ସାର କାରାଖାନା କୁ ବିରୋଧ କରି ପୋଲିସ୍ ଓ କାଳୀପଲ୍ଲୀ ଗ୍ରାମବାସୀ ମୁହାଁମୁହିଁ
ଛତ୍ରପୁର, (ଦେବଦତ୍ତ ମହାରଣା):ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ଏସଇଜେଡ୍) ଅଂଚଳରେ ଟାଟା ପକ୍ଷରୁ ସ୍ମାର୍ଟ କେମ ଟେକ୍ନୋଲୋଜି ନାମକ ସାର କାରାଖାନା ପ୍ରକଳ୍ପ ନିର୍ମାଣକୁ ଦୀର୍ଘ ଦିନ ଧରି ସ୍ଥାନୀୟ ବାସିନ୍ଦା ତଥା ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମବାସୀ ଘୋର ବିରୋଧ କରି ଆସୁଛନ୍ତି । ଏନେଇ ବହୁବାର ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିବା ବେଳେ ଗତ କିଛି ଦିନ ତଳେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ଦାବିନେଇ ପ୍ରକଳ୍ପ ର ନିର୍ମାଣଧୀନ ସ୍ଥାନରେ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା । ପରେ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ସୋମବାର ପୁଣି ଥରେ ଏହି ସାର କାରଖାନା ପ୍ରକଳ୍ପ ନିମନ୍ତେ ପୋଲିସ୍ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରୁ ଏହାକୁ ଘୋର ବିରୋଧ କରି କାଳିପଲ୍ଲୀ ଗ୍ରାମବାସୀ ମାନେ ପୋଲିସ ସହ ମୁହାଁ ମୁହିଁ ହୋଇଥିଲା । କିଁଛି ଗ୍ରାମବାସୀ ମଧ୍ୟ ଆହାତ ହୋଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ କିଛି ସମୟ ପର୍ଯ୍ୟନ୍ତ ଚାପା ଉତ୍ତେଜାନ ରହିଥିଲା । ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ଉଙ୍ଗଳବାର ପୂର୍ବାହ୍ନରେ କାଳିପଲ୍ଲୀ ଗ୍ରାମରେ ଶତାଧିକ ମହିଳା ଓ ପୁରୁଷ ମାନେ ଏକତ୍ର ହୋଇ ଗ୍ରାମ୍ୟ କମିଟିର ସଭାପତି ବି.ମୋହନ ପାତ୍ର ନେତୃତ୍ୱରେ ଏକ ବୈଠକ କରିଥିଲେ । ଏଥିରେ ଗ୍ରାମର ବହୁ ଭଦ୍ରଲୋକ ଏବଂ ଯୁବକ ମାନଙ୍କ ମତାମତ ନିଆଯାଇଥିଲ।। ସାର କାରଖାନା କୁ ସମସ୍ତେ ବିରୋଧ କରିବା ସହିତ ଆନ୍ଦୋଳନ କରିବା ନିମନ୍ତେ କହିଥିଲେ । ପରେ ମଧ୍ୟାହ୍ନରେ ଶତାଧିକ ଗ୍ରାମବାସୀ ମାନେ ଏକ ଶୋଭାଯାତ୍ରାରେ ଗ୍ରାମରୁ ବାହାରି ସାର କାରାଖାନା ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ବନ୍ଦ କରିବା ଦାବି ନେଇ ନିର୍ମାଣ କାର୍ଯ୍ୟ କରାଯାଉଥିବା ସ୍ଥାନରେ ପହଂଚି ହୋହାଲା କରିବା ସହ କାରଖାନା ବନ୍ଦ କରିବା ନିମନ୍ତେ ବିଭିନ୍ନ ନାରାବାଜି ଦେଇଥିଲେ । ଯାହାଫଳରେ ପୋଲିସ୍ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଏହାସହିତ ପୋଲିସ ବ୍ୟାରେକେଟ୍ ଧସେଇ ପଶିବା ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତା ହୋଇଥିଲ।। ଫଳରେ ଛତ୍ରପୁର ଏସଡିପିଓ ଗୈାତମ କିଷାନଙ୍କ ସମେତ କିଛି ପୋଲିସ କର୍ମଚାରି ସାମାନ୍ୟ ଆହାତ ହୋଇଥିବା ବେଳେ କାଳୀପଲ୍ଲୀ ଗ୍ରାମର ଏନ.ରଘୁନାଥ ରେଡ୍ଡୀ ଓ ଚନ୍ଦ୍ରମ୍ମାଙ୍କ ସମେତ କିଛି ମହିଳା ମାନେ ମଧ୍ୟ ଆହାତ ହୋଇଥିଲ।। ଘଟଣାସ୍ଥଳେ ଉତ୍ତେଜନା ଜାରି ରହିଥିଲ।। ଏହି ବିଶାକ୍ତ ସାର କାରାଖାନା ଏଠାରେ ନିର୍ମାଣ ହେଲେ ଗ୍ରାମବାସୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବେ ବୋଲି ବହୁ ଥର ଦାବି କରିଛନ୍ତି ଗ୍ରାମବାସୀ । ଏଥି ଲାଗି ଗ୍ରାମବାସୀ ମାନେ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି । ହେଲେ, କୌଣସି ସମାଧାନର ବାଟ ଫିଟିନଥିବାରୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହେବାର ମୁଖ୍ୟ କାରଣ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏହି ବିଶାକ୍ତ ସାର କାରଖାନା ନିର୍ମାଣ ପ୍ରକଳ୍ପ କୁ ତୁରନ୍ତ ବନ୍ଦ କରିବା ପାଇଁ ମଧ୍ୟ ସେମାନେ ଦାବୀ କରିଥିଲେ । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ନିର୍ମାଣଧିନ ସ୍ଥାନରେ ୫ ପ୍ଲାଟୁନ ପୋଲିସ୍ ମୃତୟନ କରାଯାଇଥିବା ବେଳେ ଅତିରିକ୍ତ ଏସପି ପି.କେ. ଦଳାଇ, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଚମାଖଣ୍ଡି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ଓ ଅନ୍ୟାନ୍ୟ ପୋଲିସ୍ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ରହିଥିବା ସୂଚନା ମିଳିଛି


