ସିଫାର ବାର୍ଷିକ ଉତ୍ସବ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଉତ୍କଳ ଦିବସ ଅବସରରେ କେନ୍ଦ୍ରୀୟ ମଧୁରଜଳ ଗବେଷଣା ସଂସ୍ଥାନର ୩୨ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ୧୯୮୭ ମସିହା ଉତ୍କଳ ଦିବସରେ ସିଫା, ଭୁବନେଶ୍ୱର ଉପକଣ୍ଠସ୍ଥ କୌଶଲ୍ୟାଗଙ୍ଗ ଠାରେ ଦେଶର ଅଗ୍ରଣୀ ଜଳକୃଷି ଗବେଷଣା ସଂସ୍ଥାନ ରୂପେ ଆତ୍ମପ୍ରକାଶ କରିଥିଲା । ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫା ତିନି ଦଶନ୍ଧିରୁ ଅଧିକ ସମୟ ଦେଶର ମଧୁର ଜଳ ମତ୍ସ୍ୟ ଉତ୍ପାଦନର ବିକାଶ କରିଆସୁଛି । ବାର୍ଷିକ ଉତ୍ସବ ସମାରୋହରେ ଆଇ.ଏମ୍.ଏମ୍.ଟି ର ନିର୍ଦ୍ଦେଶକ ଡଃ ଶୁଦ୍ଧସତ୍ୟ ବାସୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପୂର୍ବତନ ନିର୍ବାଚନ କମିଶନର ତଥା ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଂଜିବ ହୋତା ମୁଖ୍ୟ ବକ୍ତା ଏବଂ କୋଷ୍ଟାଲ ଆକ୍ୱାକଲଚର ଅଥରିଟିର ମୁଖ୍ୟ ଡଃ ସି. ଗୋପାଳ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଅତିଥିମାନଙ୍କୁ ସ୍ୱାଗତ କରି ସିଫାର ନିର୍ଦ୍ଦେଶିକା ଡଃ ବିନ୍ଦୁ ଆର. ପିଲାଇ ଦେଶର ମଧୁରଜଳ ମତ୍ସ୍ୟ ସଂପଦ ବିକାଶରେ ସିଫାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ଡଃ ବାସୁ ମାଛକୁ ଏକ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟରୂପେ ବିବେଚନା କରିଥିଲେ ଓ ଦେଶର ସମସ୍ତଙ୍କ ପାଖରେ ଏହି ସୂଚନାକୁ ପହଂଚାଇବା ପାଇଁ ସିଫାର ବୈଜ୍ଞାନିକ ମାନଙ୍କୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ସଂଜିବ ହୋତା ଆମ ରାଜ୍ୟରେ ମଧୁର ଜଳ କୃଷିରୁ ଅଧିକ ଆୟ କରିବା ପାଇଁ ମୂଲ୍ୟଯୁ୍କ୍ତ ମାଛ •ଷ କରିବା ପାଇଁ ପରାମର୍ଶ ଦେଇଥିଲେ । ସେ ମଧ୍ୟ କହିଲେ ଯେ ଆମ ରାଜ୍ୟର ଥଣ୍ଡା ପାହାଡ଼ିଆ ଅଂଚଳରେ ଟ୍ରାଉଟ ଭଳି ବହୁମୂଲ୍ୟ ମାଛ ଚାଷକୁ ଅଗ୍ରାଧିକାର ଦେବା ଉଚିତ । ଅନ୍ୟତମ ଅତିଥି ଡଃ ସି. ଗୋପାଳ ଗବେଷଣା ସହିତ ମାଛ •ଷିଙ୍କ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃତି ବୈଜ୍ଞାନିକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ୩ ଗୋଟି ପ୍ରକାଶନକୁ ଉନ୍ମୋଚନ କରାଯାଇଥିଲା । ସମାରୋହରେ ସିଫାର ଅନେକ ପ୍ରାକ୍ତନ ବୈଜ୍ଞାନିକ ତଥା କର୍ମଚାରୀ ଯୋଗଦାନ କରି ସେମାନଙ୍କ ସୁଚିନ୍ତିତ ପରାମର୍ଶ ଗୁଡ଼ିକୁ ଉପସ୍ଥାପିତ କରିଥିଲେ । ଶେଷରେ ସିଫାର ବୈଜ୍ଞାନିକ ଡଃ ସୁବାସ ସରକାର ଧନ୍ୟବାଦ ଅର୍ପଣ କରିଥିଲେ ।