତି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ