ସୀମାନ୍ତରେ ଚାଙ୍ଗୁ ବଜାଇ ମନ ମହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଏକ ସୀମାନ୍ତବର୍ତ୍ତୀ ହୋଇଥିବା ବେଳେ ବିଶେଷ କରି ପାରଳାଖେମୁଣ୍ଡି ସହର, ଗୋଷାଣୀ-ରାୟଗଡ-କାଶୀନଗର ବ୍ଲକାଞ୍ଚଳର ତଟବର୍ତ୍ତୀରେ ରହିଛି ଆନ୍ଧ୍ର ପ୍ରଦେଶ । ଆଜିବି ସୀମାନ୍ତ ତଟବର୍ତ୍ତୀ ଗ୍ରାମାଞ୍ଚଳରେ ଓଡିଆ ହରିନାମ ସଂକୀର୍ତ୍ତନ ଶୁଭୁଛି । ଏଭଳି ଦ୍ୱିଭାଷୀ ଗ୍ରାମାଞ୍ଚଳରେ ଆଜିବି ଓଡିଆ ହରିନାମ ସଂକୀର୍ତ୍ତନ ଚାଲୁରହିଛି । ବିଶେଷ କରି ଧର୍ମମାସ କାର୍ତ୍ତିକ ମାସରେ ଏପରି ଓଡିଆ ପରମ୍ପରାକୁ ବଜାୟ ରଖିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପୂଜାର୍ଚ୍ଚନା ଚାଲୁ ରହିଛି । ତେବେ ଚଳିତ ବର୍ଷ ପବିତ୍ର କାର୍ତ୍ତିୀକ ପୂର୍ଣ୍ଣମୀ ଅବସରରେ ଏହି ଅଞ୍ଚଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଠ ଚାଙ୍ଗୁବାଦକ ଡ. ଗିରିଧାରୀ ଗମାଙ୍ଗଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏଥିରେ ଶ୍ରୀ ଗମାଙ୍ଗ ଚାଙ୍ଗୁବାଦ୍ୟ ସହ ହରିନାମ କୀର୍ତ୍ତନ କରିଥିଲେ । ଏହାପରେ ସେ ଗଣମାଧ୍ୟମକୁ ଜଣାଇଥିଲେ ଯେ, ମୁଁ ଏଠାକୁ ଜଣେ ରାଜନୈତିକ ଭାବେ ଆସିନାହିଁ ଜଣେ କଳାକାର ତଥା ଭକ୍ତ ବା ଶ୍ରଦ୍ଧାଳୁ ଭାବେ ଯୋଗଦେଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଗମାଙ୍ଗ ଚାଙ୍ଗୁବାଦ୍ୟ ତାଳେ ତାଳେ ସମସ୍ତେ ଝୁମିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଏପରି ଏକ ଆନ୍ଧ୍ରର ଗ୍ରାମ ରହିଛି ଗଜପତି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୬କିମି ଦୂର ତଥା ଓଡିଶା ସୀମା ଠାରୁ ମାତ୍ର ୧କିମି ଦୂରରେ ଅବସ୍ଥିତ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ମଣ୍ଡଳ ଅନ୍ତର୍ଗତ ନାରସନ୍ଧ୍ରା ଗ୍ରାମ । ଦୀର୍ଘ ୬୫ ବର୍ଷ ହେଲା ହରିନାମ ସଂକୀର୍ତ୍ତନ ଦଳ ଏଠାରେ ବିଭିନ୍ନ ଓଡିଆ ପର୍ବପର୍ବାଣୀରେ ଓଡିଶା ରୀତି ଓ ସଂସ୍କୃତିର ଗାଥା ଗାଉଥିବାର ଦେଖିବାକୁ ମିଳିଛି । ଏହି ନାରସନ୍ଧ୍ରା ଗ୍ରାମରେ ରାଧାକୃଷ୍ଣ ନାଟ୍ୟ ସଂଘ ଦ୍ୱାରା ଏହା ପରିବେଶଣ ହୋଇଥାଏ । ବିଶେଷ କରି ହରେକୃଷ୍ଣ ମହାମନ୍ତ୍ର ସମେତ ଭଜନ କୀର୍ତ୍ତନ କରିଥାନ୍ତି । ଏହା ତତ୍କାଳୀନ ପାରଳାଖେମୁଣ୍ଡି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ରାଜତ୍ୱ କାଳରେ ପ୍ରେରଣାରେ ଗଠନ ହୋଇଥିବାର ଏହି ନାଟ୍ୟ ସଂଘର ସଦସ୍ୟମାନେ ଜଣାଇଛନ୍ତି । ଏଥିରେ ନାରସନ୍ଧ୍ରା ଗ୍ରାମବାସୀ ମୂରଲି ମଲିକ, କୃଷ୍ଣଚନ୍ଦ୍ର ସାମଲ ବାଦ୍ୟକାର ମୂରଲି ପ୍ରଧାନ, ନବୀନ ସାମଲ, ଗଙ୍ଗାଧର ସାମଲ, ମୋହନ ଖୁଣ୍ଟିଆ ପ୍ରମୁଖଙ୍କ ତାଳେ ତାଳେ ଏହି ସଂକୀର୍ତ୍ତନ ଚାଲୁ ରହିଥିବା ବେଳେ ଯୁବ ସାମ୍ବାଦିକ ରମେଶ ଚନ୍ଦ୍ର ପାତ୍ରଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ତେବେ ସୀମାନ୍ତରେ ଏହି ଗ୍ରାମର ନାଟ୍ୟ ସଂଘ ସମେତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସୁରଙ୍ଗୀ ଅନ୍ତର୍ଗତ ଶ୍ରୀରାମପୁରର ଶ୍ରୀଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳୀ ଓ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁର୍ଲୁଣ୍ଡା ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ଏପରି ବିଭିନ୍ନ ଓଡିଆ ସଂକୀର୍ତ୍ତନ ଭଜନ ଆଦି କରିଆସୁଛନ୍ତି । ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ ମଣ୍ଡଳିର ବାହକ କୃଷ୍ଣ ପ୍ରଧାନ, ତ୍ରିନାଥ ପ୍ରଧାନ, ଗାୟକ ଯୁଦ୍ଧିଷ୍ଟିର ପ୍ରଧାନ, ଭାସ୍କର ସେଠୀ, ସହଯୋଗୀ ନରସିଂହ ବେହେରା, ସୋମାନାଥ ପ୍ରଧାନ, ଜୟଦେବ ପ୍ରଧାନ, କୃତ୍ତିବାସ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ମାନେ ବିଭିନ୍ନ ସୀମାନ୍ତ ଗ୍ରାମ ଠାରେ ଏପରି ଓଡିଆ ସଂକୀର୍ତ୍ତନ, ଭଜନ ଆଦି ଗାନ କରିଥାନ୍ତି । ଶ୍ରୀ ଗମାଙ୍ଗଙ୍କ ଏପରି କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିବାର ଲକ୍ଷ୍ୟ କରାଯାଇଥିଲା । ତାଙ୍କର ଏହିଗସ୍ତକୁ ଦୃଷ୍ଟିରେ ରଖି ଆନ୍ଧ୍ର ପୋଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ଶତାଧିକ ପୋଲିସ ମୁତୟନ କରିଥିବାର ଦେଖିବାକୁ ମିଳିଥିଲା । ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟକୁମାର ଜେନା, ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ଡ. ଉର୍ବସୀ ପାତ୍ର, ବାବୁଲା ପଟ୍ଟନାୟକ, ବାବୁନା ବେହେରା ପ୍ରମୁଖଙ୍କ ସମେତ ବହୁ ମାଣ୍ୟଗଣ୍ୟ ବକ୍ତିମାନେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ