ସାଉଦି ରାଜାଙ୍କୁ ଇମ୍ରାନ୍ଙ୍କ ଅଭଦ୍ର ବ୍ୟବହାର ପାକ୍ ସହ ଦ୍ୱିପାକ୍ଷିକ ବୈଠକ ବାତିଲ୍ କଲା ସାଉଦିଆରବ

ଆବୁଧାବି/ଇସଲାମାବାଦ୍(ଏଜେନ୍ସି): ଶିଷ୍ଟାଚାର ଓ ଶାଳୀନତାର ସମସ୍ତ ସୀମା ଟପିଯାଇଛନ୍ତି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ସାଉଦିଆରବର ରାଜା ସଲମାନ୍ ବିନ୍ ଅବଦ୍ଦୁଲାଜିଜ୍ଙ୍କୁ ସାକ୍ଷାତ କରିବା ଅବସରରେ ପ୍ରଚଳିତ କୂଟନୈତିକ “ପ୍ରୋଟୋକଲ୍’ର ଅବମାନନା କରି ସର୍ବସମ୍ମୁଖରେ ତାଙ୍କୁ ଇମ୍ରାନ୍ ଅସମ୍ମାନିତ କରିଛନ୍ତି । ଇମ୍ରାନ୍ଙ୍କ ଏପ୍ରକାର ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ କେନ୍ଦ୍ରକରି ଏବେ ସମଗ୍ର ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସମେତ ପାକିସ୍ତାନରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଓ ଆଲୋଡ଼ନ ସୃଷ୍ଟି ହୋଇଛି । ଅପରପକ୍ଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ଏହି ଅଭଦ୍ରୋଚିତ ବ୍ୟବହାରର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇମ୍ରାନ୍ଙ୍କୁ ଏବେ ଚାରିଆଡୁ ପ୍ରବଳ ସମାଲୋଚନାର ଶରବ୍ୟ ହେବାକୁ ପଡିଛି ।
ପ୍ରାପ୍ତ ସୂଚନାନୁସାରେ ଚଳିତ ବର୍ଷ ସାଉଦି ଆରବର ପବିତ୍ର ସହର ମକ୍କା ଠାରେ ଆୟୋଜିତ ହେବାକୁ ଥିବା “ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋ-ପରେସନ୍’ (ଓଆଇସି)ର ବୈଠକ ପୂର୍ବରୁ ମକ୍କା ଠାରେ ସାଉଦି ଆରବର ରାଜା ସଲମାନ୍ ବିନ୍ ଅବଦ୍ଦୁଲାଜିଜ୍ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକର ଆୟୋଜନ କରିଥିଲେ । ତେବେ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଏହି ଦ୍ୱିପାକ୍ଷିକ ବୈଠକରେ ଜଣେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାକୁ ଇମ୍ରାନ୍ ଖାନ୍ ଆସିଥିଲେ । ଇମ୍ରାନ୍ଙ୍କୁ ସ୍ୱାଗତ କରିବାକୁ ନିଜେ ରାଜା ସଲମାନ୍ ଉପସ୍ଥିତ ରହିଥିଲେ । ହେଲେ, ଇମ୍ରାନ୍ ସେଠାରେ ତାଙ୍କୁ ଅସମ୍ମାନିତ କଲାଭଳି ଆଚରଣ ପ୍ରଦର୍ଶନ କରିଥିଲେ । ମଧ୍ୟପ୍ରାଚ୍ୟର ସର୍ବମାନ୍ୟ ରାଜା ସଲମାନ୍ଙ୍କ ସହ ସେ ସିଧାସଳଖ କଥା ନହୋଇ ତାଙ୍କୁ ଆଙ୍ଗୁଠି ଦେଖାଇ ତାଙ୍କ ଇଣ୍ଟରପ୍ରିଟରଙ୍କ ସହ କଥା ହୋଇଥିଲେ ଇମ୍ରାନ୍ । ଏପରିକି ନିଜର ବକ୍ତବ୍ୟ ବା କଥା ଶେଷ ପୂର୍ବରୁ ଏବଂ ଇଣ୍ଟରପ୍ରିଟର ତାଙ୍କ କଥାକୁ ଅନୁବାଦ କରି ରାଜାଙ୍କୁ ଶୁଣାଉଥିବା ବେଳେ ଇମ୍ରାନ୍ ରାଜାଙ୍କ ଠାରୁ ଆନୁଷ୍ଠାନିକ ବିଦାୟ ନ ନେଇ କଥା ହେଉଥିବା ଅବସ୍ଥାରେ ତାଙ୍କୁ ପଛ କରି ବୁଲି ସେଠାରୁ ଚାଲି ଯାଇଥିଲେ । ସାଉଦିର ସର୍ବମାନ୍ୟ ରାଜା ସଲମାନ୍ ବିନ୍ ଅବଦ୍ଦୁଲାଜିଜ୍ଙ୍କୁ ଇମ୍ରାନ୍ ଏ ପ୍ରକାର ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ସମଗ୍ର ମଧ୍ୟପ୍ରାଚ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ମାମଲାରେ ପାକିସ୍ତାନକୁ ନିଜର ତୀବ୍ର ଅସନ୍ତୋଷ ଜଣାଇ ଦେଇଛି ସାଉଦିଆରବ । କେବଳ ସେତିକି ନୁହେଁ, ସାଉଦି ରାଜା ରାଜା ସଲମାନ୍ ବିନ୍ ଅବଦ୍ଦୁଲାଜିଜ୍ ପାକ୍ ପ୍ରଧାନମନ୍ତ୍ରୀଙ୍କ ସହ କରିବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନା ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ