ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ରାଜ୍ୟ  ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଲକ୍ ଡାଉନ ସମାପ୍ତ ପରେ ବାହାର ରାଜ୍ୟ ଫେରନ୍ତାଙ୍କୁ କିପରି ପରିଚାଳନା କରାଯିବ ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚ ମାନଙ୍କ ସହିତ ବିଚାର ବିମର୍ଶ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଆଲୋଚନାରେ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ଏହାକୁ ପରିଚାଳନା କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ବାହାରେ ଗଞ୍ଜାମର ଯେଉଁ ଲୋକମାନେ ଥିବେ ଏବଂ ମଇ୩ ତାରିଖ ପରେ ପ୍ରତ୍ୟାବର୍ତ୍ତନ କରିବେ ସେମାନଙ୍କୁ ବାହାର ରାଜ୍ୟ ଫେରନ୍ତା ଭାବରେ ବିବେଚନା କରାଯିବ। ଯେଉଁମାନେ ଫେରିବାକୁ ଇଚ୍ଛୁକ ସେମାନେ ସଂପୃକ୍ତ ସରପଞ୍ଚଙ୍କ ପାଖରେ ଆଗୁଆ ନାମ ପଞ୍ଜିକରଣ କରିବେ । ଯେଉଁମାନେ ପଞ୍ଜିକରଣ ନ କରି ଜିଲ୍ଲାକୁ ଫେରିବାକୁ ଚାହିଁବେ ସେମାନଙ୍କୁ ଆସିବାପାଇଁ ଅନୁମତି ଦିଆଯିବନାହିଁ । ଫେରନ୍ତା ବ୍ୟକ୍ତି ସିଧା ପଞ୍ଜିକରଣ କରିଥିବା ପଞ୍ଚାୟତର ନିରୂପିତ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ପହଞ୍ଚିବେ । ସେଠାରେ ସେମାନଙ୍କର ସ୍ବାସ୍ଥ୍ୟ ଯାଂଚ୍ କରାଯିବ । ଅସୁବିଧା ଥିଲେ ନମୁନା ଅଧିକ ପରୀକ୍ଷା ପାଇଁ ପଠାଯିବ । ସେଠାରେ ତାଙ୍କୁ ୧୪ ଦିନ କ୍ବାରେଣ୍ଟାଇନ୍ ରେ ରଖାଯିବ । ସକାଳେ, ମଧ୍ୟାହ୍ନରେ ଏବଂ ସଂଧ୍ୟାରେ କ୍ବାରେଣ୍ଟାଇନ୍ ବ୍ୟକ୍ତିଙ୍କ ଉପସ୍ଥାନ ସୁନିଶ୍ଚିତ କରାଯିବ । ସେମାନେ ପରିବାରର ଲୋକମାନଙ୍କ ସହିତ ମିଶିପାରିବେ ନାହିଁ । ଯେଉଁ ମାନେ କ୍ବାରେଣ୍ଟାଇନ୍ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ସରପଞ୍ଚ ଫୌଜଦାରୀ କାର‌୍ୟ୍ୟାନୁଷ୍ଠାନ କରିପାରିବେ । ପ୍ରତ୍ୟେକ କ୍ବାରେଣ୍ଟାଇନ୍ ବ୍ୟକ୍ତିଙ୍କୁ ମାଗଣା ଖାଇବା ପିଇବା ବ୍ୟବସ୍ଥା କରାଯିବ ଏବଂ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ରହିବ । କ୍ବାରେଣ୍ଟାଇନ୍ ଶେଷ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ପ୍ରଦାନ କରି ନିଜ ଘରକୁ ପଠାଇଦିଆଯିବ । କ୍ବାରେଣ୍ଟାଇନ୍ ରେ ରହିବା ପାଇଁ କୌଣସି ବୟସ ସମୟସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ପଞ୍ଚାୟତ ଅଧିନସ୍ଥ ଶିକ୍ଷାନୁଷ୍ଠାନ, ରାଜୀବଗାନ୍ଧୀ ସେବାକେନ୍ଦ୍ର, କଲ୍ୟାଣ ମଣ୍ଡପ, ଘରୋଇ ଶିକ୍ଷାନୁଷ୍ଠାନ, ଅଙ୍ଗଓ୍ବାଡି କେନ୍ଦ୍ର ଗୁଡିକ କ୍ହାରେଣ୍ଟାଇନ୍ କେନ୍ଦ୍ର ଭାବରେ ଅଧିଗ୍ରହଣ କରାଯିବ । ଏହା ରହିବାପାଇଁ ଯଥେଷ୍ଟ ନହେଲେ ଟେଣ୍ଟ ପକାଇ ସାମୟିକ ରହଣୀସ୍ଥଳୀ ବ୍ୟବସ୍ଥା କରାଯିବ . । ସେଠାରେ ପରିସ୍କାର ପରିଚ୍ଛନ୍ନତା, ସାନିଟାଇଜେସନ୍, ବିଦ୍ୟୁତ୍, ପାନୀୟଜଳ, ଶୌଚାଳୟ ସୁନିଶ୍ଚିତ କରାଯିବ । ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ ରହିବ । ସ୍ବତନ୍ତ୍ର ରୋଷେଇଆ ବ୍ୟବସ୍ଥା ହେବ । ସ୍ଥାନୀୟ ବ୍ଲକ୍ ଉନ୍ନୟନ ଅଧିକାରୀ କିମ୍ବା ତହସିଲଦାର ପ୍ରତ୍ୟେକ କ୍ବାରେଣ୍ଚଟାଇନ୍ କେନ୍ଦ୍ରକୁ ଦୈନିକ ଥରେ ଲେଖାଏଁ ପରିଦର୍ଶନ କରିବେ । ପଞ୍ଚାୟତରେ ଆଇନ ଶୃଙ୍ଖଳା ତହସିଲଦାର ଅନୁଧ୍ୟାନ କରିବେ ।
ସରପଞ୍ଚମାନେ ୩୦ ବର୍ଷରୁ କମ୍ ଦଶ ଜଣ ମହିଳା ଏବଂ ଦଶ ଜଣ ପୁରୁଷଙ୍କୁ ଚିହ୍ନଟ କରି ତାଙ୍କୁ କରୋନା ସମ୍ପର୍କିତ କାର‌୍ୟ୍ୟ କରିବାପାଇଁ ତାଲିମ୍ ଦେବେ । ମୁଖ ଆବୃତ କରିନଥିଲେ, ବାହାରେ ଛେପ ପକାଇଲେ, ପୋଖରୀରେ ଗାଧୋଇଲେ, ସାମାଜିକ ଦୂରତ୍ବ ବଜାୟ ନରଖିଲେ, ମାସ୍କ ନାହିଁ ତ ସଉଦା ନାହିଁ ନ ଲେଖିଲେ, ପାନ ଗୁଟଖା ବିକିଲେ, ପଞ୍ଚାୟତ କଥା ଅବମାନନା କଲେ ସରପଞ୍ଚ ତାଙ୍କୁ ଜୋରିମାନା କରିବା ସହିତ ତାଙ୍କ ନାମରେ ଏତେଲା ଦାୟର କରିପାରିବେ । କୌଣସି ବ୍ୟକ୍ତିର ଥଣ୍ଡାକାଶ ପରି ଲକ୍ଷଣ ଦେଖାଦେଲେ ସରପଞ୍ଚ ତାଙ୍କୁ ସ୍ଭାସ୍ଥ୍ୟକେନ୍ଦ୍ର ପଠାଇବା ବ୍ୟବସ୍ଥା କରିବେ । ଗ୍ରାମାଞ୍ଚଳରେ ନରେଗା କାମ ଚାଲୁଥିବାରୁ ସେଠାରେ ଶ୍ରମିକ ମାନଙ୍କ ସୁବିଧା ସରପଞ୍ଚ ଦେଖାରଖା କରିବେ । ମହାମାରୀ ଏବଂ ବିପର‌୍ୟ୍ୟୟ ପରିଚାଲନା ନିୟମ ମୁତାବକ ସରପଞ୍ଚ ମାନଙ୍କୁ କେତେକାଂଶରେ ଜିଲ୍ଲାପାଳଙ୍କ ଦାୟୀତ୍ବ ନ୍ୟସ୍ତ କରାଯାଇଥିବାରୁ ସେମାନେ ଏହାର ସଦ୍ ବ୍ୟବହାର କରିବେ ଏବଂ ଅସଦ୍ ବ୍ୟବହାର କଲେ କାର‌୍ୟ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ