ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୧୦ମ ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣୀ ଉତ୍ସବ ପାଳନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଚଣ୍ଡିବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ୧୦ମ ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣୀ ଉତ୍ସବ ପାଳନ ହୋଇଯାଇଛି ।ବିଦ୍ୟାଳୟର ନିର୍ଦ୍ଦେଶକ ତଥା ସଭାପତି ଇଞ୍ଜିନିୟର ଉଦୟନାଥ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ, ମୁଖ୍ୟବକ୍ତା ଭାବେ ଆନନ୍ଦପୁର ଏସ୍.ଡି.ପି.ଓ. ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ହାଟଡ଼ିହି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ବରିଷ୍ଠ ବିଜେପି ନେତା ଆଲୋକ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଅନନ୍ତ ନାୟକ ମହୋଦୟ ବର୍ତ୍ତମାନର ସରକାରଙ୍କଦ୍ଵାରା ପ୍ରଚଳିତ ଏନ୍.ଇ.ପି. (ନ୍ୟୁ ଏଜୁକେସନ୍ ପଲିସି) ଉପରେ ଆଲୋକପାତ କରିଥିଲେ ଓ ଶିକ୍ଷା ମାନବ ସମାଜର ଏକାନ୍ତ ଅପରିହାର୍ଯ୍ୟ ଅଭବ୍ୟକ୍ତ କରିଥିଲେ । ତାଙ୍କ ବକ୍ତବ୍ୟର ମୁଖ୍ୟ ଚିନ୍ତାଧାରା-ଜଣେ ମୁର୍ଖ ହେଲେ ଜଣକ ଜୀବନ ନଷ୍ଟ ହୁଏ କିନ୍ତୁ ଗୋଟିଏ ଅଞ୍ଚଳ ପ୍ରକୃତ ଶିକ୍ଷାରୁ ବଞ୍ଚିତ ହେଲେ ସେ ଅଞ୍ଚଳର ଏକ ପୀଢି ନଷ୍ଟ ହୋଇଯାଏ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଭାବେ ଏସ.ଡ଼ି.ପି.ଓ ଶ୍ରୀ ବେହେରା ବର୍ତ୍ତମାନ ସମାଜର ବିଭିନ୍ନ ପ୍ରକାରର କାରକ ଛାତ୍ରଛାତ୍ରୀମାନଙ୍କୁ କିପରି ଲକ୍ଷ୍ୟଚ୍ୟୁତ କରାଉଛି ଏବଂ ସେଥିରୁ ନିବୃତ୍ତ ରହିବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଚିନ୍ତାଧାରା କଣ ରହିବା ଦରକାର ତାହା ପୁଙ୍ଖାନୁପୁଙ୍ଖ ଭାବରେ ଛୋଟ ଛୋଟ ଉଦାହରଣ ଦେଇ ବୁଝାଇଥିଲେ । ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଛୋଟ ଛୋଟ ଗଳ୍ପ ମାଧ୍ୟମରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ଆଗରେ ବହୁ ଉପାଦେୟାତ୍ମକ ଉଦାହରଣ ଉପସ୍ଥାପନା କରିଥିଲେ । ସମ୍ମାନିତ ଅତିଥି ଆଲୋକ କୁମାର ସେଠୀ ଶିକ୍ଷାର ଗୁରୁତ୍ବ ଉପରେ ବକ୍ତବ୍ୟ ରଖି ଏ ଅଞ୍ଚଳର ଲୋକମାନଙ୍କର ସହଯୋଗରେ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି ହୋଇପାରିବ ବୋଲି ଦର୍ଶାଇଥିଲେ ।ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ବିଦ୍ୟାଳୟର କର୍ମରତ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କରୁଥିବା କମିଟିର କାର୍ଯ୍ୟଶୈଳୀ ଏବଂ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାପ୍ରଣାଳୀ ନିଜ ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ । ଆମନ୍ତ୍ରିତ ଅତିଥିମାନଙ୍କୁ ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ସାହୁ ଶ୍ରୀଜଗନ୍ନାଥଙ୍କ ଫଟୋ ଓଉପଢୌକନ ପ୍ରଦାନକରି ସମ୍ମାନିତ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ବରିଷ୍ଠ ଶିକ୍ଷକ ସଞ୍ଜୟ ମଜୁମ୍ଦାର୍ ‘ବିଦ୍ୟାଳୟର ବାର୍ଷିକ ବିବରଣୀ’ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଦଳୟର ବାର୍ଷିକ ପତ୍ରିକା ୨୦୨୪-୨୫ ‘ଉଦୟ’ ଉନ୍ମୋଚନ କରାଯାଇଥିଲା ।