ସାମୟିକ ଭାବେ ସ୍ଥଗିତ ରହିଥିବା ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଦେବଗଡ଼ ଠାରୁ ଆରମ୍ଭ ହେଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ କଂଗ୍ରେସର ଭାରତ ଯୋଡ଼ ଯାତ୍ରା-ଯାହା ସାମୟିକ ଭାବେ ବନ୍ଦ ହୋଇଥିଲା ତାହା ଆଜି ପୁଣି ଦେବଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଛି । ଆଜି ଦେବଗଡ଼ ସହର ଉପକଣ୍ଠରେ ଥିବା ଝାଡ଼େଶ୍ୱର ମନ୍ଦିର ଠାରୁ ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ ଯାତ୍ରା-ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଉମାଶଙ୍କର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ଯାତ୍ରା ସମଗ୍ର ଦେବଗଡ଼ ସହର ପରିକ୍ରମା କରି ବଣିଆଚିଲିଣ୍ଡାଠାରେ ଶେଷ ହୋଇଥିଲା । ପିସିିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରଥମେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରା ଆରମ୍ଭ କରିଥିଲେ । ରାଜାମୁଣ୍ଡା ଚର୍ଚ୍ଚ ଠାରେ ମଧ୍ୟ ଶ୍ରୀ ପଟ୍ଟନାୟକ ପୂର୍ଜା ଅର୍ପଣ କରିଥିଲେ । ଏହାପରେ ବହୁ ମୁସ୍‌ଲିମ ସମ୍ପ୍ରଦାୟର ଲୋକମାନେ ପିିସିସି ସଭାପତିଙ୍କୁ ଭେଟି ନିଜର ସମସ୍ୟା ସମ୍ପର୍କରେ ଜଣାଇଥିଲେ । ସହର ପରିକ୍ରମା ସମୟରେ ବେକାର ଯୁବକ ଓ ଚାଷୀ ମଧ୍ୟ ପିସିସି ସଭାପତିଙ୍କୁ ଭେଟି ଜିଲ୍ଲା ସମ୍ପର୍କରେ ଅବଗତ କରାଇଥିଲେ । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଗୋପବନ୍ଧୁ ଛକରେ ଏକ ସାଧାରଣ ସଭା ହୋଇଥିଲା । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହି ସାଧାରଣ ସଭାରେ ଯୋଗଦେଇ କହିଥିଲେ ଯେ, ଦେବଗଡ଼ ଜିଲ୍ଲା ପ୍ରତି ନବୀନ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ୨୨ ବର୍ଷ ଧରି ଦେବଗଡ଼ ଜିଲ୍ଲାର ସମସ୍ୟା ପ୍ରତି ନବୀନ ସରକାର ଉଦାସୀନ । ଏଠାକାର ଜନସାଧାରଣ ସରକାରଙ୍କ ନିମ୍ନତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ôଚତ । ଏଠାରେ ଡ଼ାକ୍ତରଖାନାରେ ଆବଶ୍ୟକୀୟ ଡ଼ାକ୍ତର ନାହାଁନ୍ତି, ସ୍କୁଲରେ ଶିକ୍ଷକମାନଙ୍କ ଅଭାବ । ସରକାରୀ ଯୋଜନା ସବୁ ପିସିର ଶିକାର । ଜିଲ୍ଲାରେ ଅଧିକଂଶ ପରିବାର ହେଉଛନ୍ତି ଚାଷୀ । ମାତ୍ର ଦେବଗଡ଼ ଜିଲ୍ଲାର ଚାଷୀ ସମ୍ପୂର୍ଣ୍ଣ ଉପେକ୍ଷିତ, ଜିଲ୍ଲାରେ ଶିଳ୍ପ ନାହିଁ । ଯୁବସମାଜ ବେକାରୀର ତାଡ଼ନାରେ ତଳିତଳାନ୍ତ । ଏଣୁ ଏଠାରେ ବିକାଶର ଆଲୋକ ଆଣିବା ପାଇଁ ପରିବର୍ତ୍ତନର ଆବଶ୍ୟକ । କଂଗ୍ରେସ ଚାଷୀ ଓ ଚାଷର ବିକାଶ ପାଇଁ କଂକଳ୍ପବଦ୍ଧ । ଜିଲ୍ଲାକୁ ସମ୍ପୂର୍ଣ୍ଣ ଜଳସେଚିତ କରାଯିବ । ଏଠାକାର ଚାଷୀ ପରିବର୍ତ୍ତନର ସୂତ୍ରଧର ହୁହନ୍ତୁ, ନବୀନ ଓ ମୋଦି ସରକାରକୃତ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ । ମୋଦି ସରକାର ଓ ନବୀନ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏମାନଙ୍କର ବାଦ ବିବାଦ କେବଳ ଲୋକ ଦେଖାଣିଆ । ମହଙ୍ଗା ମାଡ଼, କଳା କୃଷି ଆଇନ, ଉତ୍କଟ ବେକାରୀ ପ୍ରଭୃତି କେନ୍ଦ୍ରୀୟ ପ୍ରସଙ୍ଗ ମାନଙ୍କରେ ନବୀନ ଚୁପ୍ । ଏଣୁ ବିଜେଡ଼ି ଓ ବିଜେପି ଦୁଇଟି ଦଳ ହୋଇପାରନ୍ତି, ମାତ୍ର ସେମାନଙ୍କର ବିଚାରଧାରା ଗୋଟିଏ । ଆଜିର ଚାଉଳ ରାଜନୀତି କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ । କ୍ଷୁଧାରୁ ମୁକ୍ତି ପାଇଁ ବା କ୍ଷୁଧାମୁକ୍ତ ଭାରତ ପାଇଁ ସୋନିଆ ଗାନ୍ଧୀ ଏବଂ ଡଃ ମନମୋହନ ସିଂ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ପ୍ରଣୟନ କରିଥିଲେ । ତାହା ଆଜି ଅଭାବୀ, ଭୋକିଲା, ଦୁଃଖି ଓ ଦାରିଦ୍ର‌୍ୟରେ ଥିବା ଲୋକଙ୍କ ମୁହଁରେ ହସ ଫୁଟାଇଛି । ନବୀନ-ମୋଦି ଚାଉଳ ବିବାଦ କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ । ଆଜିର କାର୍ଯ୍ୟକ୍ରମରେ ମାନସ ଚୌଧୁରୀ, ସେମ ହେମ୍ବ୍ରମ, ଶୁଭେନ୍ଦୁ ମହାନ୍ତି, ବନ୍ଦିତା ପରିଡ଼ା, ରବି ରାୟ, ଜୟନ୍ତ ମହାନ୍ତି, ସସ୍ମିତା ବେହେରା, ଜ୍ଞାନ ପଟ୍ଟନାୟକ, ସଞ୍ଜୟ ତ୍ରିପାଠୀ, ଆର.ପି. ସିଂ, ମନୋଜ ସାହୁ ଓ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତା, କର୍ମୀ ଏବଂ ବିଭିନ୍ନ ବର୍ଗର ଲୋକ ଯୋଗ ଦେଇଥିଲେ । ଅପରାହ୍ନରେ ପିସିସି ସଭାପତିଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସଭାପତି ଶ୍ରୀ ବେଣୁମାଧମ ତ୍ରିପାଠୀ ସିହିଡ଼ିହଠାରେ ସ୍ୱାଗତ କରିଥିଲେ । ଆସନ୍ତା କାଲି ବଣେଇର ଜକେଇକଳା ଠାରୁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁନ୍ଦରଗଡ଼ ଜିଲ୍ଲା ସଭାପତିଙ୍କ ସହ ବିଧାୟକ ରଜନ ଏକ୍କା, ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, ସଞ୍ଜୟ ସାହୁ, ଅମିତା ବିଶ୍ୱାଳ ଓ ସମୀର ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ମିଡ଼ିଆ ଇନଚାର୍ଜ ଶ୍ରୀ ପ୍ରକାଶ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ