ସର୍ବକନିଷ୍ଠ ସରପଞ୍ଚ ଭାବେ ନିର୍ବାଚିତ ହେଲେ ଅଙ୍କିତା
ହାଟଡିହି, (ବିକାଶ ବିଶ୍ୱାଳ ) :ଚଳିତ ପଞ୍ଚାତ ନିର୍ବାଚନରେ ହାଟଡିହି ବ୍ଲକର ସର୍ବକନିଷ୍ଠ ସରପଞ୍ଚ ଭାବେ ଅଙ୍କିତା ପଢ଼ିଆରୀ ନିର୍ବାଚିତ ହୋଇଛନ୍ତି । ସେ ମାତ୍ର ୨୨ବର୍ଷ ବୟସରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ହୋଇଥିବାବେଳେ ବି.ଏସ.ସି ବିଇଡି ଶିକ୍ଷା ସମାପ୍ତ କରିବା ପରେ ଗ୍ରାମବାସୀ ଓ ପରିବାର ଲୋକଙ୍କ ପରାମର୍ଶକ୍ରମେ ମାତ୍ର ୨୨ବର୍ଷ ବୟସରେ ପ୍ରଥମଥର ନିର୍ବାଚନ ଲଢ଼ି ବାଙ୍ଗୋର ପଞ୍ଚାୟତରୁ ନିର୍ବାଚିତ ହୋଇଛନ୍ତି । ସେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବାରୁ କାଳେ ହାରିଯିବେ ସେଥିପାଇଁ ନର୍ଭସ ହୋଉଥିଲେ । କିନ୍ତୁ ପଞ୍ଚାୟତ ବାସୀଙ୍କ ଅକୁଣ୍ଠ ସହଯୋଗ କ୍ରମେ ସେ ବିଜୟୀ ହୋଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି । ସେ ନିଜ ପଞ୍ଚାୟତର ଥିବା ଅନେକ ସମସ୍ୟାକୁ ସମାଧାନ କରିବା ସହିତ ଲୋକଙ୍କ ମୌଳିକ ସୁବିଧା ସୁଯୋଗ ପ୍ରତି ପ୍ରାଥମିକତା ଦେବେ ବୋଲି କହିଛନ୍ତି । ବିଶେଷକରି ବାଙ୍ଗୋର ପଞ୍ଚାୟତର ଶିକ୍ଷା ବ୍ୟବସ୍ଥାକୁ ସେ ସୁଦୃଢ଼ କରିବାକୁ ଯୋଜନା ରଖିଥିବା କହିଛନ୍ତି ।