ସାବିତ୍ରୀ ଅମାବାସ୍ୟା
ବିପିନ ବିହାରୀ ମହାନ୍ତି
ସାବିତ୍ରୀବ୍ରତ ଜ୍ୟେଷ୍ଠ ଅମାବାସ୍ୟାରେ ପାଳିତ ହୁଏ । ଏହାର ଅନ୍ୟନାମ ସାବିତ୍ରୀ ଅମାବସ୍ୟା । ଏହା ସ୍ତ୍ରୀମାନଙ୍କର କର୍ତ୍ତବ୍ୟ ବ୍ରତ ହିସାବରେ ପାଳିତ ହୁଏ । ଏଥିରେ ବିବାହିତ ନାରୀମାନେ ସନ୍ତାନ ସୁଖ, ଆଜୀବନ ସ୍ୱାମୀ ସୁହାଗ ସୁଖ, ପରିବାରର ଅନ୍ୟମାନଙ୍କ ପ୍ରତି ପ୍ରୀତିଭାଜନ ସୁଖ ଲୋଡ଼ିଥା’ନ୍ତି ତଥା ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାଆନ୍ତି ।
କେହି ଭାବନ୍ତି ଯେ ଏହି ବ୍ରତରେ ସାବିତ୍ରୀ ଓ ସତ୍ୟବାନଙ୍କୁ ପୂଜା କରାଯାଏ । ଏଥିପାଇଁ ଚଉରାମୂଳେ ଏହି ବ୍ରତୋତ୍ସବ ପାଳନବେଳେ ସାବିତ୍ରୀ ଓ ସତ୍ୟବାନଙ୍କ କାହାଣୀ ସମ୍ବଳିତ ସେମାନଙ୍କର ଜୟଗାନ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟ ଦେବୀ ମା’ ସାବିତ୍ରୀ । ଏ ସାବିତ୍ରୀ ହେଉଛନ୍ତି ମା’ ଗାୟତ୍ରୀ, ଦୁର୍ଗା, ବ୍ରହ୍ମାଙ୍କ ପତ୍ନୀ ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଏ ଦେବୀ ରାଜା ସତ୍ୟବାନଙ୍କର ପତ୍ନୀ ସାବିତ୍ରୀ ନୁହଁନ୍ତି । ତେବେ ଦେବୀ ସାବିତ୍ରୀଙ୍କର ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ଧର୍ମ ବା ଯମଠାରୁ ଫେରାଇ ଆଣିଲା, ତାହାକୁ ଆଧାରକରି ମା’ ଗାୟତ୍ରୀଙ୍କୁ ମହିମାନ୍ୱିତ କରାଯାଇଛି ।
ମହାଭାରତ ବର୍ଣ୍ଣିତ କାହାଣୀରେ ମଦ୍ର ଦେଶର ଅଶ୍ୱପତି ନାମରେ ଜଣେ ରାଜା ଥିଲେ । ସେ ନିଃସନ୍ତାନ ଥିଲେ । ସନ୍ତାନଟିଏ ପାଇଁ ବ୍ୟାକୁଳ ହୋଇ ସେ ଅଠରବର୍ଷ କାଳ ମା’ ସାବିତ୍ରୀ (ଗାୟତ୍ରୀ)ଙ୍କୁ ପୂଜାକଲେ । ତାଙ୍କ ଆଶୀର୍ବାଦରୁ କନ୍ୟାରତ୍ନଟିଏ ସେ ଲାଭ କଲେ । ସେ ତା’ ନା’ ରଖିଲେ ସାବିତ୍ରୀ । ଏ ଗାୟତ୍ରୀ କ୍ରମଶଃ ଯୌବନରେ ପାଦଦେଲେ । ‘ରାଜକୁମାରୀ’ ଶବ୍ଦଟି ରୂପଯୌବନ ସଂପନ୍ନ କୌଣସି ରାଜାର କନ୍ୟାକଥାକୁ ବୁଝାଏ । ସେ ମର୍କଟୀ ହେଲେ ବି, ରାଜକୁମାରୀ ଏବଂ ସୁନ୍ଦରୀ କାରଣ ଯାହାହେଲେ ବି ସେ ରାଜାର ଝିଅ । କିନ୍ତୁ ସାବିତ୍ରୀ ରାଜକୁମାରୀମାନଙ୍କ ମଧ୍ୟରେ ସୁନ୍ଦରପଣକୁ ଶିରୋମଣି, ଅସାଧାରଣ ବା ପରମା ସୁନ୍ଦରୀ ।
ରାଜା ଅଶ୍ୱପତିଙ୍କ ପାଇଁ ସାବିତ୍ରୀଙ୍କ ନିମନ୍ତେ ବରଖୋଜା ଏକ ସମସ୍ୟା ହୋଇଗଲା । କାରଣ ସାବିତ୍ରୀଙ୍କର ରୂପ ଓ ଗୁଣର ପ୍ରତିଭାରେ ରାଜକୁମାର ମାନେ ଯେମିତି ନିଜକୁ ମଳିନ, ନିଷ୍ପ୍ରଭ ଓ ଅଯୋଗ୍ୟ ମନେକରୁଥିଲେ । ତେଣୁ ଯେତେ ପ୍ରସ୍ତାବ ବାଢ଼ି଼ିଲେବି, ସେମାନେ ଦୂରେଇ ଯାଉଥିଲେ । ଶେଷରେ ପିତା ଅଶ୍ୱପତି ସାବିତ୍ରୀଙ୍କୁ ଅନୁରୋଧ କଲେ ଯେ ସେ ତା’ ନିଜର ଇଚ୍ଛାବର ଠିକ୍ କରୁ ।
ସାବିତ୍ରୀ ପିତାଙ୍କ ବୋଝକୁ ଓହ୍ଲାଇବାରେ ସମ୍ମତି ପ୍ରକାଶ କଲେ ଏବଂ ସହଚରୀମାନଙ୍କ ଗହଣରେ ବରଖୋଜାରେ ଘୋର ବନସ୍ତଙ୍କୁ ବାହାରି ପଡ଼ିଲେ । ପୁରାତନ କାହାଣୀମାନଙ୍କରେ ରାଜକୁମାର ଓ ରାଜକୁମାରୀମାନଙ୍କର ମିଳନର ସ୍ଥଳୀ ଥିଲା ଘୋର ବନସ୍ତ; ରାଜା ପୁତ୍ରର ଦୁଃସାହସିକ ଭ୍ରମଣ ଅଥବା ପାରିଧି ଏବଂ ଆବଲୀଳାକ୍ରମେ ଜଙ୍ଗଲ ମଧ୍ୟରେ କୌଣସି ଭ୍ରମଣରତ ବା ସେମିତି କିଛିରେ ରାଜାକୁମାରୀ ସହିତ ସାକ୍ଷାତ ଏବଂ ପ୍ରେମର କାହାଣୀ ଅନେକ ଅଛି । କେଉଁଠି ମଧ୍ୟ ଶତ୍ରୁ ପକ୍ଷ ଦ୍ୱାରା ପରାସ୍ତ ହୋଇ ରାଜପୁତ୍ରର ଅଜ୍ଞାତ ବାସ ଏବଂ ପରବର୍ତ୍ତୀ ସମୟରେ ତା’ର ଆବିଷ୍କାର । ଏମିତି ଏକ କାହାଣୀଥିଲା ସାବିତ୍ରୀ ଓ ସତ୍ୟବାନଙ୍କର ।
ଶାଲ୍ୱରାଜ ବଂଶର ରାଜା ଦ୍ୟୁମତ୍ସେନ ତାଙ୍କ ରାଜତ୍ୱକାଳରେ ଦୃଷ୍ଟିଶକ୍ତି ହରାଇଥିଲେ । ତାଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ଶତ୍ରୁପକ୍ଷ ତାଙ୍କ ରାଜ୍ୟ ଦଖଲ କଲେ ଏବଂ ସେ ଜୀବନ ଧରି ଆସି ବନସ୍ତରେ ଆତ୍ମଗୋପନ କଲେ । ପାଖରେ ଥିଲେ ତାଙ୍କ ପତ୍ନୀ ଏବଂ ଏକମାତ୍ର ସନ୍ତାନ ସତ୍ୟବାନ ।
ସତ୍ୟବାନ ସତ୍ୟନିଷ୍ଠ, ନମ୍ର, ଭଦ୍ର, କର୍ତ୍ତବ୍ୟ ପରାୟଣ ଏବଂ ପିତାମାତାଙ୍କର ଥିଲେ ସୁଯୋଗ୍ୟ ସନ୍ତାନ । ସେ ତାଙ୍କ ପିତାମାତାଙ୍କ ସେବାକୁ ପରମଧର୍ମ ବୋଲି ଭାବୁଥିଲେ । ଅନ୍ୟ ପକ୍ଷରେ ସେ ଥିଲେ ସୁଶ୍ରୀ, ସୁନ୍ଦର, ସୁଠାମ ଏବଂ ସ୍ୱାସ୍ଥ୍ୟବାନ, ଗୁଣବାନ୍, ଉଦାର ଓ ସେବାର ଥିଲେ ମୂର୍ତ୍ତିମନ୍ତ୍ର ଶ୍ରେଷ୍ଠ ବିଭବ । ଗୋଟିଏ ନାରୀର ହୃଦୟରେ ଆସନଟିଏ ପାଇବାପାଇଁ ରୂପ-ଗୁଣ-ବିଭବ ତିନିହେଁ ତିନିକୁ ବଳି ଯାଉଥିଲେ । ଜଣେ ସତୀ, ସ୍ୱାଧୀ ଏବଂ ବିଜ୍ଞା ନାରୀଟି ଆଖିରେ ପାର୍ଥିବ ସଂପତ୍ତି ତା’ ପାଇଁ ବିଭବ ନୁହେଁ, କାହାର ସୁଚରିତ୍ର ଅର୍ଥାତ୍ ସ୍ୱାମୀର ସୁ-କାର୍ଯ୍ୟାବଳୀ ହିଁ ଶ୍ରେଷ୍ଠ ସଂପଦ ।
ସେ ସତ୍ୟବାନଙ୍କୁ ଦେଖୁ ଦେଖୁ ତାଙ୍କ ପ୍ରେମରେ ଅନ୍ଧହୋଇଗଲେ ଏବଂ ତାଙ୍କୁ ବିବାହ କରିବା ନିମନ୍ତେ ସଂକଳ୍ପ ବଦ୍ଧ ହେଲେ ଓ ପତିରୂପେ ବରଣ କଲେ ।
ଗୃହକୁ ଫେରି ଏକଥା ପିତାଙ୍କୁ ଜଣାଇଲା ବେଳକୁ ସେଠାରେ ନାରଦ ଉପସ୍ଥିତ ଥିଲେ । ଦୁହେଁ ତ ଖୁସି ହେଲେ ନିଶ୍ଚିତ ତେବେ ନାରଦ ସୂଚାଇ ଦେଲେ ଯେ ସତ୍ୟବାନ୍ ସାବିତ୍ରୀଙ୍କର ଯୋଗ୍ୟ ସ୍ୱାମୀ ହେଲେ ହେଁ, ବିବାହର ଏକବର୍ଷ ପୂର୍ତ୍ତି ଦିନ ତାଙ୍କର ବୈଧବ୍ୟ ଯୋଗ ଅଛି । ଏଣୁ ସାବିତ୍ରୀ ମତପରିବର୍ତ୍ତନ କରି ଅନ୍ୟତ୍ର ଦେଖନ୍ତୁ ।
ସେଦିନ ସାବିତ୍ରୀଙ୍କର ଦୃଢ଼ୋକ୍ତି ଥିଲା; ଜଣେ ସତୀ ନାରୀ ଜଣକୁ ତା’ ଦେହ ଓ ମନ ସମର୍ପି ଦେଲାପରେ, ଯେତେ ଯାହା ହେଲେ ବି ସେ ଦ୍ୱିତୀୟ ପତି ଗ୍ରହଣ କରିପାରେ ନା! ସତ୍ୟବାନ୍ ଥାଉ ଥାଉ ମୁଁ ଅସତୀ ହୋଇପାରିବି ନାହିଁ ।
ସେଦିନ ମୃଦ୍ୟୁ ହସି ନାରଦ କହିଥିଲେ : ମୁଁ ଜାଣେ ସାବିତ୍ରୀ, ତୁମ ପାଇଁ ସବୁ ସମ୍ଭବ ।
ସାବିତ୍ରୀଙ୍କର ସତ୍ୟବାନଙ୍କ ସହିତ ଯଥାରୀତି ବିବାହ ସଂପର୍ଣ୍ଣ ହେଲା । ସାବିତ୍ରୀ ଉଭୟଙ୍କର ବଂଶ ପରିଚିତି ଓ ଦୂରବସ୍ଥା ପ୍ରତି ଅବଗତ ହେଲେ । ନିଜ ସ୍ୱାମୀ ପରିବାରର ଦୁଃଖ ସହିତ ନିଜକୁ ସାମିଲ କରି ସେବା ଏବଂ କର୍ତ୍ତବ୍ୟ ସଂପାଦନା ବଳରେ ସମସ୍ତଙ୍କର ବିଶେଷକରି ସ୍ୱାମୀ , ଅନ୍ଧ ଶ୍ୱଶୁର, ଶାଶୁ, ଋଷି ଓ ଗୁରୁଜନମାନଙ୍କର ବିଶ୍ୱାସ ଓ ପ୍ରିୟଭାଜନ ହେଲେ ।
ନାରଦଙ୍କ ବାଣୀ କାନରେ ଶୁଣାଯାଉଥାଏ : ବିବାହରର ବର୍ଷ ପୂର୍ତ୍ତିଦିନ…. । ସତ୍ୟବାନ୍ ।
ବର୍ଷ ପୂର୍ତ୍ତିପାଇଁ ଚାରିଦିନ ବାକିଥାଏ । ସେ ନିର୍ଜଳା ଉପବାସ କଲେ । ସମସ୍ତଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରି ଉପାସ ରହିଲେ ଏବଂ ଶେଷରେ ଚତୁର୍ତଦିନ ଶାଶୁ ଓ ଶ୍ୱଶୁରଙ୍କ ଅନୁମତି ନେଇ ସତ୍ୟବାନଙ୍କ ସହ କାଠ ସଂଗ୍ରହ ପାଇଁ ବନସ୍ତକୁ ଗଲେ । ଏଇଟା ଥିଲା ଗୋଟିଏ ବାଧ୍ୟ ବୋହୂପ୍ରତି ପ୍ରଥମ ଅବାଧ୍ୟକାର୍ଯ୍ୟ ତଥା ଜଙ୍ଗଲକୁ ସ୍ୱାମୀ ସଂଗେ ଯିବା ପ୍ରଥମ । ଏହା ସମସ୍ତଙ୍କୁ ଆଚମ୍ବିତ କରୁଥିଲେ ହେଁ, ତାଙ୍କ ପାଇଁ କାହାଠି ପ୍ରଶ୍ନ ନଥିଲା ।
ଜଙ୍ଗଲ ମଧ୍ୟରେ ଗଲାବେଳେ ସେମାନେ ଫଳମୂଳ ଗୋଟିଏ ଝୁଲା ମୁଣିରେ ସଂଗ୍ରହ କରୁଥିଲେ । କିଛି ଦୂର ଅତିକ୍ରାନ୍ତେ ଜଙ୍ଗଲ ମଧ୍ୟରେ ଏକ ଶୁଖିଲା ବୃକ୍ଷ ପଡ଼ିଲା । ସେଇଠି ଝୁଲାମୁଣିଠି ଟଙ୍ଗେଇ ଗଛ ଉପରେ ଚଢ଼ିଲେ ସତ୍ୟବାନ । କାଟିଲେ ଶୁଖିଲାକାଠ । ହଠାତ୍ ତାଙ୍କ ମୁଣ୍ଡ ଘୁରାଇବା ଆରମ୍ଭ ହେଲା । ସେ ଭୂପାତ ହେଲେ । ସାବିତ୍ରୀ ତାଙ୍କୁ କୋଳକୁ ସତ୍ୟବାନ୍ଙ୍କୁ ଉଠାଇ ନେଲେ ।
ଏବେ ଯମ ବା ଧର୍ମ ବର୍ତ୍ତମାନ ହୋଇ କହିଲେ : ସାବିତ୍ରୀ, ସତ୍ୟବାନଙ୍କର ସତ୍ୟ ନିଷ୍ଠତା ତଥା ସେବା ଓ କର୍ତ୍ତବ୍ୟ ପରାୟଣତା ମୋତେ ମୁଗ୍ଧ କରିଛି । ଏଣୁ ମୁଁ ଦୂତମାନଙ୍କୁ ନ ପଠାଇ ନିଜେ ସମ୍ମାନର ସହିତ ତାଙ୍କୁ ନେଇଯିବାକୁ ଆସିଛି । ଆଉ ମୁହୂର୍ତ୍ତଟିଏ ଏଠି ରହିବାର ଅଧିକାର ନାହିଁ । ଏତିକି କହି ସେ ତାଙ୍କ ଡାହାଣ ହାତ ପ୍ରସାରଣ କରି ସତ୍ୟବାନଙ୍କ ଆତ୍ମାକୁ ନିଜଆଡ଼କୁ ଟାଣିନେଲେ ଏବଂ ଚାଲିଗଲେ ।
ସାବିତ୍ରୀ ସତୀ ଥିଲେ । ଜଣେ ସତୀ ନାରୀପାଇଁ ସବୁ ସମ୍ଭବ ତେଣୁ ସ୍ୱଦେହରେ ସାବିତ୍ରୀ ଯମକୁ ଅନୁଗମନ କଲେ । ଯମ ତାଙ୍କୁ ବାରମ୍ବାର କହୁଥା’ନ୍ତି ତୁମେ ତୁମ କର୍ତ୍ତବ୍ୟ ସାରିଛ । ଏଥର ଫେରିଯା’ । ସେ କିନ୍ତୁ ତାଙ୍କ କଥା ନଶୁଣି ନିଜ ବ୍ୟବହାର ଓ କଥା ଛଳରେ ଧର୍ମଙ୍କ ହୃଦୟକୁ ଜୟ କରିନେଲେ ଏବଂ ତାଙ୍କୁ ଗୋଟିଏ ପରେ ଗୋଟିଏ ବର ମାଗିନେଲେ । ଅବଶ୍ୟ ଯମ ସର୍ତ୍ତ ରଖିଥିଲେ ଯେ ସତ୍ୟବାନଙ୍କ ଜୀବନ ବ୍ୟତୀତ ଆଉ ଯାହା କିଛି ମାଗିପାରନ୍ତି ।
ଏହିକ୍ରମେ ପ୍ରଥମ ବର : ମୋ ଶ୍ୱଶୁର ରାଜ୍ୟହରା ଓ ଅନ୍ଧ । ତାଙ୍କ ରାଜ୍ୟ ତାଙ୍କୁ ଫେରାନ୍ତୁ ଏବଂ ଦୃଷ୍ଟିଶକ୍ତି ଦିଅନ୍ତୁ ।
‘ତଥାସ୍ତୁ ।’
‘ମୋ ପିତା ନିଃସନ୍ତାନ, ତାଙ୍କୁ ପୁତ୍ର ଦାନ କରନ୍ତୁ ।’
‘ତଥାସ୍ତୁ ।’
’ମୋତେ ଏକ ସୁଯୋଗ୍ୟ ପୁତ୍ରର ମାତା ହେବାର ପରମ ସୌଭାଗ୍ୟ ଦିଅନ୍ତୁ ।’
‘ତଥାସ୍ତୁ ।’
ସାବିତ୍ରୀ କହିଲେ : ହେ ଧର୍ମଦେବ, ମୁଁ ମୋ ପତି ବିନା କିପରି ମାତୃତ୍ୱ ପ୍ରାପ୍ତି ହେବି? ମୁଁ ଯେ ସତୀ ନାରୀ । ମୁଁ କେବେବି ପର ପୁରୁଷକୁ ଅନାଇ ପାରିବି ନାହିଁ । ଆପଣ ମୋ ସ୍ୱାମୀଙ୍କ ଜୀବନ ଫେରାନ୍ତୁ ।
ଅଗତ୍ୟା ଯମ ନିରୁପାୟ । ସେ ପ୍ରତିଶ୍ରୁତିବଦ୍ଧ । ଏଣୁ ବାଧ୍ୟହୋଇ କହିଲେ : ତଥାସ୍ତୁ ।
ଏହାପରେ ସାବିତ୍ରୀ ତାଙ୍କ ସ୍ୱାମୀଙ୍କ ଶବପାଖକୁ ଫେରିଲେ । ସତ୍ୟବାନଙ୍କର ମଥାଟିକୁ ନିଜ କୋଳରେ ରଖି ଆଉଁଷି ଦେଲେ । କହିଲେ : ଉଠ, ଅନ୍ଧାର ହେଲାଣି । ଘରକୁ ଯିବା । ସମସ୍ତେ ବ୍ୟସ୍ତ ହେଉଥିବେ ।
ନିଦ୍ରାରେ ସ୍ୱପ୍ନରୁ ଉଠିଲାପରି ସତ୍ୟବାନ ଅଖି ମଳିମଳି ଉଠିଲେ । କେମିତି କ’ଣ ଗୋଟେ ହୋଇଗଲା ଯେ ସେ ଏତେ ସମୟ କ୍ଲାନ୍ତ ଓ ଶ୍ରାନ୍ତ ହୋଇଯିବାରୁ ଶୋଇଗଲେ ବୋଲି ପୁଚ୍ଛିଲେ । ସାବିତ୍ରୀ କହିଲେ : ଏବେ ନୁହେଁ, କାଲି । ଏବେ ଶୀଘ୍ର ଘରକୁ ଫେରିବା ବେଳ ।
ଏହାପରେ ସେ ଫଳ ପୂର୍ଣ୍ଣ ଝୁଲାମୁଣିଟି ସେହି ଗଛରେ ନଟକାଇ ଦେଲେ । ତାଙ୍କୁ ପରେ ନେବେ ବୋଲି କହିଲେ । ସେ ସତ୍ୟବାନଙ୍କୁ ଧିରେ ଧିରେ ଉଠାଇ ଛିଡା କଲେ । ତାଙ୍କର ବାମହାତଟି ନିଜ କାନ୍ଧରେ ଭାରା ପାଇଁ ରଖିଲେ ନିଜର ଡାହାଣ ହାତରେ ସତ୍ୟବାନଙ୍କର କମରକୁ ଆବଦ୍ଧ କରି ଏହିପରି ଭଙ୍ଗିରେ ସେ ଦୁର୍ବଳ ଶରୀରଟି ଧରି ଗୃହମୁଖେ ଯାତ୍ରା କଲେ ।
ଘରେ ପହଞ୍ôଚ ଦେଖିଲେ ଯମ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିଛନ୍ତି । ଏହା କିପରି ଘଟିଲା ବୋଲି ସେ ସମସ୍ତଙ୍କର ଜିଜ୍ଞାସୁ ପ୍ରଶ୍ନର ଉତ୍ତର ଦେଲେ । ଏକଥା ଶୁଣି ସମସ୍ତେ ଆଚମ୍ବିତ ହେଲେ ଏବଂ କହିଲେ : ତୁ ପୂଜ୍ୟା ମା’ ।
ସାବିତ୍ରୀ କହିଲେ : ନା’ ମୁଁ ପୂଜ୍ୟା ନୁହେଁ; ପୂଜ୍ୟା ହେଉଛନ୍ତି ମା’ ସାବିତ୍ରୀ : ଗାୟତ୍ରୀ । ମୁଁ ମାନବୀ । ତାଙ୍କ ପ୍ରସାଦରୁ ପିତା ମୋତେ ପାଇଛନ୍ତି ଏବଂ ନା ରଖିଛନ୍ତି ସାବିତ୍ରୀ, ତାଙ୍କ ପାଇଁ ସବୁ ସମ୍ଭବ । ପୁନଶ୍ଚ ପୂଜ୍ୟ ହେଉଛନ୍ତି ଯମଦେବ । ସେ ମୋର ସକଳ ଆଶା ପୂରଣ କରିଛନ୍ତି । ମୋ ସ୍ୱାମୀଙ୍କୁ ପୁର୍ନଜନ୍ମ ଦେଇଛନ୍ତି । ପୂଜ୍ୟ ହେଉଛନ୍ତି ଆପଣମାନେ । ଆପଣଙ୍କର ଆଶୀର୍ବାଦ ମୋ ସାଧନାକୁ ସଫଳ କରିଛି ।
ଅଥଚ ଆଜି ଏ ବ୍ରତରେ ଭରି ରହିଛି କୃତ୍ରିମତା । କର୍ତ୍ତବ୍ୟ ଏବଂ ସେବା ପରିବର୍ତ୍ତେ ଆଜିର ସାବିତ୍ରୀମାନେ ନିଜର ଶାଶୁ, ଶ୍ୱଶୁର, ସ୍ୱାମୀ ଏବଂ ପରିବାର ବର୍ଗକୁ ଦିଅନ୍ତି ନିର୍ଯାତନା । ପୂର୍ଣ୍ଣ ସ୍ୱାଧୀନତା ଏବଂ ତୁଚ୍ଛା ସ୍ୱାର୍ଥକୁ ଏମାନେ ଅମୃତରେ ମିଶାନ୍ତି ବିଷ । କାହାକୁ ମୃତ୍ୟୁ ମୁଖରୁ ଫେରାଇ ଆଣିବା ପରିବର୍ତ୍ତେ, ଦେଖାଇ ଦିଅନ୍ତି ମୃତ୍ୟୁର ପଥ । ବଂଶ ଉଦ୍ଧାରିବା ପରିବର୍ତ୍ତେ, ବଂଶ ନାଶର ପ୍ରତିଶ୍ରୁତି ଧରି ଆସିଥାନ୍ତି ଶ୍ୱଶୁରାଳୟ । ଶୃଙ୍ଖଳିତ ପରିବାର ଓ ସମାଜଟିଏ ଗଢ଼ିବାପାଇଁ ଯେଉଁ ନାରୀର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ ସେ ଆଜି ପାଲଟିଛି ମହାବିସ୍ଫୋରକ ଆଗ୍ନେୟସ୍ତୁପ ।
ଏଠି କୌଣସି ସ୍ତ୍ରୀ ସତୀ ଓ ସ୍ୱାଧୀପରି ମନେହୁଏ ନାହିଁ । କାରଣ ଦେହରେ ସତୀଥାଇ କେହିବି ମନରେ ଅସତୀ ଥାଇପାରେ କିମ୍ବା କେଉଁ ପୁରୁଷ ଏଠି ସତ୍ୟନିଷ୍ଠ ନୁହେଁ । ସମସ୍ତେ ଏଠି ଉଦ୍ଭ୍ରାନ୍ତ ଏବଂ ବିଭ୍ରାନ୍ତ । ସାବିତ୍ରୀ ଓ ସତ୍ୟବାନଙ୍କର ଦୃଷ୍ଟ୍ରାନ୍ତ ଖୋଜି ଏଠି କୋଟିକରେ ଗୋଟିଏ ବି ନାହିଁ ଅଥଚ ପୂଜା ଚାଲିଛି ।
ଏøତିହାସିକ ପୃଷ୍ଠଭୂମିରେ ଆଧାରିତ ଏବଂ ପୌରାଣିକ କାହାଣୀରେ ବର୍ଣ୍ଣିତ ‘ସାବିତ୍ରୀ : ସତ୍ୟବାନ୍’ ରେ ସତ୍ୟତା କେତେ ଅଛି, ଆମେ ଜାଣିବାରେ ଯେତିକି ଆଗ୍ରହ ନୋହୁଁ ତା’ ଠୁ ବେଶି ଆଗ୍ରହୀ ଯେ ଏକ ସୁସ୍ଥ ପରମ୍ପରା ଗଠନରେ ଏହାର ଯୋଜନାବଦ୍ଧ ଗଠିତ ନକ୍ସାଟି । ଏଇ ଯେମିତି ଶୃଙ୍ଖଳ, ଶୃଙ୍ଖଳା ଓ ନ୍ୟାୟ ପାଇଁ ଯମ, ସଂଯମତା ଓ ଚାରିତ୍ରିକ ଦୁର୍ବଳତା ତଥା ସ୍ଖଳନରୁ ମୁକ୍ତି ପାଇଁ ନାରୀର ସତୀତ୍ୱ ଏବଂ ପୁରୁଷର ଯତିତ୍ୱ ରକ୍ଷା : ସୁ- ଶୃଙ୍ଖଳିତ ପରିବାର ଏବଂ ସମାଜ ଗଠନରେ ନାରୀ ପୁରୁଷର ସମ୍ପର୍କ, ଜ୍ୟେଷ୍ଠ ବା ବରିଷ୍ଠମାନଙ୍କର କନିଷ୍ଠ ମାନଙ୍କ ପ୍ରତି ଆଶୀର୍ବାଦ, କନିଷ୍ଠମାନଙ୍କର ବରିଷ୍ଠମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ଏବଂ ସର୍ବୋପରି ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟିରେ ଶୁଖିଲା କାଠ ସଂଗ୍ରହ ଇତ୍ୟାଦି ଅନେକ ଶିକ୍ଷଣୀୟ ତଥ୍ୟ ଏହା ବହନ କରେ । ଅଥଚ ସାର୍ଥକତାର ସ୍ୱାର୍ଥ ଭିତରେ ଏବେ ନିରାର୍ଥକର ପ୍ରଶ୍ନମାନେ ଉଙ୍କି ମାରନ୍ତି ସାମ୍ପ୍ରତିକ ଅବହାୱାରେ, ଏହାହିଁ ଦୁଃଖ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶନଗର, ଜଟଣୀ, ଖୋର୍ଦ୍ଧା, ଫୋନ୍-୯୯୩୮୩୪୪୧୩୮
ମୋ : ୯୯୩୮୩୪୪୧୩୮


