ସୀମା ବିବାଦ ପରେ ଛେଳି ଚୋରକୁ ନେଇ ଓଡିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ସୀମା ବିବାଦ ଠାରୁ ଆରମ୍ଭ କରି ଭୋଟ ବିବାଦ ଆଦି ଲାଗି ରହିଥିଲା | ଏପରିକି ଆନ୍ଧ୍ରର ମନ୍ତ୍ରୀ ଓଡିଶା ତଥା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ରାସ୍ତାକଡର ଗୁଣ୍ଡା ଭଳି ବ୍ୟବହାର କରିଥିଲେ | ଏସବୁ ବାଦ ବିବାଦ ଲୋକଙ୍କ ମନରୁ ଲିଭିନଥିବା ବେଳେ ବର୍ତ୍ତମାନ ଛେଳି ଚୋରକୁ ନେଇ ଆନ୍ଧ୍ର-ଓଡିଶା ପୋଲିସ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିବାର ଜଣାପଡିଛି | ଘଟଣାରୁ ପ୍ରକାଶ ଯେ, ଗଙ୍ଗାବାଡ ପଞ୍ଚାୟତର କିଛି ଗ୍ରାମରେ ଗତ କିଛି ଦିନ ହେବ ଛେଳି ଚୋରି ହେଉଥିଲା | ଏହାକୁ ନେଇ ଗ୍ରାମବାସୀ ତଥା ଛେଳି ମାଲିକ ମାନେ ସଜାଗ ହୋଇ ପହରା ଦେବାର ଆରମ୍ଭ କରିଥିଲେ | ଗତକାଲି ରାତ୍ରରେ ଆନ୍ଧ୍ରର ମାଣିକପାଟଣା ଗ୍ରାମରୁ ଆସିଥିବା ଦୁର୍ବୃତ୍ତମାନେ ଛେଳି ଚୋରି କରୁଥିବା ବେଳେ ଏହି ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ | ଏହି ଦୁର୍ବୃତ୍ତ ମାନଙ୍କୁ କାବୁ କରିବା ସହ ଗ୍ରାମଦାଣ୍ଡର ଖୁଣ୍ଟରେ ବାନ୍ଧି ରାତି ତମାମ ଅଟକ ରଖିଥିଲେ । ଆଜି ସକାଳେ ଘଟଣା ସମ୍ପର୍କରେ ଖବର ପାଇ ଗାରବନ୍ଧ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରି ଯାଣିବାକୁ ପାଇଥିଲେ ଯେ, ସୀମାନ୍ତ ଆନ୍ଧ୍ରର କିଛି ଦୁର୍ବୃତ୍ତ ଏଥିରେ ସମ୍ପୃକ୍ତି ରହିଥିଲା | ଏହାପରେ ଗାରବନ୍ଧ ପୋଲିସ ଦୁର୍ବୃତ୍ତ ବା ଛେଳି ଚୋରମାନଙ୍କୁ ଉଠାଇ ପୋଲିସ ଷ୍ଟେସନକୁ ଆଣିବା ବେଳେ ପଡୋଶୀ ଆନ୍ଧ୍ର ପୋଲିସ ପହଞ୍ଚି ରାସ୍ତା ଅବରୋଧ କରିଥିଲା | ମାଣିକପାଟଣା ଗାଁ ଆନ୍ଧ୍ରର ହୋଇଥିବାରୁ ଓଡିଶା ପୋଲିସ ଚୋରକୁ ଗିରଫ କରିପାରିବ ନାହିଁ ତେଣୁ ଆନ୍ଧ୍ର ପୋଲିସ ଚୋର ସପକ୍ଷରେ ଯୁକ୍ତି ବାଢିଥିଲେ | ଆନ୍ଧ୍ର ପୋଲିସ ସମେତ ସ୍ଥାନୀୟ ଆନ୍ଧ୍ର ଲୋକେ ମଧ୍ୟ ଗାରବନ୍ଧ ପୋଲିସକୁ ବାଟ ଓଗାଳିଥିଲେ | ହେଲେ ଗାରବନ୍ଧ ପୋଲିସର ଉପଯୁକ୍ତ ଯୁକ୍ତିତର୍କ ଆଗରେ ସେମାନେ ଫିକା ପଡିଯାଇ ରାସ୍ତା ଅବରୋଧ ଓ ଯୁକ୍ତିତର୍କରୁ ବିରତ ରହିଥିଲେ | ଧରାପଡିଥିବା ଅଭିଯୁକ୍ତ ଦ୍ବୟହେଲେ ଆନ୍ଧ୍ରର ମାଣିକପାଟଣା ଗ୍ରାମର ଏନ୍. ନବୀନ ଓ ଗଣେଶ ବୋଲି ଜଣାପଡିଛି | ଏନେଇ ଗାରବନ୍ଧ ଥାନାରେ ୧୯/୨୨ରେ ମାମଲା ରୁଜୁ କରାଯାଇ ଘଟଣାର ଅଧିକା ତଦନ୍ତ ଜାରି ରହିଥିବା ଏବଂ ଘଟଣାର ତଦନ୍ତ ସନ୍ତୋଷ କୁମାର ବେହେରା କରୁଥିବାର ଏସ୍.ଆଇ. ପଞ୍ଚାନନ ବେହେରା ସୂଚନା ଦେଇଛନ୍ତି |


