ସୁବଳୟା ହାଇସ୍କୁଲରେ ବନ ମହୋତ୍ସବ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅଧିନସ୍ଥ ଗୋପାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ଗଞ୍ଜାମ ବ୍ଲକ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ୭୩ତମ ବନ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୁବଳୟା ଗ୍ରାମ ପରିକ୍ରମା କରାଯାଇ ପ୍ଲାକାର୍ଡ଼ ଓ ସ୍ଲୋଗାନ ମାଧ୍ୟମରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଜନସଚେତନତା କରାଯାଇଥିଲା ।ଏହା ପରେ ପରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଯାଇଥିଲା ।ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଧ୍ୟାରାଣୀ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ ମୁଖ୍ୟ ବକ୍ତାଭାବେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ସାହୁ ଯୋଗଦେଇଥିଲେ ।ସମ୍ମାନିତ ଅତିଥି ରୂପେ ଯଥା ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ଶ୍ରୀ ନରସିଂହ ବେହେରା,ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁରଥ ପ୍ରଧାନ,ଗଞ୍ଜାମ ବ୍ଲକ ଇକୋ କ୍ଲବର ସଂଯୋଜକ ଡ଼.ଶଙ୍କର ନାରାୟଣ ବେଜ,ରମ୍ଭା ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ବାଳକୃଷ୍ଣ ମହାରଣା,ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ଗୋଲକ ଚନ୍ଦ୍ର ପଲେଇ ପ୍ରମୁଖ ଯୋଗଦେଇ ଅଧୁନା ସମାଜରେ ଦେଖା ଦେଇଥିବା ପରିବେଶ ଜନିତ ପ୍ରଦୂଷଣ ,ଜଳବାୟୁ ପ୍ରଦୂଷଣ ,ବିଶ୍ୱ ତାପନ ବୃଦ୍ଧି ,ଓଜନ ସ୍ତରର ଅବକ୍ଷୟ ,ଏସିଡ଼ ବର୍ଷା,ମୃତ୍ତିକା କ୍ଷୟ ଭଳି ସମସ୍ୟା ଉପରେ ଆଲୋକପାତ କରିଥିଲେ ।ଏଥିରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ।ସଭାର ଆରମ୍ଭରେ ଅତିଥିମାନଙ୍କୁ ପ୍ରକୃତିବନ୍ଧୁ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସଭା ସଞ୍ଚାଳନ କରିଥିଲେ ।ଉକ୍ତ ସଭାର ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା ଦେବା ପରେ ପରେ ରମ୍ଭା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ସାମାଜିକ।କର୍ମୀ ଶ୍ରୀ ସୁଜିତ କୁମାର ବେହେରାଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥି ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ପରିବେଶ ସୁରକ୍ଷାରେ ବନମହୋତ୍ସବର ଭୂମିକା ଉପରେ ଏକ ବକ୍ତୃତା ପ୍ରତିଯୋଗିତାରେ ସବଜୁନିଅର କୃତି ପ୍ରତଯୋଗୀ ଅନୁରାଗ ସାହୁ ଓ ସିନିଅର ପ୍ରତିଯୋଗୀ କେ. ବଦ୍ରୀ ନାରାୟଣ ରେଡ଼ି ସମେତ ସାତ ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।ସଭା ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଦାସ ଅତିଥିମାନଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।ସଭା ପରେ ପରେ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସଂଗେ ସଂଗେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ବିଦ୍ୟାଳୟର ଏସ.ଏମ.ସି ସଭାପତି ଶ୍ରୀ ଦିଲ୍ଲୀପ କୁମାର ବେହେରା, ସଭ୍ୟ ଶ୍ରୀ କାମରାଜୁ ରେଡ଼ିଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିବା ବେଳେ ସାହିତ୍ୟ ଘରର ସଭ୍ୟସଭ୍ୟାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ