ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ କରି ଦୁଇ ଗିରଫ
ନିମାପଡ଼ା,( ସନ୍ତୋଷ ଦାଶ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ଗ୍ରାମର ସୂଚନା ଅଧିକାର କର୍ମୀ କାର୍ତ୍ତିକ କୁମାର ପରିଡା ତାଙ୍କ ଗାଁ ଛକକୁ ଘରପାଇଁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ ।ପୂର୍ବ ପ୍ରସ୍ତୁତି ଅନୁସାରେ ସେଠାରେ ସେହି ଗ୍ରାମର ରମେଶ ଭଟ୍ଟ ଏବଂ ଟୁଟୁନା ସ୍ୱାଇଁ କାର୍ତ୍ତିକଙ୍କୁ କଟୁରୀ ଓ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣକରି ଲହୁଲୁହାଣ କରିବା ସହ ସେଠାରୁ ଚମ୍ପଟ ମାରିଥିଲେ ।ଘଟଣା ସ୍ଥାନରେ କାର୍ତ୍ତିକଙ୍କର ମୁଣ୍ଡଫାଟି ରକ୍ତଶ୍ରାବ ହେବାସହ ସେଠାରେ ସେ ଚେତାଶୂନ୍ୟ ହୋଇଯାଇଥିଲେ ।କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାରକରି ଅସ୍ତରଙ୍ଗ ମେଡିକାଲ ପଠାଇଥିଲେ। ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କାର୍ତ୍ତିକଙ୍କୁ ପଠା ଯାଇଥିଲା।ଏନେଇ ଅସ୍ତରଙ୍ଗ ଥାନାରେ ଏକ ଅଭିଯୋଗ କରାଯାଇଥିଲା ।ଘଟଣା ଘଟାଇବା ପରେ ରମେଶ ଭଟ୍ଟ ପୁରୀରେ ନିଜ ଶଶୁର ଘରେ ତାର ସହଯୋଗୀ ଟୁଟୁନା ସ୍ୱାଇଁ ସହ ଆତ୍ମଗୋପନ କରିଥିବା ଜାଣିବାକୁ ପାଇ ଅସ୍ତରଙ୍ଗ ଥାନା ପୋଲିସ ପୁରୀ ପୋଲିସ ସହାୟତାରେ ଅଭିଯୁକ୍ତ ଯୁବକ ମାନଙ୍କୁ ଗିରଫ କରି ନିମାପଡ଼ା କୋର୍ଟ କୁ ଚାଲାଣ କରିଛି। ଉକ୍ତ ଦୁଇଜଣ ଅଭିଯୁକ୍ତ ଯୁବକ ସ୍ଥାନୀୟ ସରପଞ୍ଚଙ୍କ ଖାସ ଲୋକ ହୋଇଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଦଳର ଆଗଧାଡିର କର୍ମୀ ଅଟନ୍ତି।ପଞ୍ଚାୟତରେ ବିଭିନ୍ନ ଦୁର୍ନୀତିକୁ ନେଇ କାର୍ତ୍ତିକ ପରିଡା ସୂଚନା ଅଧିକାର ଆଇନ ଦ୍ୱାରା ତଥ୍ୟ ଲୋକ ଲୋଚନଙ୍କୁ ଆଣିବା ସହ ଦୁର୍ନୀତିଖୋର ନେତା ଓ ଅଫିସର ମାନଙ୍କ ଅସଲମୁଖା ସାମ୍ନାକୁ ଆଣିଥିଲେ। ଏହି କାରଣ ରୁ ଦୁର୍ନୀତି ଖୋର ନେତାଙ୍କ ପ୍ରରୋଚନା ରେ ଏହି ଦୁଇଜଣ ଯୁବକ ଏହିଭଳି କାଣ୍ଡ ଭିଆଇଥିବା ପୋଲିସ କହିଛି।ଏହି ଘଟଣାକୁ ସୂଚନା ଅଧିକାର ଅଭିଯାନ ର ରାଜ୍ୟ ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ ଏହାକୁ ନିନ୍ଦା କରିବା ସହ ଆକ୍ରମଣକାରୀ ଯୁବକ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।