ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ୱ ବିକାଶ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରସ୍ତୁତି ଆରମ୍ଭ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ସୂର୍ଯ୍ୟମନ୍ଦିର ଚାରିପାଖର ପରିବେଶର ଉନ୍ନତି ପାଇଁ ବହୁ ଦିନରୁ ଆରମ୍ଭ ହୋଇଥିବା ଖସଡ଼ା ଖୁବଶୀଘ୍ର ବାସ୍ତବ ରୂପ ଧାରଣ କରିବାକୁ ଯାଉଛି । ଏନେଇ ଆଜି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀନିବାସ ପରିସରରେ ଏକ ଉଚ୍ଚ ସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମସ୍ତ ଯୋଜନାକୁ କିପରି ଯଥାଶୀଘ୍ର କାର୍ଯ୍ୟରେ ପରିଣତ କରାଯିବ ସେ ନେଇ ବୈଠକରେ ଗୁରୁତର ସହିତ ଆଲୋଚନା କରାଯାଇ ସମସ୍ତେ ବିଭାଗକୁ ନିଷ୍ଠାର ସହିତ ଉଦ୍ୟମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଅକ୍ଟୋବର ୧୦ ତାରିଖ ସୁଦ୍ଧା ସମସ୍ତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସବୁ ଦିଗ ପ୍ରତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ସୋପାନରେ ଖର୍ଚ୍ଚ ପାଇଁ ୫୦କୋଟି ଅନୁମାଦନ ହୋଇଥିବା ବେଳେ କୋଣାର୍କ ରିଂ ରୋଡ ନିକଟରେ ଥିବା ଅନେକ ଜବରଦଖଲ ଏହାର ବାଧକ ସାଜିଛି । ଜବରଦଖଲ ସମ୍ପର୍କରେ ଜିଲ୍ଲାପାଳ ଅବଗତ ହେବାପରେ ଏହି ପ୍ରସ୍ତାବିତ କାର୍ଯ୍ୟ ତ୍ଵରାନିତ୍ଵ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ,ପୁରୀଜିଲ୍ଲା ଭୂ-ବନ୍ଦୋବସ୍ତ ଦାଇତ୍ୱରେ ଥିବା ଉପଜିଲ୍ଲାପାଳ ନିହାରିକା ନାୟକ,ଗୋପ ତହସିଲଦାର ପ୍ରେମାଂଶୁ ଚାନ୍ଦ, ଜାତୀୟ ରାଜପଥ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ବିକେ ଶତପଥି,କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ,କୋଣାର୍କ ଏନ.ଏସି ନିର୍ବାହୀ ଅଧିକାରୀ ଏମ.ଶ୍ରୀନିବାସ କୋଣାର୍କ ରାଜସ୍ୱ ନିରୀକ୍ଷକ ସତ୍ୟବାଦୀ ଚିନ୍ନରାଙ୍କ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ତାଗିଦ ପରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଅପରାହ୍ନ ୫ ଟାରୁ କାକଟପୁର-କୋଣାର୍କ ରାସ୍ତାରୁ ଲାବଣ୍ୟଛକ ପର୍ଯ୍ୟନ୍ତ ଥିବା ରିଙ୍ଗରୋଡ଼ର ମପାଚୁପା କାମ ଆରମ୍ଭ କରାଯାଇଛି ।