ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ହିଞ୍ଜିଳି ଗସ୍ତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଚଳିତ ଅକ୍ଟୋବର ମାସ ୧୯ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ” ଗତି” ସୃଷ୍ଟି ହୋଇ ଗଭୀର ଅବପାତ ରୂପ ହେବା ନେଇ ଆଞ୍ଚଳିକ ପାଣିପାଗ ଭୁବନେଶ୍ୱର ସୂତ୍ରରୁ ପ୍ରକାଶ।ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗଞ୍ଜାମ ଜିଲ୍ଲା ପ୍ରଶାସନ ସତର୍କ କରାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁସାରେ ହେବାକୁ ରହିଥିବା ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ସାମ୍ଭାବ୍ୟ ଵନ୍ୟା ମୁକାବିଲା କରିବା ପାଇଁ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ବ୍ଳକର ଆଲପୁର ଗ୍ରାମ ପଞ୍ଚାୟତକୁ ଯାଇ ଵନ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ତଳିଆ ତଥା ନଦୀ ଉପକୂଳବର୍ତ୍ତି ଅଞ୍ଚଳରେ କିଛି ଅଘଟଣ ଘଟିବା ଆଶଙ୍କା ରହିଛି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପରିସ୍ଥିତିର ମୁକାବିଲା ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଖାଲୁଆ ଅଞ୍ଚଳରେ , କଚ୍ଚା ଘରେ, ବହୁ ପୁରାତନ କୋଠାଘରେ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଘରେ ରହୁଥିବା ପରିବାରବର୍ଗଙ୍କୁ ସ୍ଥାନାନ୍ତରିତ କରି ଉଚ୍ଚ ସ୍ଥାନ, ବନ୍ୟା ଆଶ୍ରୟସ୍ଥଳ, ସୁରକ୍ଷିତ ବିଦ୍ୟାଳୟ ଗୃହରେ ରଖାଯିବା ବ୍ୟବସ୍ଥା କରାଯିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଠାରୁ ଚିହ୍ନଟ କରି ମାଇକ ଦ୍ୱାରା ପ୍ରଚାର କରି ସ୍ଥାନାନ୍ତର ଯୋଜନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଲୋକଙ୍କ ଘରେ ରଖାଯାଇଥିବା ଖାଦ୍ୟ ଓ ବସ୍ତ୍ର ଗୁଡ଼ିକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନରେ ରଖାଯିବା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ରହିବା ସ୍ଥାନରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ କୁହାଯାଇଛି । ସେହିଭଳି ଅନ୍ୟ ସମସ୍ତ ଅଞ୍ଚଳରେ ମଧ୍ୟ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ପକ୍ଷରେ ଲୋକଙ୍କୁ ସଚେତନ କରିବା ପାଇଁ ମାଇକିଂ ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଜନ୍ମେଜୟ ସାହୁ, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ସିଡିପିଓ ଶୁଭଶ୍ରୀ ପାତ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ମନୋଜ କୁମାର ପୋଲାଇଙ୍କ ସହ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।