ସାମାଜିକ ଗଣମାଧ୍ୟମରେ ଅପପ୍ରଚାର : ଭିଡିଓ ଭାଇରାଲ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦିନକୁ ଦିନ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ବଢିବାରେ ଲାଗିଛି । କେତେବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ୱାଟସ୍‌ଅପ ନମ୍ବର ତ କେତେବେଳେ ବ୍ରହ୍ମପୁର ବିଇଏମସି କମିଶନରଙ୍କ ଫେକ ଆଇଡି ବ୍ୟବହାର କରି ଟଙ୍କା ଲୋକଙ୍କ ଠାରୁ ମାଗିବା ଠାରୁ ଆରମ୍ଭ କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ଫୋନ ନମ୍ବରରେ ଆକାଉଣ୍ଟ ଖୋଲି ହିଞ୍ଜିଳିକାଟୁ ତହସିଲଦାରଙ୍କୁ ହାଓ ଆର ୟୁ ମେସେଜ ପଠାଇ  ସାଇବର ଠକ ମାନେ କାରନାମା ଚଲାଇ ଆସୁଥିବା ବେଳେ ଘଟଣା ସର୍ମ୍ପକରେ ସାଇବର ଥାନାରେ ମାମଲା ରୁଜୁ ହୋଇଛି । ବିଭିନ୍ନ ସମୟରେ ସାଇବର ଠକ ମାନେ ବିଭିନ୍ନ ଲୋକଙ୍କ ନକଲି ଆଇଡି ବ୍ୟବହାର କରି ବିଭିନ୍ନ ସାମାଜିକ ଗଣମଧ୍ୟମରେ ଲୋକଙ୍କୁ ଭୂଆଁ ବୁଲାଇ ଅତ୍ୟାବଶ୍ୟକ ଥିବା ବାହାନା କରି ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ନଜିର ରହିଛି । ବର୍ତ୍ତମାନ ଆଉ ଏକ ଘଟଣା ସାମାଜିକ ଗଣମାଧ୍ୟରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଚର୍ଚ୍ଚା ଠାରୁ ଅଧିକ ସନ୍ଦେହ ସୃଷ୍ଟି କରୁଛି ଏକ ନିର୍ଦ୍ଧିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ ଉପସ୍ଥାପିତ ହୋଇଥିବା ଚର୍ଚ୍ଚିତ ଭାଇରାଲ ଭିଡିଓ ପ୍ରସଙ୍ଗ ।  ଘଟଣା ସତ ହୋଇଥିଲେ ଭାରି ସାଙ୍ଘାତିକ । ସୋମବାର ସନ୍ଧ୍ୟାରୁ ଏକ ଫେସବୁକ ଆଇଡିରେ ଘଟଣାକୁ ଅପଲୋଡ କରାଯାଇ ଭାଇରାଲ କରାଯାଇଛି । ସବୁଠାରୁ ଉଦବେଗର ବିଷୟ ହେଲା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଓ ଏକ ନିର୍ଦ୍ଧିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ଲୋଗ  ବ୍ୟବହାର କରି ବ୍ରେିକିଂ ନିଉଜରେ ଖବରକୁ ପ୍ରସାରିତ ହେବା ଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।  ପ୍ରକାଶ ଯେ, ‘ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ସିକିରି ଗ୍ରାମ ପଞ୍ଚାୟତର ସରପଞ୍ଚ ସୁରେଶ ବରଡଙ୍କୁ ୧ ନମ୍ବର ସରପଞ୍ଚ ଭାବେ ଘୋଷିତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ’ । ଓଡିଶାରେ ପ୍ରସାରିତ ହେଉଥିବା ଏକ ନିର୍ଦ୍ଧିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ଲୋଗ ଥାଇ ବ୍ରେକିଂ ନିଉଜରେ ଖବରକୁ ପ୍ରସାରଣ କରାଯାଇଥିବା ଭିଡିଓ ଭାଇରାଲ ହୋଇଛି । ସଂପୃକ୍ତ ଭିଡିଓକୁ କୌଣସି ଏକ ବ୍ୟକ୍ତି ‘ ମୁଁ  ଭି ରାଜନୀତି କରିବି’ ଫେସବୁକ ଆଇଡିରେ ଅପଲୋଡ କରି ପ୍ରଚାର ଚଳାଇଥିବା ଦେଖିବାକୁ ମିଳିଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଭାଇରାଲ ହେବା ପରେ ଅଞ୍ଚଳର ବିଭିନ୍ନ ମହଲକୁ ଚକିତ କରିଛି । ଏ ନେଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କ ସହ ଯୋଗାଯୋଗ ବେଳେ ଘଟଣାକୁ ଫେକ୍ ବୋଲି ସୂଚନା ଦେଇଛନ୍ତି । ସିକିରି ସରପଞ୍ଚ ସୁରେଶ ବରଡଙ୍କୁ ପଚାରିବାରୁ ସେ କୁହନ୍ତି ପରିମଳ ବିଭାଗ ପକ୍ଷରୁ ଗତ ଏପ୍ରିଲ ମାସରେ ପୁରସ୍କୃତ କରାଯାଇଥିବାରୁ ବର୍ତ୍ତମାନ ଏହା ପ୍ରସାରିତ ହୋଇ ଥାଇପାରେ ।  ଘଟଣା ସର୍ମ୍ପକରେ ହିଞ୍ଜିଳିକାଟୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ଦଳେଇଙ୍କ ସହ ଯୋଗାଯୋଗ ବେଳେ ବିଭାଗ ପକ୍ଷରୁ କେବେ ପୁରସ୍କୃତ କରାଯାଇନଥିବା ସେ ପ୍ରତିକ୍ରିୟା ରଖିଛନ୍ତି । ସଂପୃକ୍ତ ବୌଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୋଗାଯୋଗ ବେଳେ ଏଭଳି କୌଣସି ବ୍ରେକିଂ ନିଉଜ ପ୍ରସାରଣ କରାଯାଇନଥିବା ସୂଚନା ଦେଇଛନ୍ତି । ଉକ୍ତ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣରେ ନିନ୍ଦିତ କରିବା ପାଇଁ ପ୍ରୟାସ କରାଯାଇଛି । ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ଏହି ସଙ୍ଗୀନ ଘଟଣାରେ ସଂପୃକ୍ତି ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ