ସିନେମାଛକ ଦୁର୍ଗାପୂଜା ଶାନ୍ତିକମିଟିର ପରିବର୍ଦ୍ଧିତ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଟାଉନ୍ହଲ୍ସ୍ଥିତ ନୃତ୍ୟ-ସଂଗୀତ-କଳା ମନ୍ଦିର ପ୍ରାଙ୍ଗଣରେ ସିନେମାଛକ ଦୁର୍ଗାପୂଜାର ଦ୍ୱିତୀୟ ପରିବର୍ଦ୍ଧିତ ବୈଠକ ସଭାପତି ଶ୍ରୀ ପଦ୍ମଲୋଚନ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଧାୟକଙ୍କ ଉପସ୍ଥିତିରେ ଅନେକ ପୂଜା କମିଟିର ସଭ୍ୟମାନେ ଗତବର୍ଷ ମେଢ଼ ଭସାଣୀ ସମୟରେ ପ୍ରଶାସନ ତରଫରୁ ଦାୟର କରାଯାଇଥିôବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରିବାପାଇଁ ବିଧାୟକଙ୍କୁ ଅନୁରୋଧ କରିବା ସହିତ ଆସନ୍ତା ଦୁର୍ଗାପୂଜାରେ ମେଢ଼ଭସାଣୀ କିଭଳି ଶାନ୍ତିଶୃଙ୍ଖଳାରେ ସମାପନ ହେବ, ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଭସାଣୀ ଶୃଙ୍ଖଳିତ ଭାବରେ ସମାପନ ପାଇଁ କମିଟି ତରଫରୁ କେତେକ ପ୍ରସ୍ତାବ ଜିଲ୍ଲାପାଳ ଓ ଏସ୍.ପି.ଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ପ୍ରସ୍ତାବ ଆସନ୍ତା ୩ ତାରିଖ ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ପ୍ରଦାନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଗତ ଭସାଣୀ ସମୟରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥିବା ମେଢ଼ର ସଭ୍ୟମାନେ ନିମ୍ନଲିଖିତ ପ୍ରସ୍ତାବ ଉପରେ ଆସନ୍ତା ଜିଲ୍ଲା ପ୍ରଶାସନ ଦ୍ୱାରା ଆହୂତ ଶାନ୍ତି କମିଟିରେ ଆଲୋଚନା କରି ପ୍ରଶାସନ ଗଠନମୂଳକ ସିଦ୍ଧାନ୍ତ ନେବା ପାଇଁ ଅନୁରୋଧ କରାଯାଇଥିଲା । ଏବର୍ଷ ପୂଜା ଓ ଭସାଣୀ କିପରି ଶାନ୍ତିଶୃଙ୍ଖଳାରେ ସମାପନ ହେବ ସେଥିପାଇଁ ଆଲୋଚନା କରି କମିଟିରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ଯଥା – ରାସ୍ତା ଅବରୋଧ କରୁଥିବା ମେଢ଼ଗୁଡ଼ିକୁ ଯଥାଶୀଘ୍ର ଆଗକୁ ଅଗ୍ରସର ପାଇଁ ପ୍ରଶାସନର ପଦକ୍ଷେପ, ମେଢ଼ଗୁଡ଼ିକରେ କ୍ରମିକ ନଂ ସିନେମା ଛକ ଠାରେ ମେଢ଼ ପହଞ୍ôଚବା ପରେ ଦିଆଯାଉ, ମେଜର ଇଲେକ୍ଟ୍ରିକ୍ କନେକ୍ସନ୍ ପାଇଁ ଟିପିଏନ୍ଓଡିଏଲ୍ ଦ୍ୱାରା ଗତବର୍ଷ ଯେତିକି ପରିମାଣରେ ଅର୍ଥ ଆଦାୟ ହୋଇଥିଲା ଏବର୍ଷ ମଧ୍ୟ ସେତିକିରେ ସୀମିତ ରଖାଯାଉ । ସିନେମା ଛକରେ ମେଢ଼ଗୁଡ଼ିକ ପ୍ରବେଶ ପାଇଁ କ୍ରମିକ ନମ୍ବର ସକାଳ ୮ ଘଟିକାରୁ ଆରମ୍ଭ କରାଯାଉ ।ଅନ୍ୟାନ୍ୟ ଦାବି ବିଧାୟକଙ୍କ ମାଧ୍ୟମରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଥିଲା । ପରିବର୍ଦ୍ଧିତ ସଭ୍ୟ ଭାବରେ ଦୀନବନ୍ଧୁ ଲେଙ୍କା ବରିଷ୍ଠ ଉପଦେଷ୍ଟା, ହିମାଂଶୁ ଶେଖର ଦାସଙ୍କୁ ଉପସଭାପତି ଓ ଅଭୟ କୁମାର ପ୍ରଧାନ, ନିତ୍ୟଗୋପାଲ ସିଂ, ଅରୁଣ କୁମାର କର, ପ୍ରଦୀପ କୁମାର ଦତ୍ତ, ସୁଶାନ୍ତ କୁମାର ସାହୁ, ସମ୍ୟଦିପ ସାମନ୍ତରାୟ, ମାନସ ଦତ୍ତ ଓ ରାଜେଶ ରାୟଙ୍କୁ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା । ଉକ୍ତ ବୈଠକରେ ଅରୁଣ କୁମାର ପ୍ରଧାନ, ପ୍ରଦୀପ କୁମାର ଦତ୍ତ, ରବିନାରାୟଣ ମହାପାତ୍ର, ସୁବ୍ରତ ଦାସ, ରାମଚନ୍ଦ୍ର ନାଥ, ନାରାୟଣ ଦତ୍ତ, ରାଧାନାଥ ଦାସ, ସୁଶାନ୍ତ କୁମାର ସାହୁ, ମନୋଜ କୁମାର ରାଉତ, ନିତ୍ୟ ଗୋପାଲ ସିଂ ଓ ଛବିନ୍ଦ୍ର ସାହୁ ପ୍ରଭୃତି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।