ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଗାମୀ କାଲିଠାରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ସମ୍ଭବନା ଥିବା ହେତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଜାଗ ରଖାଯାଇଛି । ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ଆସି ନପାରେ କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସମ୍ଭାବନା ହେତୁ ସମସ୍ତ ପୂର୍ବ ପ୍ରସ୍ତୁତି ରଖିବା ସକାଶେ ଶନିବାର ଆଭାସୀ ବୈଠକର ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜଣାଇଥିଲେ ଯେ, ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକ ପ୍ରସ୍ତୁତ କରି ରଖିବେ, ଗଞ୍ଜାମ ଜିଲ୍ଲାକୁ ବାତ୍ୟାର ପ୍ରଭାବ ନାହିଁ କିନ୍ତୁ ସମୁଦ୍ର ମଧ୍ୟରେ ବାତ୍ୟାର ପ୍ରଭାବ ନିଶ୍ଚିତ ରୂପେ ରହିବ । ଏଥି ନିମନ୍ତେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀଗଣ ଯେମିତି ଆଗାମୀ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବେ ନାହିଁ ସେଥି ସକାଶେ ସମସ୍ତ ପ୍ରଚାର ପ୍ରସାର ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଅଞ୍ଚଳରେ କଣ୍ଟ୍ରୋଲରୁମ୍ ଖୋଲାଯିବ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଅବଗତ କରାଇ ଥିଲେ ଯେ, ମତ୍ସ୍ୟଜୀବୀ କମିଟି ମାନଙ୍କ ସହିତ ଆଲୋଚନା କରାଯାଇ ସତର୍କ କରିଦିଆଯାଇଛି । ସେମାନେ ଯଦି ନିର୍ଦ୍ଦେଶର ଆବମାନନା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ ହେବା ସହିତ ସେମାନଙ୍କ ନୌକା ସିଜ୍ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କ ଲାଇସେନ୍ସ ରବ୍ଦ କରାଯିବ । ଆନ୍ଧ୍ର ପଟୁ ଯଦି ମତ୍ସ୍ୟଜୀବୀ ଆସୁ ଥାଆନ୍ତିସେମାନଙ୍କୁ ମଧ୍ୟ ରୋକିବାର ବ୍ୟବସ୍ଥା କରାଯାଇଛି । ଯେଉଁ ପଏଣ୍ଟ ଗୁଡିକରୁ ନୌକା/ବୋଟ୍ ବାହାରୁଛି ସେହି ସ୍ଥାନରେ ସତର୍କ କରାଇ ଦିଆଯାଉଛି ଏବଂ ନଜର ରଖାଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତି ଭାସନ୍ ଭି ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରି ରଖିବା ସହ ଶୁଖିଲା ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ରଖିବାକୁ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ନିର୍ଦ୍ଦେଶ ଦେଇଥିଲେଯେ, ଆଗାମୀ ତିନି ଚାରି ଦିନ ମଧ୍ୟରେ ଯେଉଁ ଗର୍ଭବତୀ ମହିଳାଗଣ ପ୍ରସୂତୀ ହେବାର ସମ୍ଭାବନା ରହିଛି ସେମାନଙ୍କୁ ଚିହ୍ନଟ କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ କହିଥିଲେ । ଯଦି ଅଧିକ ବର୍ଷା ହୁଏ ତେବେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇପାରେ । ଏଣୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ଜଣାନ୍ତୁ ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ଚତର କରାଯିବ । ସମସ୍ତ ଡ୍ୟାମ୍ ଗୁଡିକର ଜଳ ସ୍ତର ପ୍ରତି ନଜର ରଖନ୍ତୁ ।ଆବଶ୍ୟକ ସ୍ଥଳେ ଜଳ ନିଷ୍କାସନ ହେବ ଏଣୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯିବ । ପରିସ୍ଥିତି ଦେଖି କାର୍ଯ୍ୟାନୁଷ୍ୟାନ ଗ୍ରହଣ କରାଯିବ । ବାତ୍ୟା ପରିସ୍ଥିତି ସୃ-ଷ୍ଟି ହେଲେ ସ୍ଥାନାନ୍ତର ଲୋକଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ନିମନ୍ତେ ଯଥେଷ୍ଟ ପରିମାଣର ଖାଦ୍ୟ ମହଯୁଦ୍ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଅବଗତ କରାଇ ଥିଲେ ।ବୈଠକରେ ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପସନ୍ନ କୁମାର ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି., ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ