ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ସାଧାରଣ ସଭା
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡ଼ି ସରକାରଙ୍କୁ ଚଳିତ ନିର୍ବାଚନରେ ପରାସ୍ତ କରିବା ଶ୍ରମଜୀବୀମାନଙ୍କର ଜାତୀୟ କର୍ତ୍ତବ୍ୟ ବୋଲି ‘୨୦୨୪ ସାଧାରଣ ନିର୍ବାଚନରେ ଶ୍ରମଜୀବୀମାନଙ୍କ ଭୂମିକା ଓ ଭବିଷ୍ୟତ’ ଶୀର୍ଷକ ସାଧାରଣ ସଭାରେ ଅତିଥିମାନେ ଏହି ମତପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇଏନ୍ଟିୟୁସି, ଏଆଇଟିୟୁସି ଏବଂ ସିଆଇଟିୟୁର ଆହ୍ୱାନକ୍ରମେ ମଙ୍ଗଳବାର ଦିନ ଅପରାହ୍ନରେ ବାଲେଶ୍ୱର ଷ୍ଟେସନକ୍ଲବ୍ ସଭାଗୃହରେ ଅନୁଷ୍ଠିତ ସଭାରେ ଆଇଏନ୍ଟିୟୁସିର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ ତାଙ୍କ ବକ୍ତବ୍ୟରେ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରଙ୍କ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ଶ୍ରମିକମାନେ ଦୀର୍ଘବର୍ଷର ସଂଗ୍ରାମ ଫଳରେ ହାସଲ କରିଥିବା ୪୪ଟି ଆଇନକୁ ଏହି ଦୁଇ ସରକାର ମାଲିକ ସପକ୍ଷରେ ପ୍ରଣୟନ ପାଇଁ ଉଦ୍ୟମ କରୁଛନ୍ତି । ଦେଶରେ ଦରଦାମ୍ ବୃଦ୍ଧି, ବେକାରୀ, ଶ୍ରମିକ ଛଟେଇ ପ୍ରଭୃତି ବୃଦ୍ଧି ପାଇଚାଲିଛି । ସମ୍ବିଧାନପ୍ରଦତ୍ତ ଅଧିକାରକୁ କେନ୍ଦ୍ରସରକାର ସଂକୁଚିତ କରୁଛନ୍ତି । ଆଗାମୀ ଦିନରେ ଶ୍ରମଜୀବୀ ମେହନତୀ ମଣିଷର ସ୍ୱାର୍ଥ ପାଇଁ ଏହି ଦୁଇ ସରକାରଙ୍କୁ ଗାଦିଚ୍ୟୁତ କରିବା ଆଜିର ଜାତୀୟ ଆହ୍ୱାନ ବୋଲି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ ।ଏହି ସଭାରେ ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ ଓ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଆଇଟିୟୁସିର ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ ମାୟାଧର ନାୟକ, ସିଆଇଟିୟୁର ଜିଲ୍ଲା ଆବାହକ ରାଜକିଶୋର ଲେଙ୍କା ଓ ଅସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଉପସଭାନେତ୍ରୀ ଜ୍ୟୋତ୍ସ୍ନା ସେନାପତି ସେମାନଙ୍କ ବକ୍ତବ୍ୟରେ ଇଣ୍ଡିଆ ମେଣ୍ଟର ବାଲେଶ୍ୱର ସାଂସଦ ପ୍ରାର୍ଥୀ ଓ ଜିଲ୍ଲାର ବିଧାୟକ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସ ଓ ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ରାଧାକାନ୍ତ ସେଠୀ ସଭାରେ ବିଳମ୍ବରେ ପହଞ୍ôଚ ବାଲେଶ୍ୱରରେ ଏହିଭଳି କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିଲେ । ସଭା ପରିଚାଳନାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠୀ, ତପନ ଅଗସ୍ତି, ସନାତନ ଦାସ ଓ ପ୍ରେମରଞ୍ଜନ ପାତ୍ର ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଆଇଏନ୍ଟିୟୁସିର ଜିଲ୍ଲା ସଭାପତି ସୁରେଶ ଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ଓ ସହରର ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ ।


