ସିସୋଦିଆ ଓ ରାହୁଲଙ୍କୁ ଶାହାଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଏଏନଆଇକୁ ସାକ୍ଷାତକାର ଦେବା ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ଦିଲ୍ଲୀରେ ୫.୫ ସଂକ୍ରମିତ ଆଶଙ୍କା ନେଇ ସିସୋଦିଆଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଶାହା କହିଛନ୍ତି ଯେ, ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ ସଂକ୍ରମଣ ୫.୫ ଲକ୍ଷ ହେବ ନାହିଁ । ଉପମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଭୟ ସୃଷ୍ଟି କରିଥିଲା । ମୁଁ ନିଶ୍ଚିତ ଯେ, ଦିଲ୍ଲୀର ସ୍ଥିତି ସେତେ ଖରାପ ହୋଇନାହିଁ । ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇନି । ଭଲ ସ୍ଥିତିରେ ରହିଛୁ ବୋଲି ଅମିତ ଶାହା କହିଛନ୍ତି । ସେହିପରି ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଅମିତ ଶାହା କହିଛନ୍ତି ଯେ, ପାର୍ଲାମେଣ୍ଟରେ ଚୀନ ପ୍ରସଙ୍ଗରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଉଭୟ ଯୁଦ୍ଧ ଜିତି ପାରିବୁ । ଆମେ ଭାରତ ବିରୋଧୀ ଶକ୍ତିକୁ ମୁକାବିଲା କରିବା ପାଇଁ ସକ୍ଷମ । ରାହୁଲଙ୍କ ‘ସରେଣ୍ଡର ମୋଦୀ’ ଟ୍ୱିଟ ଚୀନ ଓ ପାକିସ୍ତାନକୁ ଉତ୍ସାହିତ କରୁଛି । ଜାତୀୟ ଜରୁରୀକାଳୀନ ପରିସ୍ଥିତିକୁ ଲୋକେ ଭୁଲି ନାହାନ୍ତି । ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜରିଆରେ ଗଣତନ୍ତ୍ରକୁ ହତ୍ୟା କରାଯାଇଥିଲା ବୋଲି ଅମିତ ଶାହା କହିଛନ୍ତି । ଅନ୍ୟପକ୍ଷରେ କରୋନା ଲକଡାଉନ ସମୟରେ କେତେକ ପ୍ରବାସୀ ପାଦରେ ଚାଲି ଚାଲି ଯିବା ଆମକୁ ମର୍ମାହତ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ସବୁ ମୁଖ୍ୟମନ୍ତ୍ରୀଙ୍କୁ ବସର ବ୍ୟବସ୍ଥା କରିବାକୁ କହିଥିଲେ । ଆଜି ପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ପ୍ରବାସୀଙ୍କୁ ସ୍ଥାନାନ୍ତର କରାଯାଇଛି । ୪୫୯୪ ଶ୍ରମିକ ସ୍ପେଶାଲ ଟ୍ରେନରେ ୬୩ ଲକ୍ଷ ପ୍ରବାସୀ ଘରକୁ ଫେରିଛନ୍ତି । ଲକଡାଉନରେ ୨.୫ କୋଟି ଲୋକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା ହୋଇଛି । ଏନଡିଆରଏଫ ଫଣ୍ଡରୁ ରାଜ୍ୟମାନଙ୍କୁ ୧୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ