ସିନାପାଲି ରାଜଶ୍ରୀ ପବ୍ଲିକ ସ୍କୁଲର ୧୯ତମ ବାର୍ଷିକ ଉତ୍ସବ

ବୋଡେ଼ନ, (ଡୋଲେଶ୍ୱର ବାଗ):ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମା ଠାରେ ଅବସ୍ଥିତ ରାଜଶ୍ରୀ ପବ୍ଲିକ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ମହାସମାରୋହରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଦିବ୍ୟ ଓ ଭବ୍ୟ ସଭାରେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ l ସଭାରେ ବିଦ୍ୟାଳୟର ଚେୟାରମ୍ୟାନ ରାଜେଶ କୁମାର ଅଗ୍ରୱାଲ ସଭାପତିତ୍ୱ କରିଥିବାବେଳେ ବିଶିଷ୍ଟ ଅତିଥି ଭାବରେ ବୋଡେ଼ନ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା କଳାହାଣ୍ଡି ସଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ମୁଖ୍ୟ ବକ୍ତା ଭାବରେ ସ୍ବନାମଧନ୍ୟ କବି ଲେଖକ ଓ ଶିକ୍ଷାବିତ ଗୌରାଙ୍ଗ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଉଜ୍ୱଳ ଗୁପ୍ତା, ସିନାପାଲି ବଣିକସଂଘ ର ସଭାପତି ପ୍ରଦୀପ କୁମାର ଜୈନ ଏବଂ ଶିକ୍ଷାବିତ ସତ୍ୟ ବ୍ରତ ଗହୀର ଯୋଗଦେଇଥିଲେ l ଅତିଥିଗଣଙ୍କୁ ଶିକ୍ଷୟିତ୍ରୀ ଓ ଛାତ୍ରୀଗଣ ଗାୟିତ୍ରୀ ମହାମନ୍ତ୍ର ଲିଖିତ ଉତ୍ତରୀୟ ପଟୀ ,ଓ ଫୁଲ ଚନ୍ଦନ ଦେଇ ହୃଦୟଭରା ସ୍ୱାଗତ ସମ୍ମର୍ଦ୍ଧନା ଜ୍ଞାପନ କରିଥିଲେ l ଅତିଥିଗଣଙ୍କ ଦ୍ୱାରା ଦେବ ପୂଜନକର୍ମ ଭକ୍ତିମୟ ପରିବେଶରେ ସମାପନ ହେଲାପରେ ସଭାପତିଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ପ୍ରଥମେ ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ପ୍ରାରମ୍ଭିକ ସଂଗୀତ ଓ ନୃତ୍ୟ ମଞ୍ଚରେ ଏକ ମନୋଜ୍ଞ ଦୃଶ୍ୟ ସୃଷ୍ଟି କରିଥିଲା l ପରେ ସ୍କୁଲର ପ୍ରିନ୍ସିପାଲ ଶ୍ରୀଯୁକ୍ତ ଏ ପୱନ ରାଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ l ମୁଖ୍ୟ ବକ୍ତାଙ୍କ ଦ୍ୱାରା ଭାଷିତ ଭାରତୀୟ ମହାନ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ତଥା ଗୁରୁଙ୍କ ମହିମା ଗାଥା ସମସ୍ତ ଶ୍ରୋତା ଓ ଅଭିଵାବକ, ଅଭିଭାବିକାଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା l ଅତିଥିଗଣ ନବଯୌବନ ପ୍ରାପ୍ତ ଏହି ଶିକ୍ଷା ଅନୁଷ୍ଠାନର ଗୌରମୟ ଅତୀତକୁ ରୋମାନ୍ଥନ କରିବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ମୁଖ୍ୟ ଅତିଥି ମାନନୀୟ ବିଧାୟକ ମହୋଦୟ ବିଦ୍ୟାଳୟର ସୌନ୍ଦର୍ଯ୍ୟବୃଦ୍ଧି କରଣ ଓ ପାଠାଗାର ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କର ହୃଦୟ ଜିଣି ନେଇଥିଲେ l ଅତିଥି ଗଣଙ୍କ ପାଖରେ ଉତ୍ସବକୁ ଚିରସ୍ମରଣୀୟ କରିବାପାଇଁ ଚେୟାରମ୍ୟାନ ଭଗବତ ଗୀତା ପୁସ୍ତକ ଓ ସ୍ମୃତି ସ୍ମାରକି ତାଙ୍କୁ ପ୍ରଦାନ କରିଥିଲେ lଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ଅତିଥିଗଣ ଉତ୍ସାହିତ କରିଥିଲେ l ପୁରାତନ ଛାତ୍ର ପ୍ରିନ୍ସ ଅଗ୍ରୱାଲ ଓ ଛାତ୍ରୀ ଶିଦ୍ଧି ଜୈନ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ଅନୁରୂପା ବହିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭାସାଙ୍ଗ ହେଲାପରେ କୁନି କୁନି ତାରକା ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ବନ୍ଦେ ମାତରଂ ସଂଗୀତଧ୍ୱନୀ ସହ ଉତ୍ସବର ସମାପନ ଘଟିଥିଲା l ଏହି ଉତ୍ସବ ଆୟୋଜନରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ଦୁଇଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ, ଅଭିଭାବିକା, ସହରର ଅନେକ ବୁଦ୍ଧିଜୀବି ଓ ଶିକ୍ଷା ପ୍ରେମୀ ପୁରୁଷ ମହିଳା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ