ସରକାରୀ ସ୍କୁଲ୍ ଶିକ୍ଷାର ମାନଦଣ୍ଡ ବୃଦ୍ଧି କର- ସର୍ବଭାରତୀୟ ଅଭିଭାବକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ରାଜ୍ୟରେ ଛତୁ ଫୁଟିଲା ପରି ଗଢି ଉଠିଥିବା ଘରୋଇ ଇଂରାଜୀ ମାଧ୍ୟମ ଓ ବିଭିନ୍ନ ଓଡ଼ିଆ ମାଧ୍ୟମ ବ୍ୟବସାୟିକ ଓ ଧାର୍ମିକ ବିଦ୍ୟାଳୟଗୁଡ଼ିକୁ ସୁସଂଗତ ଫି ବୃଦ୍ଧି ନିୟନ୍ତ୍ରିତ, ସାର୍ବଜନୀନ କରିବା ସହିତ ଶିକ୍ଷା ଅଧିକାର ଆଇନ୍ ୨୦୦୯କୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ଏକ ଶକ୍ତ ଆଇନ୍ ସମ୍ମତ ନିୟନ୍ତ୍ରଣ ବ୍ୟବସ୍ଥା ରାଜ୍ୟ ସରକାର ଲାଗୁ କରିବା ନିମନ୍ତେ ସର୍ବଭାରତୀୟ ଅଭିଭାବକ ସଂଘ ଓଡ଼ିଶା ରାଜ୍ୟ କମିଟି ତରଫରୁ ସ୍ଥାନୀୟ ଇମେଜଠାରେ ଆହୂତ ଦୁଇଦିନିଆ କର୍ମଶାଳାରେ ପ୍ରସ୍ତାବ ପାଶ୍ କରାଯାଇଛି । ରାଜ୍ୟ ସଭାପତି ପ୍ରଦୀପ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ରାଜ୍ୟର ବିଭିନ୍ନ ସହରରୁ ବହୁ ସଂଖ୍ୟାରେ ଅଭିଭାବକ ସଂଘ ନେତୃତ୍ୱମାନେ ଯୋଗଦେଇ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଅଧିକ ସଶକ୍ତ ଓ ସାର୍ବଜନୀନ କରିବାକୁ ଦାବୀ ଉଠାଇଛନ୍ତି । ବିଶେଷ ବକ୍ତା ଭାବରେ ଯୋଗଦେଇ ବିଶ୍ୱ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଡ. ଅମିୟ ମହାନ୍ତି, ବେସରକାରୀ କଲେଜ ଶିକ୍ଷକ ସଂଘର ରାଜ୍ୟ ସମ୍ପାଦକ ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ଅକ୍ସଫାମର ଆଞ୍ଚଳିକ ପ୍ରାବନ୍ଧିକ ଶ୍ରୀ ଅକ୍ଷୟ କୁମାର ବିଶ୍ୱାଳ ଓ ସନ୍ତୋଷ କୁମାର ପାତ୍ର ସେମାନଙ୍କର ଗବେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ତଥା ଦେଶର ଘରୋଇକରଣ, ବଜାରୀକରଣ, ଶିକ୍ଷା ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରି ସରକାର ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରିଦେଇଛନ୍ତି ବୋଲି ଯୁକ୍ତି ଉପସ୍ଥାପନ କରି ଏହାର ସମାଧାନ ନିମନ୍ତେ ତୀବ୍ର ଜନଆନ୍ଦୋଳନର ଆହ୍ୱାନ ଦେଇଥିଲେ । ଏହି କର୍ମଶାଳାରେ ୧୦ ଦଫା ସମ୍ବଳିତ ଦାବିପତ୍ରକୁ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ଜିଲ୍ଲାରେ ଏ.ଆଇ.ପି.ଏ ସର୍ବଭାରତୀୟ ଅଭିଭାବକ ସଂଘକୁ ଦୃଢ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ନାୟକ ଓ ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦାଶ, ଶ୍ରୀମତୀ ଉଷାରାଣୀ ବେହେରାଙ୍କ ସମେତ ୧୮ଜଣ ଅଭିଭାବକ ନେତା ଆଲୋଚନାରେ ଭାଗନେଇ ନିଜର ମତ ଉପସ୍ଥାପନ କରିଥିଲେ ଓ ସଂଘକୁ ଦୁର୍ବାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିନିମନ୍ତେ ଏକ ୨୫ଜଣିଆ ରାଜ୍ୟ ଶାଖା ଗଠନ ହୋଇଥିଲା । ଶେଷରେ ଉପସଭାପତି ଶ୍ରୀ ନିହାର ରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।