ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ହତ୍ୟାକାଣ୍ଡର ଷଡ଼ଯନ୍ତ୍ରରେ ସମ୍ପୃକ୍ତ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳରୁ ବହିଷ୍କାର

ଭୁବନେଶ୍ୱର, (ୱାଇଏନ୍ଏସ୍): ଗତ ଫେବୃୟାରୀ ୧, ୨୦୨୦ରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ସୂଚନାଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ ହେହ ମାର୍ଶାଘାଇ ଥାନା ଅଧିନସ୍ଥ ବରୁହାଁ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦର୍ଶାଇ ରଞ୍ଜନଙ୍କ ପରିବାର ତରଫରୁ ମାର୍ଶାଘାଇ ଥାନାରେ ଏତଲା ଦିଆଯିବା ସହ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଥିଲା । ପୋଲିସ୍ ଉକ୍ତ ଅଭିଯୋଗକୁ ପଞ୍ଜିକୃତ କରି (କେସ୍ ସଂଖ୍ୟା ୨୪/୨୦୨୦) ତଦନ୍ତ ଆରମ୍ଭ କରିଥିଲେ ।ଆରମ୍ଭରୁ ରଞ୍ଜନଙ୍କ ପରିବାର ଲୋକେ ପୋଲିସ୍ ତଦନ୍ତକୁ ସନ୍ଦେହ ଚକ୍ଷୁରେ ଦେଖିବା ସହ ଏଥିରୁ ନ୍ୟାୟ ନ ମିଳିବା ନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । କାରଣ ଆଗରୁ ରଞ୍ଜନ ଉପରେ ବାରମ୍ବାର ଆକ୍ରମଣ, ହତ୍ୟା ଧମକ ସମ୍ପର୍କିତ ହୋଇଥିବା ଅଭିଯୋଗ ଉପରେ ପାଟକୁରା ବା ମାର୍ଶାଘାଇ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେଣୁ ପୋଲିସ୍ ଓ ଅପରାଧୀମାନଙ୍କ ସମ୍ପର୍କ ଯୋଗୁ ତାଙ୍କ ଅଭିଯୋଗକୁ ପୋଲିସ୍ ତଦନ୍ତ ନକରି ଚାପି ଦେଉଥିବାର ଅଭିଯୋଗ ରଞ୍ଜନ ବାରମ୍ବାର କରିଥିଲେ ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଅଭିଯୋଗ ସାମାଜିକ ଗଣମାଧ୍ୟମରେ କରି ଆସୁଥିଲେ । ରଞ୍ଜନ ହତ୍ୟାକାଣ୍ଡର ପୋଲିସ୍ ତଦନ୍ତର ଅଗ୍ରଗତି ସମ୍ପର୍କରେ କୌଣସି ତଥ୍ୟ ପରିବାରଙ୍କୁ ଜଣାଉନଥିଲା । ଠିକ୍ ଏହି ସମୟରେ ୧୦.୩.୨୦୨୦ରେ ହୋଲି ଖେଳ ଦିନ ସ୍ଥାନୀୟ ଅପରାଧୀ ତ୍ରିଲୋଚନ ବାରିକ ସର୍ବସମ୍ମୁଖରେ ‘ସେମାନେ ରଞ୍ଜନ ଦାସଙ୍କୁ ହତ୍ୟା କରିଛନ୍ତି ଏବଂ ଆହୁରି ଦୁଇଜଣଙ୍କୁ ହତ୍ୟା କରିବେ ବୋଲି କହିଥିଲେ ।’ ଏ ସମ୍ପର୍କରେ ମୃତ ରଞ୍ଜନଙ୍କ ବାପା ଳକ୍ଷ୍ମୀଧର ଦାସ ପାଟକୁରା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି ତଦନ୍ତ କରିନଥିଲେ । ସେହିପରି ଗତ ୧୫.୩.୨୦୨୦ରେ ବିଜୁ ଜନତା ଦଳ ସହିତ ସମ୍ପୃକ୍ତ ଠିକାଦାର ବିବେକ ଜେନା ସମେତ ୫ଜଣ ଅପରାଧୀ ରଞ୍ଜନର ଘରକୁ ଆସି ତାର ବାପାଙ୍କୁ ଜାତିଗତ ଆକ୍ଷେପ କରି ନୀରବ ରହିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ରଞ୍ଜନଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ରାଜନୈତିକ ଚାପରେ ପୋଲିସ୍ ତଦନ୍ତ କରିନଥିଲା ।
ଗତ ୧୩.୫.୨୦୨୦ରିଖରେ ରଞ୍ଜନଙ୍କ ବାପା ବ୍ୟକ୍ତିଗତ ଭାବେ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକଙ୍କୁ ଭେଟି ରଞ୍ଜନ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ସେହିପରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ୩.୮.୨୦୨୦ରିଖରେ କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି.ଙ୍କୁ ତଦନ୍ତ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ତରଫରୁ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଥିଲା । ଗତ ଫେବୃୟାରୀ ୯,୨୦୨୦ରେ ଦେଶର ପ୍ରମୁଖ ୧୪ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ସୂଚନାଧିକାର କର୍ମୀମାନଙ୍କୁ ଲଗାତର ହତ୍ୟା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଏବଂ ପରିବାରଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ । ରଞ୍ଜନ ହତ୍ୟାକାଣ୍ଡ ସମ୍ପର୍କରେ ହୋଇଥିବା ଅଭିଯୋଗ ନଂ ୨୭୧/୨୦କୁ ଲୋକାୟୁକ୍ତ ଗ୍ରହଣ କରି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଥିଲେ । ଗୃହ ବିଭାଗ ତରଫରୁ ଗତ ୮.୧୧.୨୦୨୦ରିଖରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ରିପୋର୍ଟକୁ ଆଧାର କରି ଜବାବ ଦାଖଲ କରାଯାଇଥିଲା । ଏହି ରିପୋର୍ଟରେ ରଞ୍ଜନ ହତ୍ୟାକାଣ୍ଡକୁ ଏକ ଦୁର୍ଘଟଣା ଦର୍ଶାଇ ତଦନ୍ତକୁ ବନ୍ଦ କରି ଦେଇଥିବା ସମ୍ପର୍କରେ ଉଲ୍ଳେଖ ଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯାହାକି ଆରମ୍ଭରୁ ଅଭିଯୋଗ ହୋଇ ଆସୁଥିଲା । ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରଭାବରେ କେନ୍ଦ୍ରାପଡ଼ା ପୋଲିସ୍ ମିଥ୍ୟା ଷ୍ଟୋରୀ ରଚନା କରି ତଦନ୍ତ ବନ୍ଦ କରିଛି । ସେଥିପାଇଁ ବାରମ୍ବାର ପରିବାର ତରଫରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବୀ ହୋଇ ଆସୁଥିଲା ଏବଂ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରାଯାଇଥିଲା । କିନ୍ତୁ ଜିଲ୍ଲା ପୋଲିସ୍ ଓ ରାଜ୍ୟ ପୋଲିସ୍ ଉଭୟ ମିଳାମିଶା କରି ରଞ୍ଜନ ଦାସଙ୍କ ହତ୍ୟାକାଣ୍ଡକୁ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଚାପିଦେଲେ ।ତେଣୁ ପରିବାରକୁ ନ୍ୟାୟ ଦେବା ଏବଂ ରଞ୍ଜନ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ ଓ ଅପରାଧୀଙ୍କୁ ଗିରଫ ପାଇଁ ଓଡ଼ିଶା ପୋଲିସ୍ ବିଫଳ ହୋଇଥିବାରୁ ଏବଂ ତଦନ୍ତକୁ ଦଫାରଫା କରିଥିବାରୁ ଆମ୍ଭେ ଏହି ହତାକାଣ୍ଡର ସିବିଆଇ ତଦନ୍ତ ଦାବୀ କରୁଛୁ । ଏହି ପରିପ୍ରେକ୍ଷୀରେ ଆଜି ସୂଚନା ଅଧିକାର ଅଭିଯାନର ଶତାଧିକ କର୍ମୀ ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି ଏବଂ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ସହିତ ଶ୍ରୀକାନ୍ତ ପାକଳ, ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ସଚ୍ଚିକାନ୍ତ ପ୍ରଧାନ, ଜିତେନ୍ଦ୍ର ସାହୁ, ପ୍ରତାପ ମହାନ୍ତି, ପ୍ରକାଶ ଦାସ, କାଳନ୍ଦୀ ମଲ୍ଲିକ, ଦିଲ୍ଲୀପ ସମାନ୍ତରାୟ, ଭୀମସେନ ବିଶ୍ୱାଳ, ମାଧବ ଭୋଇ, ସୀମାଞ୍ଚଳ ଜେନା, ସଞ୍ଜୟ ସାହୁ, ନବକିଶୋର ଦାସ, ମନୋରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ