ସରକାରୀ ସ୍କୁଲ ବନ୍ଦ ହେବ କାହିଁକି?
ଡ. ଜଗବଂଧୁ ଷଡଙ୍ଗୀ
ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଆମେ ଥାଉ ଛୋଟ ପିଲା । ଗାଁରେ ଥାଏ ଗୋଟିଏ ନିମ୍ନ ପ୍ରାଥମିକ ପାଠଶାଳା । ଚାଳ ଛପର ଘର । ତଳେ ଖଣ୍ଡେ ଖଣ୍ଡେ ତାଳପତ୍ର ଚଟେଇ ପକାଇ ବସୁଥିଲୁ । ଥାନ୍ତି ୩ ଜଣ ଶିକ୍ଷକ ୮/୧୦ ଖଣ୍ଡ ପାଖ ଗାଁ ପାଇଁ ଗୋଟିଏ ମାତ୍ର ସ୍କୁଲ । ପିଲା ସଂଖ୍ୟା ଯଥେଷ୍ଟ ଥିଲା । ତଥାପି ଆମ ଗାଁ କିମ୍ବା ପାଖ ଗାଁର କୌଣସି ପିଲା ଯଦି ଦିନେ କିମ୍ବା ୨ଦିନ ପାଇଁ ସ୍କୁଲରେ ଅନୁପସ୍ଥିତ ହେଉ ନଥିଲେ ତେବେ ଶିକ୍ଷକ ମାନେ ଜଣେ କିମ୍ବା ୨ଜଣ ସାଥୀ ଛାତ୍ରଙ୍କୁ ତାଙ୍କ ଘରକୁ ପଠାଇ ତାଙ୍କୁ ସ୍କୁଲକୁ ଆସିବାରେ ଅନୁପ୍ରାଣିତ କରୁଥିଲେ । ଆବଶ୍ୟକ ସ୍ଥଳେ ଜଣେ ଶିକ୍ଷକ ମଧ୍ୟ ଅନୁପସ୍ଥିତ ରହୁଥିବା ପିଲାଙ୍କ ଘରକୁ ଯାଇ ସେମାନଙ୍କୁ ସାଙ୍ଗରେ ଧରି ସ୍କୁଲକୁ ଆଣୁଥିଲେ । ସେତେବେଳେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର କିମ୍ବା ଅନ୍ୟ କିଛି ଯୋଜନା ନଥିଲା ।ସେ ସମୟରେ ଘରୋଇ ସ୍କୁଲ ନଥିଲା । ସରକାରୀ ସ୍କୁଲମାନଙ୍କରେ ଅନ୍ୟ ସ୍କୁଲରୁ ପ୍ରତିଯୋଗିତା ନଥିଲେ ମଧ୍ୟ ଶିକ୍ଷକମାନେ ସ୍କୁଲରେ ଭଲ ପାଠ ପଢାଉଥିଲେ ଓ ପ୍ରାଥମିକ ଶିକ୍ଷା ସହ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ଲାଭ କରି ପାରୁଥିଲେ । ପ୍ରାୟ ୭୦ ଦଶକ ବେଳକୁ ଘରୋଇ ଶିକ୍ଷାନୁଷ୍ଠାନ ମାନେ ଆସ୍ତେ ଆସ୍ତେ ଗଢି ଉଠିଲା ଓ ଶିକ୍ଷାକୁ ଏକ ବ୍ୟବସାୟ ରୂପେ ବ୍ୟବହାର କରାଗଲା । କୌଣସି ଶିକ୍ଷାନୁଷ୍ଠାନ ସରକାରୀ ଅନୁମତି ବିନା ଚାଲିପାରିବ ନାହିଁ । ଏସବୁ ସରକାର ଜାଣି ସୁଦ୍ଧା ଯେଉଁ ଅଞ୍ଚଳରେ ସରକାରୀ ସ୍କୁଲରେ ଯଥେଷ୍ଟ ପିଲାଙ୍କ ଉପସ୍ଥାନ ହେଉନି ସେ ଅଞ୍ଚଳର ସରକାର ପ୍ରୀୟା ପ୍ରୀତି ତୋଷଣ କରି ଘରୋଇ ସ୍କୁଲ ଖୋଲିବାକୁ ଅନୁମତି ଦେଉଛନ୍ତି । ବର୍ତ୍ତମାନ ପରିସ୍ଥିତି ଏପରି ହେଲା ଯେ, ପ୍ରଥମତଃ ସରକାରୀ ସ୍କୁଲମାନଙ୍କ ଉପରେ ଉପଯୁକ୍ତ ନିୟନ୍ତ୍ରଣ ଓ ସୁପରଭିଜନ ଅଭାବରୁ ଅନେକ ଶିକ୍ଷକ କ୍ଲାସରେ ପାଠ ପଢାରେ ତ୍ରୁଟି କରି ରାଜନୀତି ବା ବ୍ୟବସାୟରେ ମନ ଦେଲେ । ନିଜ ଘରେ କିମ୍ବା କୋଚିଙ୍ଗ ସେଣ୍ଟର ମାନଙ୍କରେ ଟ୍ୟୁସନ କରି ଓ ଟ୍ୟୁସନ ହେଉଥିବା ପିଲାଙ୍କୁ ଦୁର୍ନୀତି ଯୁକ୍ତ ଭାବେ ଭଲ ମାର୍କ ଦେଇ ପାଶ୍ କରାଇବାକୁ ଚେଷ୍ଟା କଲେ । ଏସବୁ କାରଣ ଯୋଗୁଁ ସରକାରୀ ସ୍କୁଲରେ ପାଠ ପଢାର ମାନ ତଳକୁ ତଳକୁ ଗଲା ଓ ତାର ସୁଯୋଗ ନେଇ ଘରୋଇ ସ୍କୁଲମାନେ ସରକାରୀ ସ୍କୁଲର ପିଲାମାନଙ୍କୁ ତାଙ୍କ ସ୍କୁଲରେ ପଢିବାକୁ ସୁଯୋଗ ସୃଷ୍ଟି କଲେ । ଭାବିଲେ ଦୁଃଖ ଲାଗେ ଯେ, ସରକାରୀ ସ୍କୁଲର ଶିକ୍ଷକମାନଙ୍କ ଠାରୁ ଯଥେଷ୍ଟ କମ୍ ଦରମା ପାଇ, ପେନସନ୍ ବ୍ୟବସ୍ଥା ନଥାଇ ମଧ୍ୟ ଘରୋଇ ସ୍କୁଲ ଶିକ୍ଷକମାନେ ଭଲ ପାଠ ପଢାଉଛନ୍ତି କିପରି? ଏ ଅବ୍ୟବସ୍ଥା ବିଷୟ କ’ଣ ସରକାର ଓ ରାଜନେତାମାନେ ବୁଝିପାରୁ ନାହାନ୍ତି? ସରକାରୀ ସ୍କୁଲରେ ବର୍ତ୍ତମାନ ଏପରି ଅବସ୍ଥା ଯେ, ପ୍ରାୟ ଶତକଡା ୧୦ପିଲା ଘରୋଇ ସ୍କୁଲରେ ପଢୁଥିଲେ ମଧ୍ୟ ସରକାରୀ ସ୍କୁଲ ସେମାନଙ୍କ ନାମ ସ୍କୁଲ ଖାତାରେ ଗଡାଇ ଚାଲୁଛନ୍ତି ଓ ସେମାନଙ୍କ ପାଇଁ ଆସୁଥିବା ସବୁ ସୁବିଧା ଓ ଖାଦ୍ୟ ପଦାର୍ଥ ମଧ୍ୟ ହରଣଚାଲ କରୁଛନ୍ତି ।
ବର୍ତ୍ତମାନ ରାଜ୍ୟ ସରକାର ହଜାର ହଜାର ସ୍କୁଲ ଆବଶ୍ୟକ ପିଲା ଅଭାବରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା କେତେ ଦୂର ଯଥାର୍ଥ ତାହା ସରକାର ଓ ରାଜ୍ୟବାସୀ ବିଚାର କରିବାର କଥା । ଏଣୁ କୌଣସି ସରକାରୀ ସ୍କୁଲ ବନ୍ଦ ନକରି ଉକ୍ତ ଅଞ୍ଚଳରେ ଥିବା ଘରୋଇ ସ୍କୁଲର ଅନୁମତି ରଦ୍ଦ କରିବା ଆବଶ୍ୟକ ଓ ତା ସଂଗେ ସଂଗେ ସରକାରୀ ସ୍କୁଲରେ ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେବା ସହ ଶିକ୍ଷାର ମାନ ଉନ୍ନତ କରିବା ଆବଶ୍ୟକ । ବର୍ତ୍ତମାନ ସମୟରେ ଉଚ୍ଚଶିକ୍ଷାରେ ସରକାରୀ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇ ସ୍ଥାନ ସଂରକ୍ଷଣ କରିବା ସହ ଅନ୍ୟାନ୍ୟ ସୁବଧା ସୁଯୋଗ ଓ ମାସିକ ବୃତ୍ତି ଆଦିିର ବ୍ୟବସ୍ଥା କରିବା ଆବଶ୍ୟକ । ବର୍ତ୍ତମାନ କିଛି ବର୍ଷ ପାଇଁ ସରକାରୀ ସ୍କୁଲରେ ନିଜ ପିିଲାଙ୍କୁ ପାଠ ପଢାଇଲେ ସରକାରୀ ଚାକରିଆଙ୍କ ଦରମାରେ ବାର୍ଷିକ ଇନକ୍ରିମେଣ୍ଟ ଦେବା ଆବଶ୍ୟକ । ସରକାରୀ ସ୍କୁଲରେ ପାଠପଢିି ଆମେମାନେ ନିମ୍ନ ମଧ୍ୟବିତ୍ତ ବା ଗରିବ କୃଷକ ଘରେ ଜନ୍ମ ହୋଇଥିଲେ ମଧ୍ୟ ଦେଶ ଓ ବିଦେଶରେ ଉଚ୍ଚଶିକ୍ଷା ଲାଭକରି ଉଚ୍ଚ ସରକାରୀ ପଦବୀ ଅଳଙ୍କୃତ କରିବାର ସୁଯୋଗ ପାଇପାରିଥିଲୁ । ମୋର ନିଜ ପୁଅ ମଧ୍ୟ ଓଡିଆ ମାଧ୍ୟମରେ ସରକାରୀ ସ୍କୁଲରେ ପଢି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇପାରିଛନ୍ତି ।ସରକାରୀ ସ୍କୁଲରେ ଉନ୍ନତ ଭିତ୍ତିଭୂମି, ଉନ୍ନତମାନର ଶିକ୍ଷା ସହ ନୈତିକ ଶିକ୍ଷା ପ୍ରଚଳନ କରିବାର ଆବଶ୍ୟକ ଏଣୁ ସରକାର ଶୀଘ୍ର ତାଙ୍କର ଶିକ୍ଷା ନୀତିରେ ପରିବର୍ତ୍ତନ କରିପାରିଲେ ସରକାରୀ ସ୍କୁଲମାନ ବନ୍ଦ ହେବାର ଆବଶ୍ୟକତା ପଡିବନି ।
ଅବସରପ୍ରାପ୍ତ ନିର୍ଦ୍ଦେଶକ,
ଶିଳ୍ପ ବିଭାଗ, ଓଡିଶା
(ମୋ) ୯୪୩୭୦୧୫୨୦୧


