ସୁଲଣ ଓ ସଢ଼ାରେ ଚୋରା ମଦ ଦୋକାନ ଉପରେ ପୁଲିସର ଚଢ଼ାଉ
ହାଟଡ଼ିହି : ହାଟଡିହି ବ୍ଲକ ସୁଲଣ ଓ ସଢ଼ାରେ କେତେକ ଚୋରା ମଦ ଦୋକାନ ଉପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଗତକାଲି ରାତି ୮ଟାରେ ସୁଲଣ ଗ୍ରାମରେ ଜୈନିକ ବ୍ୟକ୍ତି ଚୋରା ମଦ ବ୍ୟବସାୟ କରୁଥିବା ଜାଣି ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଦୋକାନୀ ଜଣକ ଦୌଡି ପଳାଉଥବବାବେଳେ ପୁଲିସ ହାତରେ ଧରାପଡି ମାଡ ଖାଇବା ସହ ଆଉ ଏପରି କାରବାର କରିବ ନାହିଁ ବୋଲି କହିଥିଲା । ସେହିପରି ସଢ଼ା ଗ୍ରାମରେ ଜଣେ ବ୍ୟକ୍ତି ଦୀର୍ଘବର୍ଷ ଧରି ଚୋରା ମଦ କାରବାର ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲେବି ସୋସୋ ପୁଲିସ କି ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉ ନଥିଲେ । ଆଜି ମଧ୍ୟାହ୍ନରେ ଏକ ପୁଲିସ ଟିମ ତାଙ୍କ ଘରେ ଚଢ଼ାଉକରି ବହୁ ପରିମାଣର ବିଦେଶୀ ମଦକୁ ନଷ୍ଟ କରିବା ସହିତ ସଂପୃକ୍ତ ମଦବ୍ୟବସାୟୀ ଓ ଏହିକାରବାରକୁ ପ୍ରୋତ୍ସାହନ ଯୋଗାଉଥିବା ଜଣେ ଶିକ୍ଷକଙ୍କୁ ଭଲକରି ଉତ୍ତମ ମଧ୍ୟମ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପୁଲିସର ଏପରି ଚଢ଼ାଉରେ ଚୋରା ମଦ ବ୍ୟବସାୟୀମାନେ ଛାନିଆ ହୋଇଯାଇଥିଲେବି ଆଖପାଖରେ ଲୁଚାଇ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି ।