ସରକାରୀ ପ୍ରୋତ୍ସାହର ଅଭାବ ପୁରୁନି ପେଟ, ଛାଡି ହେଉନି କୁଳବେଉସା

ଆସିକା, (ଯୁଗାବ୍ଦ ନ୍ୟୁଜ):କୌଳିକ ବୃତ୍ତିକୁ ବଞ୍ଚାଇରଖି ଆସିକା ଅଞ୍ଚଳର ଯେଉଁ ବାଉଁଶପାତି (ମେଦିରି) କାରିଗର ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଏହି ଅଞ୍ଚଳର ସୁନାମ ସାରା ଜିଲ୍ଲାରେ ଟେକ ରଖିବାରେ ସଫଳ ହୋଇଆସୁଛନ୍ତି ସେମାନଙ୍କ ଭାଗ୍ୟ ଆଜି ସୂତାଖିଅରେ ଝୁଲୁଛି । ଏହି ମହାନ୍ କାରିଗରଙ୍କ ହାତର ସ୍ପର୍ଶରେ ବାଉଁଶପାତିରେ ତିଆରି ବିଭିନ୍ନ ସାମଗ୍ରୀ ଶୋଭାବର୍ଦ୍ଧନ କରୁଛି । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳୁଥିବାରୁ ଏହି ବାଉଁଶପାତି କାରିଗରମାନେ ନିଜର କୁଳବେଉସା ଉପରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ରାଜରାସ୍ତାରେ ପେଟପାଟଣା ପାଇଁ ଅନେକ ଉଠାଦୋକାନୀ ନିଜ ନିଜ ପସରା ମେଲାଇ ଗୁଜରାଣ ମେଣ୍ଟାଉଛନ୍ତି । ଅପର ପକ୍ଷରେ କେହି କେହି ନିଜର କୁଳବେଉସାକୁ ଧରି ପରିବାର ପ୍ରତିପୋଷଣ ପାଇଁ ବାଉଁଶପାତି କାମକୁ ଆଦରି ନେଉଛନ୍ତି । ସକାଳୁ ସନ୍ଧ୍ୟା ଯାଏଁ ବାଉଁଶରେ ଡାଲିଆ, ଚିଡି, ତାଟ, ଡାଲାପେଢି ସମେତ ବିଭିନ୍ନ ରଙ୍ଗବେରଙ୍ଗର ସାମଗ୍ରୀ ତିଆରି କରି ବିକ୍ରୀ କଲେ ରାତିରେ ଚୁଲି ଜଳିବ । ଏଭଳି କିଛି ଲୋକଙ୍କୁ ଦେଖିବାକୁ ମିଳୁଛି ଆସିକା ଏନ୍‌ଏସି ଅଧିନସ୍ଥ ହାଟପଦା ମେଦିରି ସାହିରେ । କୁଳବେଉସାକୁ ଆଦରି ନେଇ ସୁରୁଜ ଉଇଁଲେ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିପଡନ୍ତି ବାଉଁଶରୁ ବିଭିନ୍ନ ସାମଗ୍ରୀ ତିଆରି କାର୍ଯ୍ୟରେ । ରାସ୍ତାକଡରେ ଖୋଲା ଆକାଶ ତଳେ କଠିନ ପରିଶ୍ରମ କରି ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରୀ କରି ସେମାନଙ୍କ କୁଟୁମ୍ବ ପୋଷାଯାଏ । କିଛି ବର୍ଷ ପୂର୍ବେ ଏହି ବାଉଁଶପାତି କାରିଗରମାନେ ଜିଲ୍ଲାର ସୋରଡା, ବଡଗଡ, ସୁରମଣି ତଥା ଏହାର ଆଖପାଖ ଅଞ୍ଚଳରୁ ବାଉଁଶକୁ କଞ୍ଚାମାଲ ରୂପେ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଲମ୍ବାଧାଡିରେ ରାଜରାସ୍ତାରେ ରଖି ବିକ୍ରୀ କରୁଥିଲେ । ବର୍ତ୍ତମାନ ବାଉଁଶ ମିଳିବା କଷ୍ଟସାଧ୍ୟ ହୋଇପଡିଥିବା ବେଳେ ଚଢାଦରରେ ବାଉଁଶ କିଣି ନିଜର କୌଳିକ ବୃତ୍ତିକୁ ବଞ୍ଚଇ ରଖିଥିବା ଏହି ବାଉଁଶପାତି କାରିଗରମାନେ ନାନା ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । କଠିନ ପରିଶ୍ରମ ତୁଳନାରେ ଲାଭ କମ୍ ହେଉଥିବାରୁ ଏହି ସଂପ୍ରଦାୟର ବ୍ୟକ୍ତିମାନେ ନିଜର କୁଳବେଉସା ମଧ୍ୟ ହରାଇ ଅନ୍ୟତ୍ର କର୍ମସଂସ୍ଥାନ ସନ୍ଧାନ କରୁଥିବାରୁ ଭବିଷ୍ୟତରେ ବାଉଁଶପାତିଆରେ ପ୍ରସ୍ତୁତ ସାମଗ୍ରୀ ଦେଖିବା ସ୍ୱପ୍ନ ହେବା ସମ୍ଭାବନାକୁ ଏଡାଇହେବ ନାହିଁ ବୋଲି କେତେକ ମହଲରେ ଆଲୋଚିତ ହେଉଛି । ସରକାରୀ ପ୍ରୋତ୍ସାହନ ଓ ଅର୍ଥାଭାବରୁ ଏହି ବାଉଁଶପାତି କାରିଗରମାନେ ଉପରକୁ ଉଠିପାରୁନାହାନ୍ତି । ରାସ୍ତାଖର୍ଚ୍ଚ, ପରିବହନ ଖର୍ଚ୍ଚ, କଞ୍ଚାମାଲ ବାଉଁଶର ଚଢାଦର ଓ ପ୍ରତିଯୋଗିତା ମୂଳକ ବ୍ୟବସାୟ ଯୋଗୁଁ ବାଉଁଶପାତି କାରିଗରମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବାଉଁଶପାତି କାରିଗରମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ମେଦିରି ସଂପ୍ରଦାୟର ଏମ୍ କ୍ରିଷ୍ଣା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ