ସାଇକେଲ ସଚେତନତା ରାଲିକୁ ସବୁଜ ପତାକା ଦେଖାଇ ଉଦଘାଟନ କଲେ ଜିଲ୍ଲାପାଳ ଓ ଏସପି ସଡକ ନିୟମ ପାଳନ ହିଁ ନିଜ ଅମୁଲ୍ୟ ଜୀବନ ରକ୍ଷା କରିବ
ଛତ୍ରପୁର,(ଦେବଦତ୍ତ ମହାରଣା): ଜିଲ୍ଲାରେ ସଡକ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଶୁକ୍ରବାର ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ସମେତ ବହୁ ପ୍ରଶାସନିକ ଓ ପୁଲିସ ଅଧିକାରୀ ମାନେ ନିଜେ ନିଜେ ସାଇକେଲରେ ବୁଲି ଲୋକଙ୍କୁ ସଡକ ସୁରକ୍ଷା ଓ ଜୀବନ ରକ୍ଷା ସମ୍ପର୍କ ସଚେତନତା କରାଇଛନ୍ତି । ସଡକ ସୁରକ୍ଷା ନିୟମ ପାଳନ ଦ୍ୱାରା ହିଁ ନିଜର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିପାରିବା । ଏହାହିଁ ଏକ ମାତ୍ର ରକ୍ଷା କବଚ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିତ ସଭାରେ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଏବଂ ଗଞାମ ଏସପି ଶ୍ରୀ ରାଏ ସବୁଜ ପତାକା ଦେଖାଇ ଏହି ସାଇକେଲ ରାଲିର ଶୁଭାରମ୍ଭ କରିଥିବା ବେଳେ ନିଜେ ସାଇକେଲ ରେ ବୁଲି ଛତ୍ରପୁର ସହର ପରିଭ୍ରମଣ କରିଥିଲେ । ଏହି ଗଣ ସାଇକେଲ ରାଲିଟି ଛତ୍ରପୁର ସହର ପରିଭ୍ରମଣ କରି କଣମଣା ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତାକୁ ସାଇକେଲ ରେ ଅତିକ୍ରମ କରି ପୁଣି ଛତ୍ରପୁର ସହରକୁ ଆସିଥିଲା । ଗଞ୍ଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୁରୀଙ୍କ ତତ୍ୱାବଧାନରେ ହୋଇଥିବା ଏହି ସାଇକେଲ ରାଲି ଅବସରରେ ଅନୁଷ୍ଠିତ ମଞ୍ଚ ରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ଦାସ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ପ୍ରମୁଖ ମଂଚାସୀନ ହୋଇ ସଡକ ସୁରକ୍ଷା ଦିଗରେ ନିଜକୁ କିଭଳି ସତର୍କ ରଖିବେ ଏବଂ ନିଜ ଅମୁଲ୍ୟ ଜୀବନ ସୁରକ୍ଷିତ ରଖିବେ ସେଥିନିମନ୍ତେ ନିଜେ ନିଜର ମତାମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ ।


