ସୁସ୍ଥ ଭାରତ ପାଇଁ ମୋଦୀ ଟିକା
ନୂଆଦିଲ୍ଳୀ : କରୋନା ଯୋଗୁଁ ଗତବର୍ଷ ଲକ୍ଷାଧିକ ଲୋକ ପ୍ରାଣ ହରାଇଲେ। ଭାରତର ଅର୍ଥନୈତିକ ଅବସ୍ଥା ମଧ୍ୟ ଦୋହଲିଗଲା। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ତୃତୀୟ ବଜେଟରେ ଉଦ୍ୟମ କରିଛନ୍ତି। କରୋନା ଭଳି ମହାମାରୀ ଯୋଗୁଁ ଭବିଷ୍ୟତରେ ଲୋକେ ଯେମିତି ବିପଦରେ ନପଡ଼ନ୍ତି ଏବଂ ଅର୍ଥ ବ୍ୟବସ୍ଥା କିପରି ସୁରକ୍ଷିତ ରହିବ ତାହାକୁ ଦୃଷ୍ଟି ରଖିଛନ୍ତି। ଆଜି ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ତାଙ୍କ ଦ୍ବାରା ଉପସ୍ଥାପିତ ବଜେଟରୁ ଏହି ସଙ୍କେତ ମିଳିଛି। ସ୍ବାସ୍ଥ୍ୟ ଏବଂ ଭିତ୍ତିଭୂମିକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟବରାଦକୁ ଦୁଇଗୁଣା କରି ଦିଆଯାଇଛି। ଏଥିପାଇଁ ଧାର୍ଯ୍ୟ ୨ ଲକ୍ଷ ୨୩ ହଜାର ୮୪୬ କୋଟି ଟଙ୍କା ମଧ୍ୟରୁ ୩୫ ହଜାର କୋଟି କେବଳ କୋଭିଡ୍ ଟିକା ପାଇଁ ଖର୍ଚ ହେବ। ସେହିଭଳି ଅର୍ଥନୀତିକୁ ଗତିଶୀଳ କରିବା ଲାଗି ପୁଞ୍ଜି ଖର୍ଚ୍ଚ ବାବଦରେ ଗତବର୍ଷ ତୁଳନାରେ ୩୪ ଭାଗ ଅଧିକ ବ୍ୟୟବରାଦ କରାଯାଇ ୫ ଲକ୍ଷ ୫୪ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଭାରତକୁ ସୁସ୍ଥ ରଖିବା ଲାଗି ବଜେଟରେ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରର ଝଲକ ଦେଖିବାକୁ ମିଳୁଛି। ତେବେ ଏହି ବଜେଟକୁ ନେଇ ମଧ୍ୟବିତ୍ତ ଶ୍ରେଣୀ ଏବଂ ବିଶେଷ କରି ବେତନଭୋଗୀ ନିରାଶ ହୋଇଛନ୍ତି। କରୋନା ଏବଂ ଲକ୍ଡାଉନ୍ ଯୋଗୁଁ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇ କର୍ମଚାରୀମାନେ ବ୍ୟକ୍ତିଗତ ଆୟକର ଛାଡ଼ସୀମାରେ ରିହାତି ପାଇବା ଲାଗି ଆଶା ବାନ୍ଧି ବସିଥିଲେ। କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ୭୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାରୁ ମୁକ୍ତ କରାଯାଇଛି। ଅନ୍ୟପକ୍ଷରେ ସରକାର ଅନେକ ସାମଗ୍ରୀ ଉପରେ କୃଷି ସେସ୍ ବୋଝ ଲଦି ଦେଇଛନ୍ତି। ସେଥିମଧ୍ୟରେ ପେଟ୍ରୋଲ ଓ ଡିଜେଲ ରହିଛି। ପେଟ୍ରୋଲ ଉପରେ ଲିଟର ପିଛା ୨ ଟଙ୍କା ୫୦ ପଇସା ଏବଂ ଡିଜେଲ ଉପରେ ଲିଟର ପିଛା ୪ ଟଙ୍କା ସେସ୍ ବସାଯାଇଛି। ତେବେ ଏହାର ପ୍ରଭାବ ତତକ୍ଷଣାତ ଗ୍ରାହକମାନଙ୍କ ଉପରେ ପଡ଼ିବ ନାହିଁ। ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଗୋଟିଏ ବୀମା କଂପାନିର ଘରୋଇକରଣ କରିବାକୁ ପ୍ରସ୍ତାବ ରହିଥିବା ବେଳେ ବୀମା କ୍ଷେତ୍ରରେ ବିେଦଶୀ ପୁଞ୍ଜି ବିନିଯୋଗ ସୀମା ୪୯ ଭାଗରୁ ୭୪ ଭାଗକୁ ବୃଦ୍ଧି କରାଯାଇଛି। ବ୍ୟାଙ୍କ ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ସରକାରୀ ବ୍ୟାଙ୍କଗୁଡ଼ିକୁ ଆଗାମୀ ଆର୍ଥିକ ବର୍ଷ ଲାଗି ୨୦ ହଜାର କୋଟି ଟଙ୍କା ଦିଆଯାଇଛି। କୃଷି ଋଣ ପରିମାଣ ବୃଦ୍ଧି କରିବା ଲାଗି ୨୦୨୧-୨୨ ବର୍ଷ ପାଇଁ ୧୬ ଲକ୍ଷ ୫୦ ହଜାର କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି। ଏହାସହିତ ଅର୍ଥ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ୍ଏସ୍ପି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ।


