ସର୍ବସାଧାରଣ ଜମିକୁ ପୋଲିସ୍ ବିଭାଗଦ୍ୱାରା ବେଆଇନ୍ ଦଖଲର ପ୍ରତିବାଦ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ଉପକଣ୍ଠରେ ଥିବା ରେମୁଣା ତହସିଲ ଅଧୀନ କରଞ୍ଜିଆ ପଞ୍ଚାୟତସ୍ଥିତ ଫକୀରମୋହନ ନଗରରେ ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ଥିବା ଏ୧.୦୫ଡେସିମିଲ୍ ଜମିକୁ ପୋଲିସ୍ ବିଭାଗ ତରଫରୁ ବେଆଇନଭାବେ ଦଖଲ କରୁଥିବା ଅଭିଯୋଗ କରି ସ୍ଥାନୀୟ ବିକାଶ ପରିଷଦ ପକ୍ଷରୁ ରବିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । କରଞ୍ଜିଆ ମୌଜାର ୟୁନିଟ୍‌-୬ର ସାବକ ଖାତା ନଂ ୩୪୭ ଓ ସାବକ ପ୍ଲଟ୍ ନଂ ୮୫, ୩୫୫ ଓ ୩୫୬ ଏବଂ ହାଲ୍ ଖାତା ନଂ ୨୨୬, ହାଲ୍ ପ୍ଲଟ୍ ନଂ ୨୫୯ରେ ଥିବା ଏ୧.୦୫ଡେସିମିଲ୍‌କୁ ପୋଲିସ୍ ବିଭାଗ ପକ୍ଷରୁ ବେଆଇନ୍ କାଗଜପତ୍ର ପ୍ରସ୍ତୁତ କରାଯାଇ ଏହାକୁ ଦଖଲ କରିବାପାଇଁ ଉଦ୍ୟମ ହେବା ପରେ ପରିଷଦ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତଭାବେ ପ୍ରତିବାଦ ଜଣାଇଥିଲେ ମଧ୍ୟ ପୋଲିସ୍ ବିଭାଗ ଏହି ପ୍ଲଟ୍ ଉପରେ ସ୍ଥାୟୀ ପକ୍କାଗୃହ ନିର୍ମାଣ କାର୍ଯ୍ୟ ଚଳାଇରଖିଛନ୍ତି । ଏହି ଘଟଣାରେ ବାଲେଶ୍ୱର ବନ୍ଦୋବସ୍ତ ଯୁଗ୍ମ କମିଶନରଙ୍କ ନିକଟରେ ଏକ ମୋକଦ୍ଦମା (ଆର.ପି. ୪୨/୨୦୨୩) ବିଚାରାଧୀନ ଥିବାବେଳେ ପୋଲିସ୍‌ର ଏହି ବେଆଇନ୍ ନିର୍ମାଣକାର୍ଯ୍ୟକୁ ସ୍ଥାନୀୟ ଅଧିବାସୀ ଦୃଢ଼ ବିରୋଧ କରିଆସୁଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ଉକ୍ତ ଜମିକୁ ବିଭିନ୍ନ ସାମାଜିକ କାର୍ଯ୍ୟ ଓ ପୂଜା ପାର୍ବଣ, ପିଲାମାନଙ୍କ ଖେଳ ପଡ଼ିଆ ଭାବେ ଦୀର୍ଘ ୨୫/୩୦ବର୍ଷ ଧରି ବ୍ୟବହାର କରିଆସୁଥିଲେ । ସେଠାରେ ଏକ ନଳକୂପ ୧୯୯୯-୨୦୦୦ ମସିହାରେ ତତ୍‌କାଳୀନ ଜିଲ୍ଲାପାଳ ଗ୍ରାମବାସୀଙ୍କ ପାନୀୟଜଳ ବ୍ୟବହାର ପାଇଁ ଖନନ କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ବ୍ୟବହାର ହୋଇଆସୁଥିଲା । ତାହାକୁ ପୋଲିସ୍ ବିଭାଗ ସର୍ବସାଧାରଣ ବ୍ୟବହାର ପାଇଁ ନିଷେଧ କରି ପାନୀୟଜଳକୁ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ସେଠାରେ ଅଙ୍ଗନୱାଡ଼ି ସେଣ୍ଟର, କମ୍ୟୁନିଟି ହଲ୍ ଏବଂ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାପାଇଁ ଗ୍ରାମବାସୀମାନେ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ବହୁବାର ଅନୁରୋଧ କରିଆସୁଛନ୍ତି । ଉକ୍ତ ଅଞ୍ଚଳରେ ଏହି ପରିମିତର ଅନ୍ୟ କୌଣସି ସରକାରୀ ଭୂସମ୍ପତ୍ତି ନଥିବାରୁ ସର୍ବସାଧାରଣଙ୍କର ଏହା ଏକମାତ୍ର ଭରସା ଥିଲା । ପୋଲିସ୍‌ର ବେଆଇନ୍ କାଗଜପତ୍ର ଓ ବ୍ରିଟ୍‌ର ବିନା ଅନୁମତିରେ ଏହି ନିର୍ମାଣ କାର୍ଯ୍ୟ ଫଳରେ ସ୍ଥାନୀୟ ଅଧିବାସୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ବ୍ୟାପକ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ସଚୀନ୍ଦ୍ର ଦାସ, ସଂପାଦକ ଅଶୋକ କୁମାର ଦାସ, ଉପଦେଷ୍ଟା ଡ. କ୍ଷିତୀଶ୍ୱର ଦାଶଙ୍କ ସମେତ ସ୍ଥାନୀୟ ସରପଞ୍ଚ ମୁକୁନ୍ଦଭାରତୀ ଓ ଲକ୍ଷ୍ମୀନାରାୟଣ ପଣ୍ଡା, ଚିତ୍ତରଂଜନ ବାରିକ, କ୍ୟାପ୍‌ଟେନ୍ ଚନ୍ଦ୍ରମଣି ମହାପାତ୍ର, ସବିତା ମିଶ୍ର, ରଞ୍ଜିତା ରଣସିଂହ, ଜଗନ୍ନାଥ ସାମଲ, ପଦ୍ମଲୋଚନ ପାଣିଗ୍ରାହୀ ପ୍ରମୁଖ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ