ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ର
ମାୟାଧର ନାୟକ
ସଂପ୍ରତି ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ର ଦ୍ୱାରା ଓଡ଼ିଶାର କଳା-ସଂସ୍କୃତି-ସାହିତ୍ୟଜଗତ ସଂପୂର୍ଣ୍ଣ କ୍ଷତବିକ୍ଷତ । ଏହି ପରିପ୍ରେକ୍ଷୀରେ ଦେଶ ଓ ପ୍ରଦେଶର ନାଗରିକ-ସମାଜ କିନ୍ତୁ ପ୍ରତିକ୍ରିୟାହୀନ । ଏହାର ମୁଖ୍ୟକାରଣ ତିନୋଟି – ପ୍ରଥମତଃ, ନାଗରିକ ଜୀବନଶୈଳୀକୁ ବର୍ତ୍ତମାନ ବହୁଳାଂଶରେ ନିୟନ୍ତ୍ରିତ କରୁଛି ସୁସ୍ଥ ରୁଚିସଂପନ୍ନ ସଂସ୍କୃତି ନୁହେଁ, ଅସୁସ୍ଥ ଦୁର୍ନୀତିଗ୍ରସ୍ତ ଅର୍ଥନୀତି । ପଣ୍ୟସାମଗ୍ରୀର ତାଲିକାରୁ ଏବେ ପୁସ୍ତକ, ପଟଚିତ୍ର ଇତ୍ୟାଦି ବାଦ୍ପଡ଼ି ସେସବୁ ବଦଳରେ ଜାଗା ଜବରଦଖଲ କଲାଣି ସୌଖୀନ୍ ପ୍ରସାଧନଦ୍ରବ୍ୟ, ନିଶାବଟିକା ଓ ମୋବାଇଲ୍ ଫୋନ୍ ଇତ୍ୟାଦି । ଫେସନ୍ ସୋ, ପର୍ଣ୍ଣୋ ଭିଡ଼ିଓ, ବ୍ଲୁ ଫିଲ୍ମର ପ୍ରସାର ତ କେବଠୁ ମନୋରଂଜନର ମୁଖ୍ୟ ମାଧ୍ୟମ । ବଡ଼ବଡ଼ କମ୍ପାନୀଗୁଡ଼ିକ କୋଟିକୋଟି ଟଙ୍କା ଦେଇ ସିନେଷ୍ଟାରମାନଙ୍କୁ ନୈତିକ ଓ ସାମାଜିକ ହାନିକାରକ ପଣ୍ୟବିଜ୍ଞପ୍ତିର ପ୍ରବକ୍ତା କରାଇସାରିଲେଣି । ନାଗରିକସମାଜର ମଡେଲ୍ ଆଉ ଗାନ୍ଧି, ଗୋପବନ୍ଧୁ, ସୁଭାଷ, ମାର୍ଟିନ୍ ଲୁଥର କିଙ୍ଗ୍ ନୁହନ୍ତି, ବରଂ ଦୁର୍ନୀତିଗ୍ରସ୍ତ ରାଜନେତା, ବ୍ୟଭିଚାରୀ-ଭ୍ରଷ୍ଟାଚାରୀ ରସିକନାଗର, ରୂପେଲିପରଦାର ନକଲି ନାୟକନାୟିକାଙ୍କଠାରୁ ଆରମ୍ଭ କରି ମୁନାଫାଖୋର୍ ଶିଳ୍ପପତିମାନଙ୍କ ପର୍ଯ୍ୟନ୍ତ ରୁଚିବିକୃତ ବହୁ ଅପଚରିତ୍ର । ଦ୍ୱିତୀୟତଃ, ଏକ ବିଡ଼ମ୍ବନାମୟ ଶିକ୍ଷାବ୍ୟବସ୍ଥାର ପ୍ରବର୍ତ୍ତନ ଦ୍ୱାରା ସାରାଦେଶରେ ବର୍ତ୍ତମାନ ଦ୍ରୁତଗତିରେ ପରିବର୍ଦ୍ଧିତ ହୋଇଚାଲିଛି ଏକପ୍ରକାର ମାରାତ୍ମକ ଆତ୍ମସର୍ବସ୍ୱ ଦୃଷ୍ଟିଭଙ୍ଗୀ – ଯାହାକୁ ଆମେ ଏଠାରେ ସୂଚାଉଥିବା ସାଂସ୍କୃତିକ ଷଡଯନ୍ତ୍ରର ଆଉ ଏକ ସାଂଘାତିକ ଦିଗ । ଏବର ସିଲାବସ୍ର ପୃଷ୍ଠାଗୁଡ଼ିକୁ ଆଖି ପକାଇଲେ ଜାଣିହେବ ଯେ ଛାତ୍ରଛାତ୍ରୀମାନଙ୍କ ସୂକ୍ଷ୍ମରୁଚିର ବିକାଶପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ସ୍ଥୂଳଲକ୍ଷ୍ୟର ଲାଳନ ଉଦ୍ଦେଶ୍ୟରେ ଉଚ୍ଚ ବେତନଭୋଗୀ କର୍ମନିଯୁକ୍ତି ପ୍ରତି ଅଧିକ ଆଗ୍ରହ ସୃଷ୍ଟି ଏହି ଶିକ୍ଷାବ୍ୟବସ୍ଥାର ଭିତିରି ଉଦ୍ୟମ କହିଲେ ଚଳେ । ଦେଶକୁ ନୁହେଁ, ଜାତିକୁ ନୁହେଁ, ନିଜର କ୍ୟାରିୟର୍କୁ ଗଢ଼ – ଆମ ଛାତ୍ରସମାଜର ଅବଚେତନରେ ଏହି ଆଭିମୁଖ୍ୟ ଏବେ ଉତ୍କଟ ବିଷଧର ପରି ଉତ୍ଫଣ! ଆଜି ଯଦି ଗାନ୍ଧି ଆସି ଆଉଗୋଟିଏ ମୁକ୍ତିସଂଗ୍ରାମ ତଥା ଅସଲ ଅର୍ଥନୈତିକ ମୁକ୍ତିସଂଗ୍ରାମର ଡାକରା ଦିଅନ୍ତି ଆଉ ଏଥିପାଇଁ ଆମ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଛାଡ଼ି ସଂଗ୍ରାମର ମଇଦାନରେ ଉତୁରି ଆସିବାକୁ ଯୋଡ଼ହସ୍ତରେ ନିବେଦନ କରନ୍ତି, ତା’ହେଲେ ତାଙ୍କୁ ତୁରନ୍ତ ଏ ସ୍ୱାଧୀନ ଦେଶର ଗାରଦ ଭିତରକୁ ନେଇଯାଇ ଥଇଥାନ କରାଇବାରେ ଆମ ହାକିମବାବୁଏ ମୁହୂର୍ତ୍ତେ ଡେରି କରିବେନାହିଁ ବୋଧହୁଏ! ଆମର ଶିକ୍ଷାବ୍ୟବସ୍ଥା ଆମକୁ ଶିଖାଉଛି ସୁନାପଞ୍ଜୁରିର ଶୁଆଶାରୀ ହେବାକୁ, ଦେଶମାଟି ପାଇଁ ମୁଷ୍ଟିଉତ୍ତୋଳନ କରି ଜେଲ୍ଖାନାର ଘରଛଡ଼ା ସଂସାରୀ ହେବାକୁ ନୁହେଁ । ଲକ୍ଷ୍ୟ କରାଯିବାର କଥା ଯେ କିପରି କ୍ରମେକ୍ରମେ ଏହି ଶିକ୍ଷାବ୍ୟବସ୍ଥା ଆମ ନାଗରିକ-ସମାଜକୁ ଗୁଡ଼ିଏ ମସ୍ତକହୀନ କବନ୍ଧର ମିଶାଣଫଳ କରିସାରିଛି – ମସ୍ତକ ତ ନାହିଁ, ମନପ୍ରାଣଆତ୍ମା କି ହୃଦୟ ବି କାହିଁ? ତୃତୀୟତଃ, ଏହି ସାଂସ୍କୃତିକ ଷଡ଼ଯନ୍ତ୍ରର ବିହନକୁ ମସ୍ତବଡ଼ ଫସଲକ୍ଷେତରେ ପରିଣତ କରିକରାଇବା କାର୍ଯ୍ୟକ୍ରମଟିକୁ ଖୋଦ୍ ନିଜର ଅଗ୍ରାଧିକାରଭିତ୍ତିକ କର୍ତ୍ତବ୍ୟ ବୋଲି ପ୍ରାୟ ପଚିଶ, ତିରିଶବର୍ଷ ତଳୁ ଗ୍ରହଣ କରିନେଇଛନ୍ତି ଏ ଦେଶର ଅଧିକାଂଶ ଜାତୀୟ ଓ ଆଞ୍ଚଳିକ ଖବରକାଗଜ – ଗଣମାଧ୍ୟମ – ନ୍ୟସ୍ତସ୍ୱାର୍ଥ ପୁଂଜିବାଦୀ ବ୍ୟବସ୍ଥାର ଭତ୍ତାଭୋଗୀ ମୁଖପତ୍ରସବୁ । ଏହାର ପ୍ରଧାନ କାରଣ ହେଉଛି ଆମ ଦେଶର ବହୁଦଳୀୟ ରାଜନୀତିର ନକାରାତ୍ମକ ମାନସିକତା ଓ ତଥାକଥିତ ଗଣତନ୍ତ୍ରର ଆପାତସହିଷ୍ଣୁ ନିଷ୍ଫଳ ଉଦାରତା । ବ୍ୟକ୍ତିତ୍ୱ ନୁହେଁ – ସଂକୀର୍ଣ୍ଣ ଗୋଷ୍ଠୀବାଦ ଦ୍ୱାରା ସଂସଦୀୟ ଗଣତନ୍ତ୍ର ନିୟନ୍ତ୍ରିତ । ଯେଉଁମାନଙ୍କୁ ଆମେ ଏ ଦେଶରେ ବୁଦ୍ଧିଜୀବୀ ବା ଚିନ୍ତକ ବୋଲି ଗଣା କରୁ ସେମାନେ ଜନସ୍ୱାର୍ଥ ନୁହନ୍ତି, ବରଂ ଶାସନତନ୍ତ୍ରର ସ୍ୱାର୍ଥ ସପକ୍ଷରେ ଜଣେଜଣେ ସ୍ପଷ୍ଟ ସ୍ୱାକ୍ଷରଦାତା । ସାପ ନ ମରୁ କି ବାଡ଼ି ନ ଭାଙ୍ଗୁ ନୀତିରେ ବର୍ଷବର୍ଷ ଧରି ବଳବତ୍ତର ରହିଆସିଛି ଭାରତୀୟ ବୁଦ୍ଧିଜୀବିତ୍ୱ! ବିଡ଼ମ୍ବନାର କଥା ଯେ ଏହିପ୍ରକାର ବଛାବଛା ଭଡ଼ାଟିଆ ବୁଦ୍ଧିଜୀବୀଙ୍କୁ ଗଣମାଧ୍ୟମର ପୋଷାହାତୀ କରାଇ ବିପ୍ଳବର ବଣୁଆ ହାତୀମାନଙ୍କୁ ଖେଦାରେ ପୂରାଇବାର ଷଡ଼ଯନ୍ତ୍ର ଏବକୁ ଆହୁରି ସକ୍ରିୟ ହେବାରେ ଲାଗିଛି । ଏମାନଙ୍କ ମୁଖ୍ୟଭାଷା ହେଉଛି ଜନସାଧାରଣଙ୍କ ଭାଷାଠାରୁ ବହୁଦୂରବର୍ତ୍ତୀ ଇଂରାଜୀଭାଷା – ଯାହା ଏଯାବତ ଏ ସ୍ୱାଧୀନଦେଶର ଏମୁଣ୍ଡୁ ସେମୁଣ୍ଡଯାଏଁ ଶାସନର ଭାଷା! କେବଳ ଏକମାତ୍ର ଭାଷା ଇଂରାଜୀ ଭାଷାରେ ହିଁ ଏହି ବିଶାଳ ଭୂଖଣ୍ଡର ଭିନ୍ନଭିନ୍ନ ଜନଭାଷୀ ସାଧାରଣ ସମୁଦାୟକୁ ବେଶ୍ ଆରାମରେ ଶାସନ କରିହେବ ବୋଲି ଏକପ୍ରକାର ବିଧିବଦ୍ଧ ନକାରାତ୍ମକ ମାନସିକତା ଆମ ଦେଶୀ ଶାସକ/ପ୍ରଶାସକ ଚକ୍ରଦ୍ୱାରା ସୁପରିକଳ୍ପିତ ଭାବରେ କାର୍ଯ୍ୟକାରୀ ହୋଇଆସୁଛି । ଏହାଦ୍ୱାରା ଏ ଦେଶର ଆଞ୍ଚଳିକ ଭାଷାଗୁଡ଼ିକ ପ୍ରତି ଅଣହେଳା ଓ ଅବହେଳାର ଏକ ଅନ୍ଧକାରଯୁଗ କାଏମ୍ ରହିଛି । ଆଞ୍ଚଳିକ ସାହିତ୍ୟ ତାର ନିଜସ୍ୱ ମର୍ଯ୍ୟାଦା ଓ ମୌଳିକତା ପ୍ରଦର୍ଶନ କରିନପାରି ଏକ ଏକ ଉପେକ୍ଷିତ ଉପଦ୍ୱୀପରେ ପରିଣତ ହୋଇଛି । ଆଞ୍ଚଳିକ କଳାବିତ୍/ସଂସ୍କୃତିବିତ୍/ସାହିତ୍ୟବିତ୍ ଦାରିଦ୍ର୍ୟ ଦୁସ୍ଥିତିର ଶିକାର ହୋଇ ସେମାନଙ୍କର ଦୟନୀୟ ସାମାଜିକ ଭାବମୂର୍ତ୍ତିକୁ ବାଧ୍ୟତଃ ମାନିନେଇଛନ୍ତି । ଭାରତୀୟ ଇଂରାଜୀ ଲେଖକ/ଲେଖିକାଙ୍କ ତୁଳନାରେ ଏକ ବଂଚିତ ଓ ପ୍ରବଂଚିତ ଶ୍ରେଣୀ ହୋଇ ରହିଆସୁଛନ୍ତି । ଏହି ସାଂଘାତିକ ସାଂସ୍କୃତିକ ଷଡଯନ୍ତ୍ରର ସମ୍ବିଧାନୀ ସୂତ୍ରସବୁ କଳାସଂସ୍କୃତିସାହିତ୍ୟର ଛିନ୍ନବିଚ୍ଛିନ୍ନ ସମାଜକୁ ମଧ୍ୟ ଶୋଚନୀୟ ଭାବରେ ଶ୍ରେଣୀବିଭକ୍ତ କରିସାରିଲାଣି! କିଏ ନ ଜାଣେ, କିଏ ଅନୁଭବ ନ କରେ ଏ କରୁଣସତ୍ୟ? ମାତ୍ର କାହିଁକି ଏ ଦିଗରେ ନିରାକରଣର ନିପୁଣ ନୀତିନିୟନ୍ତାମାନେ ମୌନବ୍ରତୀ? ଏଇଥିପାଇଁ ଯେ ଏହି ଇଂରାଜୀଭାଷାଟା ହେଉଛି ବିଶ୍ୱବ୍ୟାପୀ ବଣିକବ୍ୟାପାରୀ ଭାଷା – ହିସାବର ଭାଷା, – ଯାହାକୁ ଆମେ ଏ ଦେଶରେ ଶାସନର ଭାଷା ଭାବରେ ବଞ୍ଚାଇ ରଖିଥିବାଯାଏଁ ଆମ ତେରନଈର ଡଙ୍ଗା ଆଉ ସାତସମୁଦ୍ରର ବୋଇତଗୁଡ଼ାକୁ ସୁରୁଖୁରୁରେ ଚଳାଇରଖିହେବ । ବିଶ୍ୱ ଅର୍ଥନୀତିର ବଜାରରେ ଭାରତୀୟ ଟଙ୍କାର ମାନମହତ ପଛେ ତଳକୁ ଥାଉ କି ଦୁନିଆଦାରିର ଦୋକାନରେ ଭାରତୀୟ ସଂସ୍କୃତିର ଭାବମୂର୍ତ୍ତି ପଛେ ରସାତଳକୁ ଯାଉ – ବଣିକର ଭାଷା ବଜାୟ ରହିଥାଉ : ସାଂଘାତିକ ସାଂସ୍କୃତିକ ଷଡଯନ୍ତ୍ରକାରୀମାନଙ୍କର ଏହା ହିଁ ହେଉଛି ଅଲିଖିତ ଇଚ୍ଛାପତ୍ର – ଏ ଦେଶର ଉତ୍ତରପିଢ଼ି ନିମନ୍ତେ ଯାହା ଉଦ୍ଦିଷ୍ଟ ଓ ଉତ୍ସର୍ଗୀକୃତ! ଏପରିକି ଏ ଦେଶର ଜାତୀୟ ସଂଗୀତରୂପେ ଗୃହୀତ ରବୀନ୍ଦ୍ରନାଥଙ୍କ ଜନଗଣମନକୁ ମଧ୍ୟ ଏହି ଷଡ଼ଯନ୍ତ୍ରକାରୀମାନେ ଚାଲୁ ଇଂରାଜୀ ଭାଷାରେ ଅନୁବାଦ କରାଇ ଜନମଞ୍ଚରେ ଗାୟନ ଉଦ୍ଦେଶ୍ୟରେ ଦିନେ ଯେ ସମ୍ବିଧାନ ସଂଶୋଧନପୂର୍ବକ ବରାଦୀ ବ୍ୟବସ୍ଥା ଖଞ୍ଜିରଖିଯିବେ – ଏ କଥା ସୁଦ୍ଧା ଯଦି କେହି ଏବଠୁ ଭାବିବସିବେ, ତା’ହେଲେ ସେମାନଙ୍କ ଭାବନାକୁ ଭୁଲ୍ କହି ଏଡ଼ାଇ ଦେଇହେବ ନାହିଁ! ସଂପ୍ରତି ୨୦୧୮ ମସିହାରେ ଜ୍ଞାନପୀଠ ପୁରସ୍କାରଘୋଷଣା ପ୍ରତି କାନ ଡେରିଲେ ଉପରୋକ୍ତ ଉକ୍ତିକୁ ନେଇ ମନକୁ ବେଶ୍ ଘେନିପାରେ ଏସବୁ ଉପାୟନୀ ଉତ୍ସବଗତ ଉପଲବ୍ଧି । ୫୩ ବର୍ଷର ଏହି ପୀଠ-ପୁରସ୍କାର ପରମ୍ପରାରେ ବ୍ୟତିକ୍ରମ ଘଟାଇ ଏଇ ପ୍ରଥମ ଥରହିଁ ଇଂରାଜୀଭାଷାକୁ ପୁରସ୍କାର ପରିସରଭୁକ୍ତ କରାଯାଇଛି ଏବଂ ୫୪ ତମ ଜ୍ଞାନପୀଠ ପୁରସ୍କାର ପ୍ରାପକ ହୋଇଛନ୍ତି ଇଂରାଜୀ ଭାଷାରେ ବହି ଲେଖୁଥିବା ଅମିତାଭ ଘୋଷ । ଏପ୍ରକାର ବ୍ୟତିକ୍ରମ – ଅର୍ଥାତ୍ ଜ୍ଞାନପୀଠ ପୁରସ୍କାର ଚୟନ କ୍ଷେତ୍ରରେ ଇଂରାଜୀ ଭାଷାପ୍ରତି ଏଥର ଏ ସାହାଣମେଲା ଶୁଭଦାନଟାକୁ ଉତ୍ତରଭାରତର ବୁଦ୍ଧିଜୀବୀ ମହଲ ଯେତେ ନାସିକା କୁଞ୍ଚନ କଲେ ମଧ୍ୟ ଶିଳ୍ପପତି ପୃଷ୍ଠପୋଷକତାପ୍ରାପ୍ତ ସାଂସ୍କୃତିକ ଦୃଷ୍ଟିକୋଣରେ ସେପରି ସରକରାତ୍ମକ ପରିବର୍ତ୍ତନ କିଛି ହେବାର ନାହିଁ । ଏହାର କାରଣ ତତଲାପାଣିରେ ଯେପରି ଘର ପୋଡ଼ିଯାଇ ପାରେନା, ସେହିପରି ନିଷ୍ଫଳ କ୍ରୋଧରୁ କେବେ ସଫଳ କ୍ରାନ୍ତିର ଫଳ ଫଳାଯାଇ ପାରେନା । ତା’ଛଡ଼ା ଜଣେ ଶିଳ୍ପପତିଙ୍କ ଦ୍ୱାରା ପ୍ରବର୍ତ୍ତିତ ପୁରସ୍କାରକୁ ଏ ଦେଶର ସର୍ବୋଚ୍ଚ ସାରସ୍ୱତ ପୁରସ୍କାର ରୂପେ ବିବେଚନା କରିଆସୁଥିବା ବୁଦ୍ଧିଜୀବୀମାନଙ୍କ ‘ବୁଦ୍ଧି’ ଯେ ବାମ ହେଲାଣି – ଏ ଅପ୍ରିୟ ସତ୍ୟ ପ୍ରକଟ ନକରି ଆମେ କାହିଁକି ପୁରସ୍କାରକୁ ହିଁ ସାହିତ୍ୟର ମାପକାଠି ବୋଲି ଧରିନେଉଥିବାର ପାପ ବଢ଼ାଇଚାଲିଥିବା? ଏଠାରେ ସ୍ମରଣଯୋଗ୍ୟ ଯେ ଏକଦା ଏହି ଶିଳ୍ପପତି ସଂସ୍ଥା ପ୍ରାୟୋଜିତ ଜ୍ଞାନପୀଠ ପୁରସ୍କାର-ତାଲିକାରୁ ବିଶ୍ୱବିଖ୍ୟାତ ବିଦ୍ରୋହୀ କବି କାଜି ନଜରୁଲ ଇସଲାମଙ୍କ ନାମକୁ ମଧ୍ୟ କାଟିଦିଆଯାଇଥିଲା! କଣ ନଜରୁଲ ଛୋଟ ହୋଇଯିବେ ନା ପୀଠପୁରସ୍କାରପ୍ରାପ୍ତ କୌଣସି ଲୋକଙ୍କ ଲେଖା ନଜରୁଲଙ୍କ ଅମର କାବ୍ୟକୃତିଠୁ ବଡ଼ ହୋଇଯାଇପାରିବ କେବେ? ୨୦୧୮ର ଘୋଷିତ ପୁରସ୍କାର ତାଲିକାରୁ ମଧ୍ୟ ସଦ୍ୟବିଜେତାଙ୍କଠାରୁ ବୟସରେ ପ୍ରାୟ ୨୨ ବର୍ଷ ବଡ଼ ଓ କାହିଁ କେଉଁଦିନୁ ଇଂରାଜୀ ଭାଷାରେ କଥାକୃତି ରଚନା କରି ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ମନୋଜ ଦାସଙ୍କୁ କାଟି ଦିଆଯାଇଛି – ଏହା କିଛି କମ୍ ଆଶ୍ଚର୍ଯ୍ୟର କଥା ନୁହେଁ – କିନ୍ତୁ ଜୁରୀ କମିଟୀକୁ ଜେରା କରାଯିବାପାଇଁ କେହି ଏବେ ଏ ସଂକ୍ରାନ୍ତରେ ସାମାନ୍ୟତମ ସ୍ୱର ଉଠାଉଛନ୍ତି କି? ଅନ୍ଧକୂପଖନନକାରୀମାନଙ୍କ ସବୁ ସୁବନ୍ଦୋବସ୍ତର ଖସଡ଼ା ତ ସେଦିନଠାରୁ ତିଆରି ସରିଲାଣି, ଯେଉଁଦିନଠୁ ଆମ ମୁକ୍ତିସଂଗ୍ରାମର ମହାପାତ୍ରମାନେ ସର୍ତ୍ତହୀନ ଭାବରେ ମାନିନେଇଛନ୍ତି ଶାସନ ଓ ପ୍ରଶାସନ ମଧ୍ୟରେ ରୁଦ୍ଧକକ୍ଷରେ ସ୍ୱାକ୍ଷରିତ ହୋଇଥିବା ଗୁପ୍ତ ଚୁକ୍ତିପତ୍ରଟାକୁ! ଜନଗଣଙ୍କୁ ଶିଳ୍ପପତି/ବ୍ୟବସାୟୀବର୍ଗ ଯେପରି ‘ଗରାଖ’ ଦୃଷ୍ଟିରେ ଦେଖନ୍ତି, ଶାସକରାଜନୀତିକ ନେତୃବର୍ଗ ସେହିପରି ‘ଭୋଟର’ ନଜରରେ ତଉଲନ୍ତି – ପ୍ରଶାସନର ଦୁଃଶାସନୀ ଦଳ ତେଣୁ ଏ ଦୁର୍ଭାଗା ଦେଶବାସୀଙ୍କୁ ଶୋଷଣଯନ୍ତ୍ରର ‘ଜାଳେଣୀ’ ଦୃଷ୍ଟିରେ ନଦେଖିବେ କାହିଁକି?
ତିନିତୁଣ୍ଡରେ ଛେଳିକୁ କୁକୁର କଲାଭଳି ଭାରତୀୟ ସମାଜରେ ଭାରତର କଳା-ସଂସ୍କୃତି-ସାହିତ୍ୟକୁ ଆମର ବଣିକ-ଶାସକ-ପ୍ରଶାସକ ମେଣ୍ଟ ମସ୍ତବଡ଼ ଗୋଟାଏ ଗୋଟାଏ ଉପହାସ୍ୟକର ଦ୍ରବ୍ୟରେ ରୂପାନ୍ତରିତ କରି ଚାଲୁଛନ୍ତି – କାଏମ୍ ରଖିଛନ୍ତି ନିଜ ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରର ବହୁସୂତ୍ରୀ କାର୍ଯ୍ୟକ୍ରମଟାକୁ । ଏହି ବିଚାରରୁ ବର୍ତ୍ତମାନଯାଏଁ ବଳବତ୍ତର ଥିବା ଏସବୁ ପ୍ରଦୂଷିତ ପୁରସ୍କାର-ପ୍ରଥା – ତାହା ରାଜ୍ୟ ହେଉ, କେନ୍ଦ୍ର ହେଉ କିମ୍ବା ଶିଳ୍ପପତି/ବ୍ୟବସାୟୀ ପ୍ରବର୍ତ୍ତିତ କେଇଲକ୍ଷଟଙ୍କାର ଉଚ୍ଚିଷ୍ଟ ମାତ୍ର ହେଉ, ସେସବୁ କସ୍ମିନ୍କାଳେ ସନ୍ଦେହର ଊର୍ଦ୍ଧ୍ୱରେ ନୁହେଁ । ବରଂ ପୁରସ୍କାର ଆଳରେ ଯେପରି ଫାର୍ସ ଚାଲିଛି, ତାହା କଳା-ସଂସ୍କୃତି-ସାହିତ୍ୟ କ୍ଷେତ୍ର ପ୍ରତି ସର୍ବସାଧାରଣଙ୍କ ଅନାସ୍ଥାକୁ ହିଁ ବଢ଼ାଇଚାଲିଛି ଆହୁରି । ଯେପରି ଗଲାକାଲି ନଜରୁଲଙ୍କୁ ଆଡ଼େଇ ଦିଆଯାଏ, ସେହିପରି ଆଜିକାଲି ନକ୍ଷତ୍ରମାନଙ୍କୁ ବି ଆଢ଼ୁଆଳରେ ରଖିଦିଆଯାଏ – ପୁରସ୍କାର ପାଇଁ ଅନୁସୃତ ଚୟନପଦ୍ଧତି ପ୍ରତି ଟିକିଏ ନାଆଁକୁ ଆଖି ବୁଲାଇଆଣିଲେ ବି ଏ ନିର୍ଘାତ ସତ୍ୟ ଜଳଜଳ ହୋଇ ଦିଶିଯାଉଛି । ବର୍ତ୍ତମାନ ସ୍ୱାଭାବିକ ଭାବରେ ତେଣୁ ସନ୍ଦେହର ସ୍ୱର ଶୁଣାଯାଉଛି – କେଉଁମାନେ ତା’ହେଲେ ପୁରସ୍କାର ପାଇଥାନ୍ତି? ଅଧିକାଂଶ ହେଉଛନ୍ତି ଏହି ସାଂଘାତିକ ସାଂସ୍କୃତିକ ଷଡଯନ୍ତ୍ରର ଗୋଟିଏ ଗୋଟିଏ କୁର୍ସିଦାର୍ କୁଶୀଲବ – ଏପରି ଉତ୍ତର ଅମୂଳକ ମନେହେବ ତେଣୁ କାହିଁକି? ଏହା କାନକୁ ଖଟ୍କା ଶୁଣାଯାଉଥିଲେ ହେଁ ଏକଦମ୍ ତଟ୍କା ସତ୍ୟ – ଆଜ୍କାଲ୍ କା ତାଜାଖବର ।
ଜଣେ ଆନୁଷ୍ଠାନିକ ଆବାହକ ଥରେ ମତେ କହିଥିଲେ – ‘ପୁରସ୍କାର ମିଳେନାହିଁ, ପୁରସ୍କାର ଦିଆଯାଏ!’ ଏ କଥାଟାକୁ ମୁଁ ମୋର ସୀମିତ ବୁଦ୍ଧିରେ ହଠାତ୍ ଠଉରାଇପାରିନଥିଲି । ତାଙ୍କୁ ନିଜର କୌତୂହଳ ନିବାରଣ ପାଇଁ କେଇଟି କଥା ପଚାରିବାରୁ ସେ ଏହି ଉଦ୍ଧତ ସତ୍ୟ ସପକ୍ଷରେ କୌଣସି ତଥ୍ୟ ଦେବାକୁ ବା ନିର୍ଦ୍ଦିଷ୍ଟ ନାମପ୍ରକାଶ କରିବାକୁ ନାମଙ୍ଗ ହେଲେ । ଏହି କାପୁରୁଷ କୁଶଳୀ କର୍ମକର୍ତ୍ତାଙ୍କ ନାମ ତେଣୁ ମୁଁ ଏଠାରେ ପଦାରେ ପକାଉନାହିଁ । ଜନସାଧାରଣ ତାଙ୍କୁ କ୍ଷମା କରିଦିଅନ୍ତୁ । ଏ ଦେଶର ଜନସାଧାରଣ ଏସବୁ ବିଚାରବିଭ୍ରାଟର ବେତାଳବାହିନୀକୁ କ୍ଷମା ଦେବାରେ ବରାବର ଅଭ୍ୟସ୍ତ ହୋଇଆସିଛନ୍ତି ବୋଲି ହିଁ ଯେତେସବୁ ଅବିଚାର/ଅନାଚାର/ଦୁରାଚାର/ଦୁର୍ବିଚାର/ଦୁଃସହ ବ୍ୟାପାରଗୁଡ଼ିକ ଆମର ରାଜନୀତି-ଅର୍ଥନୀତି-ସଂସ୍କୃତି-ସମାଜଦୃଷ୍ଟିର ସର୍ବବିଧ ଦିଗଦିଗନ୍ତରେ ସୃଷ୍ଟି କରିଚାଲିଛି ଘନକୁହୁଡ଼ିର ଜଘନ୍ୟ ଦିନ । ଦୁର୍ଭାଗ୍ୟଜନକ ଦୁର୍ଘଟଣା ଘଟୁଛି ସବୁ ଛକରେ, କିନ୍ତୁ ଅପସଂସ୍କୃତିର ନିରଙ୍କୁଶ ନାଚ-ଗୀତ-ବାଜାବାଲାଙ୍କ ଜୋରଦାର ବଜାରଭିଡ଼ରେ ରାସ୍ତା ଜାମ୍ । ଅପମୃତ୍ୟୁଜନିତ କଳା-ସଂସ୍କୃତି-ସାହିତ୍ୟର ଶବସବୁ ଆମ ଆଖିସାମ୍ନାରେ ପଡ଼ୁଛି ପଡ଼ିଛି, ଶଢ଼ୁଛି, ଶଢ଼ିଛି – କିନ୍ତୁ ସାକ୍ଷୀ ହେବାକୁ ସମସ୍ତେ ନାରାଜ୍ – ଯଦିଓ ଶୋକବାର୍ତ୍ତା ଦେବାକୁ କୁମ୍ଭୀର-କାନ୍ଦୁରା କାର୍ପଟଦାର୍ମାନଙ୍କର ଅଭାବ ନାହିଁ ମୋଟେ ।
ଏହା ହିଁ ହେଉଛି ଯେତେବେଳେ ଅବସ୍ଥା, ସେତେବେଳେ ବ୍ୟବସ୍ଥା ପ୍ରତି ଆମର ରେକର୍ଡଭଙ୍ଗକାରୀ ରକ୍ତହୀନତାଗ୍ରସ୍ତ ସହିଷ୍ଣୁତାକୁ ଆମେ ବୁଦ୍ଧଙ୍କ ଜୀବେଦୟା ଆଉ ଯୀଶୁଙ୍କ ଜହ୍ଲାଦ ପ୍ରତି କ୍ଷମା ସ୍ତରକୁ ନେଇଯାଇ କେତେକାଳ ଆଉ ବିବେକଦ୍ରୋହୀ, ବିଚାରଦ୍ରୋହୀ, ବିଶ୍ୱାସଦ୍ରୋହୀ ଏ ସାଂଘାତିକ ଷଡ଼ଯନ୍ତ୍ରକାରୀମାନଙ୍କ ବୌଦ୍ଧିକ ଦୁଷ୍କର୍ମକାଣ୍ଡର ଦୌରାତ୍ମ୍ୟକୁ ବରଦାସ୍ତ କରିଚାଲିଥିବା? ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପି ହାଣ୍ଡିଏର ହାଲ୍ ପରଖିନେବା ପରି ବର୍ତ୍ତମାନର ସାହିତ୍ୟ ପୁରସ୍କାରଗୁଡ଼ିକୁ ତଳେଇକରି ତନଖିଦେଖିଲେ ଷଡ଼ଯନ୍ତ୍ରୀବର୍ଗର କୁହୁଡ଼ିଆ ଚାଲ୍ ବାବଦରେ ବେଶ୍ ସହଜରେ ସବୁ କଥା/ଅକଥା/ଅନ୍ୟକଥା ଠଉରାଇନେଇହେବ । ୧୯୫୫ ରୁ ଆରମ୍ଭ ହୋଇଥିବା କେନ୍ଦ୍ରସାହିତ୍ୟ ଆକାଡେମି ପୁରସ୍କାର ତାଲିକାରେ ଓଡ଼ିଆ ଲେଖକଲେଖିକାଙ୍କ ନାମାବଳୀ ଅନୁଧ୍ୟାନ କରନ୍ତୁ । ଦେଖିବେ ଯେ ପ୍ରଥମରୁ ୧୨ଟି ବାର୍ଷିକ ପୁରସ୍କାରପ୍ରାପ୍ତ ନାମ (୧୯୫୫ ରୁ ୧୯୭୨ ମସିହା – ଏହି ସମୟଖଣ୍ଡରେ ମଝିରେ ମଝିରେ ୧୯୫୬, ୧୯୫୭, ୧୯୫୯, ୧୯୬୦, ୧୯୬୨ ଓ ୧୯୬୮ ହେଉଛି ଗୋଟିଏ ଗୋଟିଏ ପୁରସ୍କାରଶୂନ୍ୟ ବର୍ଷ) ବାବଦରେ ଚୟନପଦ୍ଧତି ପୂର୍ଣ୍ଣମାତ୍ରାରେ ତ୍ରୁଟିବିଚ୍ୟୁତିହୀନ । ମାତ୍ର ୧୯୭୩ ରୁ ୨୦୧୮ ଏଇ ଦୀର୍ଘ ୪୫ ବର୍ଷର ତାଲିକାରେ ଅନ୍ଧକାରରର ଅଂଶଟା ବା ଭାଗଟା ବହୁତ ବେଶି – ମଝିରେ ମଝିରେ କେବଳ କାଁ ଭାଁ ତାରା ଉଇଁଲା ପରି କେତେକ ପ୍ରତିଭାଧର ଲେଖକଙ୍କ ନାମ ଅଳ୍ପକିଛିଟା ଆଶ୍ୱସ୍ତି ଆଣିଥାଏ ଯାହା । ନହେଲେ ବୟସ-ବିଚାରଠାରୁ ଆରମ୍ଭକରି ଭାବମୂର୍ତ୍ତି-ବିଚାର ଦୃଷ୍ଟିରୁ ଏହି ସମୟଖଣ୍ଡରେ ଭରପୂର ବହୁ ଅସଂଗତି ଊଣାଅଧିକେ ଆଖିରେ ପଡ଼ିଥାଏ । ଏହି ଅରୁଚିକର, ଅସ୍ପୃହଣୀୟ ଅସଂଗତି ପୁଣି ଏପରି ଆଶ୍ଚର୍ଯ୍ୟଜନକ ଯେ ସରକାରୀ ସଚିବ ଓ ଶିକ୍ଷାବିଭାଗୀୟ ପଦପଦବୀରେ ଥିବା ଅନେକ ଲେଖକଙ୍କ ପରେ ହିଁ ଯାଇ ୧୯୯୮ରେ ଚିତ୍ତରଂଜନ ଦାସଙ୍କ ପରି ଜଣେ ବିରଳ ସାରସ୍ୱତ ସଂସ୍କୃତିବିଦ୍ଙ୍କୁ ହଠାତ୍ ମନେପଡ଼ିଯିବା ଭଳି ଏକାଡେମି ଦେଇଛି ବିଳମ୍ବିତ ପୁରସ୍କାର । ଯଦି ଆଇନ୍କାନୁନ୍ କ୍ଷେତ୍ରରେ ହଙ୍କଗ୍ଦଗ୍ଧସମର ୟରକ୍ଷବଚ୍ଚରୟ ସଗ୍ଦ ହଙ୍କଗ୍ଦଗ୍ଧସମର ୟରଦ୍ଭସରୟ କୁହାଯାଇଥାଏ, ତା’ହେଲେ ସାହିତ୍ୟସଂସ୍କୃତି କ୍ଷେତ୍ରରେ ଏ ‘ବିଳମ୍ବିତ’ ନ୍ୟାୟଦିଗଟା ‘ବିଡ଼ମ୍ବିତ’ ବିଚାରିତ ନହେବ କାହିଁକି? ଏଠାରେ ଏହା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି – ଏପ୍ରକାର ବିଡ଼ମ୍ବନା ଓଡ଼ିଶାର ମହାବାତ୍ୟାଗ୍ରସ୍ତ ୧୯୯୯ ମସିହାଠାରୁ ଜାତୀୟ ନିର୍ବାଚନ-ଯୁଦ୍ଧମୁଖୀ ଏଇ ୨୦୧୯ ପର୍ଯ୍ୟନ୍ତ ନିଜର ଗୋଟିଏ ଅଭିସନ୍ଧିମୂଳକ ଦୂଷିତ ଦ୍ୱିଦଶନ୍ଧିଟାଏ ଜାରୀ କରିସାରିଛି । ଅନେକକ୍ଷେତ୍ରରେ ସାଂସ୍କୃତିକ ଯୋଗ୍ୟତାହୀନ ତଥାକଥିତ ତିନିଜଣିଆ ଜୁରୀକମିଟୀ ହାତରେ ଏବେ ସାହିତ୍ୟିକ ପୁରସ୍କାରଗୁଡ଼ାକ ପାଲଟିସାରିଲାଣି ଗୋଟାଏ ଗୋଟାଏ ଚାବିମୋଡ଼ା ଶସ୍ତା ଚୀନାଖେଳଣା ମାତ୍ର! ଆଗେ ‘ଲବି’ ଶବ୍ଦଟା ରାଜନୀତିରେ ଚର୍ଚ୍ଚିତ ଥିଲା, ‘ଫିକ୍ସଡ୍’ ଶବ୍ଦଟା କ୍ରିକେଟ ଖେଳରେ ଚମକ ଆଣୁଥିଲା, ମାତ୍ର ଏ ଦୁଇଟାଯାକ ଶବ୍ଦ ଏବେ ଓଡ଼ିଶାର ସାହିତ୍ୟସଂସ୍କୃତି କ୍ଷେତ୍ରରେ ଏଭଳି ନିନ୍ଦନୀୟ ଭାବରେ ଚଳଣି ପାଲଟିସାରିଛି ଯେ ଯଦି କେଉଁ ସଚ୍ଚା ଲେଖକଲେଖିକା ଦୈବାତ୍ ପୁରସ୍କାର ପାଇଯାଉଛନ୍ତି – ତେବେ ତାଙ୍କ ପ୍ରତି ମଧ୍ୟ ନାଗରିକ-ସମାଜ କାଳେ ସନ୍ଦେହର ତର୍ଜନୀ ଉଠାଇପାରେ – ଏଇ ଆଶଙ୍କାରେ ଅଷ୍ଟପ୍ରହର ଝାଳନାଳ । ଅର୍ଥାତ୍ କଳାସଂସ୍କୃତିସାହିତ୍ୟକୁ ନେଇ ପୁରସ୍କାର ପ୍ରଦାନର ଧାରା ମୁଖ୍ୟତଃ ଏପରି ଏକ ଅନୈତିକ ଅପରମ୍ପରାରେ ପରିଣତ ଯେ – ଏହା ଯେପରି ‘ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ’ ପରି ‘ଯିଏ ବା ପୁରସ୍କାର ପାଉ, ବାଟ ତା ସିଧା ହେବ କାହୁଁ’ ବୋଲି ଭବିଷ୍ୟତର ଭାଗବତବାଣୀ ରଚନା କରିବା ଦିଗରେ କୌଣସି ବ୍ୟଂଗକାର ପ୍ରତିଭାଙ୍କୁ ଚମତ୍କାର ଖୋରାକ ଯୋଗାଇଦେଇପାରେ!
ସବୁଠି ଢୋଲଭିତରେ ଚାପା ଆଲୋଚନାର ଚୁଟିଆମୂଷା ମହାସଭା ଚାଲିଛି, ମାତ୍ର ବିରାଡ଼ିବୈଷ୍ଣବ ବା କାଣୀ ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ? ମିଥ୍ୟାଚାରୀ ଆଉ ଅସଦାଚାରୀମାନଙ୍କ ମହାମେଣ୍ଟ ବା ମୋର୍ଚ୍ଚାଗଠନ ଦ୍ୱାରା କଳା କଳଙ୍କିତ, ସଂସ୍କୃତି ସଂକଟଗ୍ରସ୍ତ, ସାହିତ୍ୟ ସଂଦିଗ୍ଧ । ଏ ଅସହନୀୟ ଅବ୍ୟାପାର ସୃଷ୍ଟି କରୁଥିବା ଟାଉଟରମାନଙ୍କୁ ‘ପ୍ରତିଭା’ର ପ୍ରମାଣପତ୍ର ପ୍ରଦାନ କରୁଥିବା ମତଲବୀ ଲବି ବିରୋଧରେ କେବେ ଆରମ୍ଭ ହେବ ଆମର ସାଂସ୍କୃତିକ କଳ୍କୀ ଅଭିଯାନ? ନକଲ ନବିଶ୍ ମୁଣ୍ଡାକଲମଗୁଡ଼ାକୁ ମୁଣ୍ଡିଆ ମାରିମାରି ଆମେ ତ ଆମର ବୁଦ୍ଧିବିବେକର ବାରହାତୀ ଖଣ୍ଡାକୁ ମହଜୁଦ୍କାରୀ ମାରଣାସ୍ତ୍ର ବେପାରୀମାନଙ୍କୁ ବି ନିଲାମୀ ଦରରେ ବିକ୍ରି କରିଦେବାକୁ ପଛାଉନାହୁଁ! ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରର ମୂଳୋତ୍ପାଟନ ସମ୍ଭବ ହେବ କିପରି?
ସାହିତ୍ୟରେ ସତ୍ୟଯୁଗ ସେପର୍ଯ୍ୟନ୍ତ ଆସିବ ନାହିଁ, ଯେପର୍ଯ୍ୟନ୍ତ ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରୀବର୍ଗ ସଂପୂର୍ଣ୍ଣ ସକ୍ରିୟ । ସନ୍ତୁଷ୍ଟ ଶୂକର ଓ ଅସନ୍ତୁଷ୍ଟ ସକ୍ରେଟିସ୍ କେବେହେଲେ ସମାନ ସଡ଼କର ସହଯାତ୍ରୀ ହୋଇପାରିବେ କି? ଆମେ ଗୋଟାଏ ପଚମାନ ବ୍ୟବସ୍ଥାର ପ୍ରକ୍ରିୟାକୁ ଏଣେ ତିରସ୍କାର କରୁଥିବା, ଅଥଚ ତେଣେ ସର୍ଜନା ନାମରେ ଆବର୍ଜନା ଠୁଳକାରୀ ତିରସ୍କାରଯୋଗ୍ୟ ପୁରସ୍କାରପ୍ରାପ୍ତମାନଙ୍କ ନକଲି-ସାହିତ୍ୟକୁ ଅସଲି-କୃତି ସାର୍ଟିଫିକେଟ୍ ଦେଇ ନିଜେ ପୁରସ୍କାର ପାଇବାକୁ ସୁଡଙ୍ଗର ସଡ଼କଟାଏ ତିଆରି କରୁଥିବା – ଏପ୍ରକାର ବିଡ଼ମ୍ବନାଧର୍ମୀ ବିରୋଧାଭାସ ଓଡ଼ିଶାର ଆଧୁନିକ ବୌଦ୍ଧିକତାକୁ ଏକ ଅସତ୍ୟ ସୌଦାର ମୂଲଚାଲ ସ୍ତରକୁ ନେଇଯାଇସାରିଲାଣି । ଅଧିକାଂଶ ପୂର୍ବପ୍ରସ୍ତୁତ ତଥା ସୁପରିକଳ୍ପିତ (କୁପରିକଳ୍ପିତ?) ଚର୍ଚ୍ଚା, ସମୀକ୍ଷା, ଆଲୋଚନାର ଲିଖିତ ରୂପ ପଛରେ ଏହି ଅଲିଖିତ ଅଥଚ ଶାଣିତ ସତ୍ୟ ଉତ୍ତରଦାୟାଦମାନଙ୍କ ପାଇଁ ବିଦ୍ରୂପର ଖୋରାକ ଯୋଗାଇବାକୁ ଯଥେଷ୍ଟ! ଏପରିକି ସର୍ଜନାଶୀଳ ସାହିତ୍ୟକୁ ଛାଡ଼ି ମଝିରେ ମଝିରେ ସମୀକ୍ଷା/ସମାଲୋଚନା ପୁସ୍ତକଗୁଡ଼ିକୁ ମଧ୍ୟ କେନ୍ଦ୍ରସାହିତ୍ୟ ଏକାଡେମିର ପୁରସ୍କାର ବିତରଣ – ଏହି ଦୃଷ୍ଟିରୁ ସନ୍ଦେହର ବ୍ୟାପାର ଏବଂ ରୀତିମତ ତଦନ୍ତସାପେକ୍ଷ ମଧ୍ୟ । ଏ ପୁରସ୍କାରଟା କ’ଣ? ଏ ଇଲୁ-ଇଲୁ କ୍ୟା ହେ? ଏ ପାରସ୍ପରିକ ‘ଆଇ ଲଭ୍ ଇଉ’ ଗୋଷ୍ଠୀସାଂଗୀତିକ ଦଳ ତଥା ଆଇଁଷିଆ କଳାବଜାରୀମାନଙ୍କୁ କେବେ ଆମ ଯୁବ ଶିଳ୍ପୀ-କଳାକାର-ଲେଖକଲେଖିକାଏ ‘ଆଇ ହେଟ୍ ଇଉ’ ବୀରବାଦ୍ୟ ଶୁଣାଇବାକୁ ଆଗେଇଆସିବେ? ମି-ଠୁ, ହି-ଠୁ ପରେ କେବେ ବିଚ୍ରାସ୍ତାର ବିଦ୍ରୋହୀ ପଟୁଆର ଏମାନଙ୍କୁ ସ୍ପଷ୍ଟ ଆବାଜ୍ ଶୁଣାଇବ – ‘ଛି’ ଠୁ ଛିଃ ଛିଃ, ଛିଃ ଛିଃ ଛିଃ? କଳା-ସଂସ୍କୃତି-ସାହିତ୍ୟ କ୍ଷେତ୍ରରେ ଯାହା ଆଜି ସବୁଠୁ ଜରୁରୀ, ତାହା ଆଉ ପୁରସ୍କାର ନୁହେଁ – ପୁକାର! ଏ ପ୍ରକାର ପୁକାର ଆରମ୍ଭ ନହେଲେ ଓଁକାର ଅପଦସ୍ତ ଅବସ୍ଥାରେ ରହିଥିବ ଏମିତି । ପୃଥିବୀସାରା ବହୁତ ବଡ଼ବଡ଼ କଳାସଂସ୍କୃତିସାହିତ୍ୟ ଆନ୍ଦୋଳନ ଜନ୍ମ ନେଇଛି ସାନସାନ ପତ୍ରପତ୍ରିକାର ଜାଗରଣ ବା କ୍ଷସଗ୍ଧଗ୍ଧକ୍ଷର ଜ୍ଞବଶବଚ୍ଛସଦ୍ଭର ଜ୍ଞକ୍ଟଙ୍ଖରଜ୍ଞରଦ୍ଭଗ୍ଧ ରୁ । ଓଡ଼ିଶାର ତଥାକଥିତ ବଡ଼ବଡ଼ ଖବରକାଗଜର ମାଲିକ/ସଂପାଦକମାନେ ଯଦି ବର୍ତ୍ତମାନର ଏ ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରୀମାନଙ୍କ ମୁଖପତ୍ର ହେବାକୁ ନିଜନିଜ କାଗଜରେ ହାତକାଟି ଅଲିଖିତ ଦସ୍ତଖତ ଦେଇସାରିଛନ୍ତି ଅଥବା ଦୁଇହାତ ଟେକିଦେଇ ରାଜି ହୋଇସାରିଛନ୍ତି, ତା’ହେଲେ ଏପ୍ରକାର ବିଭ୍ରାଟ ବିରୁଦ୍ଧରେ ଅଣ୍ଟା ଭିଡ଼ି ଏକଜୁଟ ହୋଇଯାନ୍ତୁ ଅପେକ୍ଷାକୃତ ସାନ ଆକାରର ସମାଚାରପତ୍ରରେ ବାହାଲ୍ ହୋଇଥିବା ମେହନତୀ ସାମ୍ବାଦିକମାନେ । ସେମାନଙ୍କ ରକ୍ତ ଶୀତଳ ସ୍ରୋତଧାରା ନ ହୋଇଯାଉ କି ସ୍ୱେଦ ଅକାରଣ ପାଣିଫୋଟକା ନ ପାଲଟୁ । ପାଠକ, ଗ୍ରାହକ-ସମାଜ ଐକ୍ୟବଦ୍ଧ ଭାବରେ ଅସନ୍ତୋଷ ପ୍ରକାଶ କରି ଚାରିଆଡ଼େ ପ୍ରତିବାଦର ପୋଷ୍ଟରମରା ମଞ୍ଚ ପ୍ରସ୍ତୁତ କରନ୍ତୁ । ସ୍ୱାର୍ଥକୁ ସାରଥି କରିଥିବା ଜାତି-ନନ୍ଦିଘୋଷୀମାନଙ୍କ ପାଇଁ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ କରନ୍ତୁ । ତା’ହେଲେ ଦେଖିବା ଷଡ଼ଯନ୍ତ୍ରୀ କଳକବ୍ଜାରେ ଟାଙ୍କି କଣା କରି କେତେ ତେଲ କିଏ ଢାଳୁଥିବ କେତେ ଦିନ? ସରକାରଙ୍କ ତେଲ ତ ଦିନଦିନ ଧରି ଦରିଆରେ ଢଳାଯାଉଛି, ହେଲେ ସଂସ୍କୃତିର ଦୀପଶିଖା ଜାଳିରଖିବା ପାଇଁ ଦରକାର ଦଳବଦ୍ଧ ଦୁର୍ବାର ବିଦ୍ରୋହୀର ତୈଳହୀନତାରେ ଜୁଡ଼ୁବୁଡ଼ୁ ଗୋଟିଏ ତୀବ୍ରତା – ଯାହା ଗଢ଼ିଦେଇପାରନ୍ତା ଗୋଟିଏ ବୀରତ୍ୱମୟ ବୁନିଆଦି । ଏ ବିଦ୍ରୋହର ବୁନିଆଦିଟିଏ ଗଢ଼ିଉଠିପାରିଲେହିଁ ବରବାଦିର ବାହିନୀ ଆଉ ଦୁର୍ନୀତି-ଦୁଷ୍କର୍ମର ଦୁର୍ଗାଧିପତି ସାଜି ଆମ କଳାସଂସ୍କୃତିସାହିତ୍ୟର ମୁଣ୍ଡ ଉପରକୁ ଚଢ଼ିପାରିବେନାହିଁ – ଏ ସତ୍ୟ ହୃଦୟଙ୍ଗମ କଲାବେଳକୁ ନେଡ଼ିଗୁଡ଼ ଯେପରି କହୁଣୀକି ବୋହିନପଡ଼େ, ସେଥିପାଇଁ ସଜାଗ ରହିବାକୁ ସମସ୍ତଙ୍କୁ ନିବେଦନ । ସଜାଗତାର ସୂତ୍ରପାତ ହେବ କିପରି? ଏ କ୍ଷେତ୍ରରେ ଯାନ୍ତ୍ରିକ ନିୟମ ଅପେକ୍ଷା ଆନ୍ତରିକ ନୀତି ଓ ନିଷ୍ଠାକୁ ଅଗ୍ରାଧିକାର ଦେବା ଆମର ଏକନମ୍ବର କର୍ତ୍ତବ୍ୟ । ତଥାକଥିତ ପୁରସ୍କାରଗୁଡ଼ାକର ଧୂଆଁବାଣରେ ଆମକୁ ଅନ୍ଧ କରିଦେବାକୁ ଚାହୁଁଥିବା ଧୁରନ୍ଧରମାନଙ୍କୁ ପୁରନ୍ଦର ଆସନରେ ବସାଇ ମା ସରସ୍ୱତୀଙ୍କୁ ଶଚୀ ବେଶରେ ସଜାଉଥିବା ଅପକର୍ମା ଓ ପାପକର୍ମା ଦଳକୁ ଆମେ ଆମ କଳାସଂସ୍କୃତିସାହିତ୍ୟର ଦୀପ ନିଭାଇଦେବାର ଦୁର୍ଯୋଗ ସୃଷ୍ଟି ପାଇଁ କେବେ ବି କ୍ଷମତାପତ୍ର ଦେଇପାରିବା କି? ଏହି ଦୃଷ୍ଟିରୁ, ଯମର ଯମ ଥିବା ପରି ଚଳନ୍ତି ଜୁରୀକମିଟୀଗୁଡ଼ାକର ଚୟନପଦ୍ଧତି ତନଖି କରିବାକୁ ମଧ୍ୟ ଆଉଗୋଟିଏ ବିଶେଷ ବା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସ୍ତରୀୟ ଜୁରୀ କମିଟୀ ନିଯୁକ୍ତ କରାଯିବାର ଚିରସ୍ଥାୟୀ ବନ୍ଦୋବସ୍ତ ପକ୍କା କରାଯାଉ – ତିିନିଜଣିଆ ନୁହଁ, ଅନ୍ତତଃ ପକ୍ଷରେ ଯାହା ହେବା ଉଚିତ ଗୋଟିଏ ସାତଜଣିଆ କମିଟୀ । ମାତ୍ର ସାତପ୍ରସ୍ତରେ ପାଟ ଗୁଡ଼ା ହେଉପଛେ, କଳା କଏଦ୍ ନ ହେଉ – ସାତରଙ୍ଗରେ ଇନ୍ଦ୍ରଧନୁ ବଙ୍କା ଦିଶୁ ପଛେ ସଂସ୍କୃତି ବାଙ୍କି ନଯାଉ – ସାତ କଥାରେ ସତୀ ଭୁଲୁ ପଛେ, ସାହିତ୍ୟ ନ ଭୁଲୁ ଯେମିତି – ଏହି ନିଷ୍ଠାକୁ ନୀତି କରି ଜନସମାଜର ଏକାନ୍ତ ଆସ୍ଥାଭାଜନ ହେବା ବ୍ୟବସ୍ଥା ପ୍ରତି ଦିଆଯାଉ ସର୍ବାଧିକ ଗୁରୁତ୍ୱ । ଏହି ଗୁରୁତ୍ୱକୁ ଏବେ ଦିନକୁଦିନ ଲଘୁତ୍ୱରେ ପରିଣତ କରିଦେଉଥିବା ଲୁଟିଖିଆ ଗୋଷ୍ଠୀକୁ ଖଟିଖିଆଙ୍କ ଦିଅଁ ଖାଇ ଖଟୁଲି ଖାଇବାର ଖଳ ଯୋଗାଡ଼ଯନ୍ତ୍ରୀ ଉଦ୍ୟମରେ ଅନ୍ତ ଘଟାଇବାର ଶପଥପାଠ ଏବେ ଆମମାନଙ୍କ ପକ୍ଷରେ ସବୁଠୁ ବଡ଼ କର୍ତ୍ତବ୍ୟ । ଅଯୋଗ୍ୟକୁ ନୁହେଁ, ସୁଯୋଗ୍ୟକୁ ସୁଯୋଗ – ମୂର୍ତ୍ତକୁ ନୁହେଁ, ମନୁଷ୍ୟୋଚିତକୁ ମାନପତ୍ର – ଆକୃତିକୁ ନୁହେଁ, କୃତିକୁ ସ୍ୱୀକୃତି, ବୟସଗତ ବୃଦ୍ଧତ୍ୱକୁ ବାମହସ୍ତରେ ଦୟା ପ୍ରଦର୍ଶନ କରି ନୁହେଁ, ବିଚାରଗତ ବୁଦ୍ଧତ୍ୱକୁ ଦକ୍ଷିଣହସ୍ତରେ ସାଲ୍ୟୁଟ୍ ପ୍ରଦାନକରି ହିଁ ମାଲ୍ୟାର୍ପଣ… ପୁରସ୍କାର ପ୍ରଦାନ-ପ୍ରକ୍ରିୟାର ଏହା ହିଁ ହେବା ଉଚିତ ପ୍ରକୃତ ପୁକାର – ଯାହା ଏପର୍ଯ୍ୟନ୍ତ ଏକପ୍ରକାର ଅପହଞ୍ଚ ଆଦର୍ଶ ହୋଇ ରହିଯାଇଛି । ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ର – ଆମ ଗଣତନ୍ତ୍ର ଉପରେ ଗୌଣତନ୍ତ୍ରର ଗୁପ୍ତଚଢ଼ଉ । ଏହି ଦୃଷ୍ଟିରୁ ଗୌଣତନ୍ତ୍ରୀ କୂଟଚକ୍ରାନ୍ତ କବଳିତ ରାଜ୍ୟ ଓ କେନ୍ଦ୍ର ଏକାଡେମିଗୁଡ଼ାକରୁ ଅଦୂର ଭବିଷ୍ୟତରେ ଆମେ ଆମର ଆସ୍ଥା ପ୍ରତ୍ୟାହାର କରିଆଣିବାକୁ ବାଧ୍ୟ । ମୂଲ୍ୟବୋଧହୀନ ମଲାଙ୍ଗ ଅନୁଷ୍ଠାନଗୁଡ଼ାକ କଳାସଂସ୍କୃତିସାହିତ୍ୟର ଅସଲ ଅବବୋଧ କ୍ଷେତ୍ରରେ ହାନିକାରକ ହେବା ସାଙ୍ଗକୁ ସତ୍ୟର ଶତପ୍ରତିଶତ କଣ୍ଠରୋଧ କରିଚାଲିଛନ୍ତି । ମୁଖା ହସୁଛି, ମୁହଁ ଲୁଚିଯାଉଛି – ଅମୁହାଁ ଦେଉଳ ଚୂଡ଼ାରେ ଅପସଂସ୍କୃତିର ଅଫିମରାତିଟା ଚୂନକାଳି ବୋଳିଚାଲିଛି । ଓଡ଼ିଶାରେ ଏବେ ବହିର କାଟ୍ତି କମିବା ସହିତ ସାହିତ୍ୟ ପ୍ରତି ସାଧାରଣଙ୍କ ବିମୁଖତା ଆଗ ଅପେକ୍ଷା ଆହୁରି ବଢ଼ିବଢ଼ି ଚାଲିଛି । ଆଶଙ୍କା ହେଉଛି, ଦିନେ ଲେଖକଲେଖିକା ଥାଇ ଚାରିପାଞ୍ଚଜଣ ପାଠକପାଠିକା ବି ନଥିବେ ଓଡ଼ିଆସାହିତ୍ୟର । ଏହାର ମୁଖ୍ୟ କାରଣ ହେଉଛି – ସାହିତ୍ୟ ନାଆଁରେ ରସହୀନ ନିର୍ଜୀବନିଷ୍ପ୍ରାଣ ଲେଖାଗୁଡ଼ିକର ଘନଘନ ପ୍ରସାରଣ – ଦୈନିକ/ସାପ୍ତାହିକ/ପାକ୍ଷିକ/ସାମୟିକ ପତ୍ର/ପତ୍ରିକାରେ । ଯେଉଁମାନେ ସଂପାଦନା ଦାୟିତ୍ୱରେ ଅଛନ୍ତି ହୁଏତ ସେମାନଙ୍କ ମଧ୍ୟରୁ ଅଧିକାଂଶ କାଣ୍ଡଜ୍ଞାନଶୂନ୍ୟ କିମ୍ବା ମାଲିକାନାଆଡ଼ୁ କିଛି ଚାପର ପ୍ରଭାବ ଏ ବିପର୍ଯ୍ୟୟପାଇଁ ଦାୟୀ । ଉଚ୍ଚ ସରକାରୀ ଚାକିରିଆ ବା ପଦାଧିକାରୀମାନଙ୍କ ଉତ୍ପାତରେ ଓଡ଼ିଆସାହିତ୍ୟ ଏବେ କଣ୍ଟକିତ ଓ କଣ୍ଠାଗ୍ରତ । ପାଠକପାଠିକା ତ ଆଉ ହାକିମବାବୁମାନଙ୍କ ପିଅନ, କିରାଣି ବା ରାଜବାହାଦୁରବର୍ଗର ପ୍ରଜା-ପ୍ରାଣୀ କି ରାଣୀନୌକରାଣୀ ନୁହନ୍ତି ଯେ ସେମାନଙ୍କୁ ଖୁସି କରିବାକୁ ସେମାନଙ୍କ ବହିଫର୍ଦ ଆଡ଼େଇବେ! ତେଣୁ ପାଠକବର୍ଜିତ ବଜାରରେ ବହି ବର୍ତ୍ତମାନ ବାଟବଣା । ଓଡ଼ିଶା ସାହିତ୍ୟ ଏକାଡେମୀ ବାରଣ୍ଡାରେ ବର୍ଷବର୍ଷ ଧରି ରାଜା ରାମମୋହନ ଫାଉଣ୍ଡେସନ ଓ ରାଜ୍ୟସରକାରୀ ମିଳିତ ଅନୁଦାନରେ କିଣାଯାଉଥିବା ବହିର ବିଡ଼ାମାନ କବନ୍ଧମାର୍କା ବିରାଜମାନ । ଦ୍ରୁତ ନୀତିଗତ ନିଷ୍ପତ୍ତି ନେବା ଦରକାର ଯେ ପ୍ରତ୍ୟେକ ବର୍ଷ ମନୋନୀତ ବହି ଗୁଡ଼ିକୁ ଯଦି ଅନୁଦାନପ୍ରାପ୍ତ ପାଠାଗାର କର୍ତ୍ତୃପକ୍ଷ ଏକମାସ ସମୟସୀମା ମଧ୍ୟରେ ନେଇ ନଯାଉଛନ୍ତି, ତେବେ ସେ ବହି ଓଡ଼ିଶାର ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ପାଠାଗାରଗୁଡ଼ିକୁ ତୁରନ୍ତ ପଦକ୍ଷେପଗ୍ରହଣ ଭିତ୍ତିରେ ଯୋଗାଇ ଦିଆଯାଉ । ବହିଗୁଡ଼ିକ ପଡ଼ିରହି ଫିମ୍ପି ମାରିନଯାଉ କି ପ୍ରକାଶକମାନଙ୍କୁ ମନୋନୀତ ବହିଗୁଡ଼ିକର ଦେୟ ପଇଠ କରାଇବାରେ ଏକାଡ଼େମୀ କର୍ତ୍ତୃପକ୍ଷ ଚାରିପାଞ୍ଚବର୍ଷ ଅହେତୁକ ବିଳମ୍ବ ସୃଷ୍ଟି ନକରନ୍ତୁ । ଓଡ଼ିଆ ବହିର ଭାଗ୍ୟ ଅପନ୍ତରାରେ ହଜିଗଲେ କେବଳ ରାଜା ରାମମୋହନ ରାୟ ଫାଉଣ୍ଡେସନ ଓ ରାଜ୍ୟସରକାରଙ୍କ ସଂସ୍କୃତିବିଭାଗ ପ୍ରତି ବିଶ୍ୱାସଘାତକତା ନୁହେଁ, ଆମ କଳାସଂସ୍କୃତିସାହିତ୍ୟ କ୍ଷେତ୍ର ପ୍ରତି ମଧ୍ୟ ଏହା ଘୋର ଅକ୍ଷମଣୀୟ ଉଦାସୀନତା । ଏକାଡେମୀ କାର୍ଯ୍ୟନିର୍ବାହୀ କର୍ମଚାରୀଏ ଯଦି ନିୟମିତ ବେତନ/ଭତ୍ତା/ଗସ୍ତଖର୍ଚ୍ଚ ଇତ୍ୟାଦି ମାସକୁମାସ ପାଇପାରୁଛନ୍ତି, ତା’ହେଲେ ବହି କାହିଁକି ବସ୍ତାବନ୍ଦୀ ହୋଇ ବର୍ଷବର୍ଷ ଅନିୟମିତତାର ଶାସ୍ତି ଭୋଗୁଥିବ? ତା’ଛଡ଼ା ପୁସ୍ତକଚୟନ ପ୍ରକ୍ରିୟାରେ କୌଣସି କାର୍ଯ୍ୟରତ, ଅବସରପ୍ରାପ୍ତ ପ୍ରଶାସକଙ୍କୁ ମୁଖ୍ୟଭୂମିକାରେ ବସାଇ ପାତରଅନ୍ତର ମନୋବୃତ୍ତି ରଖିଥିବା ଲେଖକଲେଖିକାମାନଙ୍କୁ ଜୁରୀକମିଟୀର ସଭ୍ୟ/ସଭ୍ୟା କରାନଯାଉ – ବରଂ ପୋଖତ ପାଠକପାଠିକାମାନଙ୍କ ମଧ୍ୟରୁ ଏଣିକି ପାଳି କରାଇ ପ୍ରତ୍ୟେକ ବର୍ଷ ବଛାବଛା କେତେଜଣଙ୍କୁ ସାମିଲ୍ କରାଯାଇପାରିଲେ ପୁସ୍ତକ-ମନୋନୟନ କାର୍ଯ୍ୟ ନ୍ୟାୟସଂଗତ ହୋଇପାରନ୍ତା । ଏପରିକି ଏକାଡେମିର ସଚିବ ବା କର୍ମକର୍ତ୍ତା ପଦଟିକୁ ମଧ୍ୟ ‘ଡେପୁଟେସନ୍’ ଦ୍ୱାରା ବା କୌଣସି ଅବସରପ୍ରାପ୍ତ ପ୍ରଶାସକ ନିଯୁକ୍ତି ଦ୍ୱାରା ପୂରଣ ନ କରାଇ ସେହି ପଦରେ କୌଣସି ବିଜ୍ଞପାଠକପାଠିକା ଅଥବା ଅଭିଜ୍ଞତାସଂପନ୍ନ ଦକ୍ଷ ପ୍ରକାଶକଙ୍କୁ ବସାଇ କାର୍ଯ୍ୟନିର୍ବାହ କରିବାର ସରକାରୀ ଅନୁମୋଦନ ଏବଠୁ ଘୋଷିତ ହେଉ । ଏହାଦ୍ୱାରା ଏକାଡେମୀର ମଠୁଆ, ମାନ୍ଦା, ମନମୁଖୀ ଅବକ୍ଷୟୀ ଧାରା ପରିବର୍ତ୍ତେ ଗୁଣାତ୍ମକ କ୍ରିୟାଶୀଳତାର ଚଳଚଞ୍ଚଳତା ଅଚିରେ ଫେରିଆସିପାରିବ । ଆମ ରାଜ୍ୟରେ ଲେଖକ/ଲେଖିକାମାନେ, ଶିକ୍ଷାବିଭାଗୀୟ ଅଧ୍ୟାପକ/ଅଧ୍ୟାପିକାମାନେ ଅଥବା ପ୍ରଶାସକ/ପ୍ରଶାସିକାମାନେ ଓଡ଼ିଆ ଭାଷାସାହିତ୍ୟ ଜ୍ଞାନର ଯେତେ ଅଧିକାରୀ ନୁହନ୍ତି, ସେମାନଙ୍କ ଅପେକ୍ଷା କାହିଁ କେତେ ଗୁଣ ଏ ଦିଗରେ ଆଗୁଆ ଆମ ରାଜ୍ୟର ପ୍ରବୀଣ ପାଠକ/ପ୍ରକାଶକବର୍ଗ – ସରକାର ବା ବିଶେଷତଃ ସଂସ୍କୃତିବିଭାଗ ମନ୍ତ୍ରୀଦପ୍ତର ଏ ବାବଦରେ ପୁନଃଚିନ୍ତନଶୀଳ ହେବେ କି? ୧୪୭ ଜଣ ଏମ୍ଏଲ୍ଏଙ୍କ ଭିତରୁ ଅନ୍ତତଃ ଜଣେ ବି କେହି ବିଧାନସଭାରେ ଏ ସଂକ୍ରାନ୍ତୀୟ ପ୍ରଶ୍ନ ଓ ପ୍ରସ୍ତାବ ଉତ୍ଥାପନ କରିବେ କି? ବର୍ତ୍ତମାନ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ଅନୁପ୍ରବେଶ କରିସାରିଥିବା ସାଂଘାତିକ ସାଂସ୍କୃତିକ ଷଡ଼ଯନ୍ତ୍ରୀମାନଙ୍କ କବଳରୁ ଓଡ଼ିଶାକୁ ମୁକ୍ତ ରଖିବାକୁ ହେଲେ ୩୦ ଜିଲ୍ଲାର ନାଗରିକ ସମାଜ ଦ୍ୱାରା ଅନ୍ୟୂନ ୩୦ ଟି ଏଜେନ୍ସୀ ଖୋଲାଯାଇ ପ୍ରାଚୀନ-ମଧ୍ୟ-ଆଧୁନିକ-ସମକାଳୀନ ଓଡ଼ିଆସାହିତ୍ୟର ସୁନିର୍ବାଚିତ ନମୁନା-ଅଂଶଗୁଡ଼ିକୁ ଏକାଠି କରାଯାଉ ଏବଂ ସେସବୁକୁ ଗଣମାଧ୍ୟମ/ସମ୍ବାଦପତ୍ର/ପତ୍ରିକା ସଂପାଦକମାନଙ୍କ ଦପ୍ତରଗୁଡ଼ିକୁ ନିୟମିତ ଯୋଗାଇଚାଲିବାର ରୀତିମତ ଅଭ୍ୟାସ ଯଥାଶୀଘ୍ର ଆରମ୍ଭ ହେଉ । ଭଲସାହିତ୍ୟ ପୁନର୍ମୁଦ୍ରଣ ହେଉ, ବାରମ୍ବାର ପଢ଼ାଯାଉ – ଯାହାଦ୍ୱାରା ରୁଚିର ବିକାଶ ଘଟିବ – ପଠନୀୟତାର ପ୍ରେରଣାଦାୟକ ଯୁଗଟିଏ ପୁଣି ଫେରିଆସିବ – ଖରାପସାହିତ୍ୟର କୁହୁଡ଼ିଘେରା ଦିନ ଖତମ୍ ହୋଇପାରିବ । ଏହା ଏକ ସାମୂହିକ ପଦକ୍ଷେପ । କିନ୍ତୁ ଏ ଦିଗରେ ଅଧିକ କାଳକ୍ଷେପଣ ଆମର ନିଜର କଳାସଂସ୍କୃତିସାହିତ୍ୟଆଡ଼କୁ ପ୍ରାଣଘାତୀ ବାଣକ୍ଷେପଣ ଛଡ଼ା ଆଉ କ’ଣ? ନୂତନ ରୁଚି ଓ ଶୁଚିକୁ ନେଇ ନିୟମାନୁବର୍ତ୍ତୀ ନୀତିରେ ହିଁ କରାଯାଉ ପନ୍ଥାନିର୍ଦ୍ଧାରଣ – ଏହା ହିଁ ଅଚିରେ ଆଣିବ ନବଜାଗରଣ – ଗ୍ରାମେଗ୍ରାମେ ନଗରେନଗରେ ଏ ଲକ୍ଷ୍ୟରେ ଆସନ୍ତୁ ଏକାଠି ହେବା ବନ୍ଧୁଗଣ! ଭାରତ ପାଇଁ ଏ ଓଡ଼ିଶାଭୂଇଁ ହୋଇଉଠିବ ଉଦାହରଣ ।
ଯାଜପୁର ରୋଡ, ଯାଜପୁର,
ମୋ : ୯୮୬୧୦୩୪୧୬୩