ସରଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଅଭାବରୁ ଗେଟରେ ତାଲାପକାଇ ଧାରଣା ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ୍ ଡ଼ଅଁର ପଞ୍ଚାୟତ ସରଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଗେଟରେ ତାଲାପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ସହିତ ଅଭିଭାବକ ଓ ସ୍କୁଲ କମିଟ ର ସଦସ୍ୟ ମାନେ ମଧ୍ଯ ସାମିଲ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଯେ ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ପାଞ୍ଚଟି ଶ୍ରେଣୀରେ ୯୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ତିନିଜଣ ଶିକ୍ଷକ ରେ ବିଦ୍ୟାଳୟଟି ଚାଲୁଥିଲା। ଜଣେ ଶିକ୍ଷୟତ୍ରୀ ପ୍ରସବ କାଳୀନ ଛୁଟି ରେ ରହୁଥିବା ବେଳେ ଅନ୍ୟ ଜଣେ ବଦଳି ହୋଇଯିବା ପରେ ଦୀର୍ଘଦିନ ହେଲା ମାତ୍ର ଜଣେ ଶିକ୍ଷକରେ ବିଦ୍ୟାଳୟଟି ଚାଲୁଛି। ଫଳରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବା, ମଧ୍ୟାହ୍ନଭୋଜନ ଆଦି କାର୍ଯ୍ୟ ସମ୍ଭବ ହୋଇପାରୁନି । ଯାହାଦ୍ଵାରା ପିଲାମାନେ ସ୍କୁଲ ଆସି ଶିକ୍ଷାଲାଭରୁ ବଞ୍ଚିତ ହୋଇ ପାଠ ନପଢ଼ି ବସି ବସି ଘରକୁ ଫେରୁଛନ୍ତି। ଏହାକୁ ନେଇ ସ୍କୁଲ ପରିଚାଳନା କମିଟି ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା ଶିକ୍ଷାବିଭାଗ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁନି। ଏହାକୁ ନେଇ ପରିଚାଳନା କମିଟି ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ବିନୋଦ ଜେନା, ନାରାୟଣ ଚନ୍ଦ୍ର ଜେନା, ରୁଦ୍ର ନାରାୟଣ ସା, ଅତୁଲ କୁମାର ବେହେରା, ନବକିଶୋର ଭୋଇ, ଅନନ୍ତ ବରାଳ, ଗଦାଧର ନାୟକ, ବିଶ୍ୱରଞ୍ଜନ ପରିଡ଼ା, ପଦ୍ମନାଭ ଜେନା ପ୍ରମୁଖଙ୍କ ସହ ଗ୍ରାମବାସୀ ମାନେ ଛାତ୍ରଛାତ୍ରୀମାନଙ୍କୁ ଧରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଖବରପାଇ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ବଶିଷ୍ଠ ସହାୟକ ପ୍ରସନ୍ନ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ଜଣ ଜଣ କରି ଶିକ୍ଷକ ପଠାଉଥିଲେ ବି ସେମାନେ କାର୍ଯ୍ୟରେ ଯୋଗଦେଇ ପାରୁ ନାହାନ୍ତି। ଯାହାକୁ ନେଇ ସମସ୍ୟା ସୃଷ୍ଟି ହେଉଛି ବୋଲି କହିଥିଲେ। ଆସନ୍ତା ୨ତାରିଖ ଭିତରେ ଶିକ୍ଷକ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଗ୍ରାମବାସୀ ମାନେ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଛନ୍ତି।


