ସିଭିଲସପ୍ଲାଏ କରପୋରେସନ ଗୋଦାମରୁ ୨୧୦ବସ୍ତା ଗହମ ବେଆଇନ ଚାଲାଣ ଘଟଣା ସଦର ଥାନା ପୋଲିସ ଦ୍ୱାରା ମାଲିକ ଓ ଗାଡିଚାଳକ ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଠାରେ ଥିବା ସିଭିଲ ସପ୍ଲାଏ କରପୋରେସନ ଗୋଦାମରୁ ବେଆଇନ ଭାବେ ଏକ ଟ୍ରକରେ ଦୁତିଆଳସ୍ଥିତ ମା’ଶାରଳା ଫୁଡ୍ସକୁ ଚାଲାଣ ହେଉଥିବା ୨୧୦ବସ୍ତା ଗହମକୁ ଟ୍ରକ ସହିତ ଗୋପ – ଦୁତିଆଳ ରାସ୍ତାରେ ଗତ ଗୁରୁବାର ସଦର ଥାନା ପୋଲିସ ଜବତ କରିବା ସହ ଥାନା କେଶ ନମ୍ବର ୨୮୮/୨୦୨୦ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ୭(ଗ)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ସେହି ଘଟଣାରେ ଆଜି ସଦର ଥାନା ପୋଲିସ ଦୁତିଆଳସ୍ଥିତ ମା’ଶାରଳା ଫୁଡ୍ସର ମାଲିକ ତଥା ଦୁତିଆଳ ଗ୍ରାମର ତାପସ କୁମାର ରାଉତ ଓ ଗହମ ଚୋରା ଚାଲାଣ ହେଉଥିବା ଆଇଚର ଗାଡିର ଚାଳକ ଚନ୍ଦନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୁତ୍ରରୁ ଜଣାପଡିଛି । କୋର୍ଟରେ ଉଭୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭ୍ୟଙ୍କୁ ବାରିମୁଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଏଥିସହିତ ସଂପୃକ୍ତ ଗହମ ଘୋଟାଲା ଘଟଣାରେ ଅନ୍ୟ କିଏସବୁ ସଂପୃକ୍ତ ଅଛନ୍ତି ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି ।