ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀଙ୍କୁ ଅବସର ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ଅବସର ନେଉଥିବା ବରିଷ୍ଠ କର୍ମଚାରୀ ପୁରୁଷୋତ୍ତମ ସେଠୀଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏନେଇ ସ୍ଥାନୀୟ ସଦଭାବନା ସଭାଗୃହରେ ଏକ ସମ୍ବର୍ଦ୍ଧନା ପର୍ବ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦେଇ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ୧୬ବର୍ଷ ଧରି ବାଲେଶ୍ୱର ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟ କରି ନିଜର କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା ତଥା ସହଯୋଗୀ ମନୋଭାବ ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ବୋଲି ମଞ୍ଚାସୀନ ଅଧିକାରୀମାନେ ମତ ପ୍ରକାଶ କରିଥିଲେ । ସମସ୍ତେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ସେଠୀ ଭାବବିହ୍ୱଳ ହୋଇପଡ଼ିବା ସହିତ ଦୀର୍ଘ ବର୍ଷର ଚାକିରକାଳ ମଧ୍ୟରେ ସେ ବିଭାଗୀୟ ଅଧିକାରୀ, କର୍ମଚାରୀଙ୍କ ସମେତ ସାମ୍ବାଦିକଙ୍କ ସହଯୋଗକୁ କେବେ ଭୁଲି ପାରିବେ ନାହିଁ ବୋଲି କହିଥିଲେ । ବାଲେଶ୍ୱର ସହର ସହ ତାଙ୍କର ନିବିଡ଼ ସମ୍ପର୍କ ସବୁବେଳେ ରହିବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରଞ୍ଜନ କୁମାର ବାଗ, ରତିକାନ୍ତ ପାତ୍ର, ସର୍ବେଶ୍ୱର ଦାସ, ଉବାଚକ ମହାନ୍ତି, ଉଜ୍ଜ୍ୱଳ ଚନ୍ଦ୍ର କର, ଗଙ୍ଗାଧର ରାଉତ, ରବିରଞ୍ଜନ ଦାସ, ଶିବଶଙ୍କର ଭୋଇ, ଶୁଭେନ୍ଦୁ ଦାସ, ବିବେକାନନ୍ଦ ଦାସ, ଆଶୁତୋଷ ମଲିକ, ସରୋଜ ପଣ୍ଡା, ବ୍ରହ୍ମାନନ୍ଦ ସ୍ୱାଇଁ, ମନୋଜ ରାଉଳ, ଅଜିତ କୁମାର ମହାନ୍ତିଙ୍କ ସମେତ ବହୁ ସାମ୍ବାଦିକ ଓ ସୂଚନା ଲୋକ ସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଏଥିରେ ଯୋଗଦେଇ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଚ୍ଛ ବିଭିନ୍ନ ପ୍ରକାରର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ପ୍ରାକ ସୂଚନା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।