ସେତୁ ନିର୍ମାଣ ନହେବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ବରାହ ନୂଆପଡାବାସୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ସରକାର ସାଧାରଣ ଲୋକ ମାନଙ୍କ ଗମନାଗମନର ସୁବିଧା ପାଇଁ ଗତ ୨୦୦୧ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆରମ୍ଭ କରିଥିଲେ । ମାତ୍ର କେତେକ ସ୍ଥାନରେ ପ୍ରଶାସନିକ ତୃଟି ଯୋଗୁ ଏହି ଯୋଜନାର ସୁଫଳ ସାଧାରଣଲୋକେ ପାଇବାରୁ ବଞ୍ôଚତ ହୋଇଥିବାର ଦେଖାଯାଉଛି । ଏହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତରେ ।  ଏହି ପଞ୍ଚାୟତ ଅଧିନ ବାହାଣିଆ ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଟି୨ ନାମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ବରାହ ନୂଆପଡ଼ା ଗ୍ରାମକୁ ନିର୍ମାଣ ହୋଇଥିଲା । ୨୦୧୬ ମସିହାରେ ତତ୍କାଳୀନ ସାଂସଦ ଓ ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଏହି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ୩ କିମି ରାସ୍ତା ପାଇଁ ୧ କୋଟି ୯୩ ଲକ୍ଷ ୯୩ ହଜାର ୮୮୪ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବିନିଯୋଗ କରାଯାଇ ଟେଣ୍ଡର ଜରିଆରେ ଜନୈକ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପ୍ରାୟ ୩୦୦ ମିଟର ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ନୂଆପଡ଼ା ଗ୍ରାମ ଭିତରକୁ ଅବଶିଷ୍ଟ ରାସ୍ତା ନିର୍ମାଣ ହୋଇଥିଲା । ମାତ୍ର ଏହି ରାସ୍ତା ସଂପୂର୍ଣ୍ଣ ହେବାରେ ନିକଟରେ ଯାଇଥିବା ଖୋଳା ନଦୀ ବାଧକ ସାଜିଥିଲା । ବିଭାଗର ଦୂରଦୃଷ୍ଟି ଅଭାବରୁ କେବଳ ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଣ୍ଟ କରାଯାଇ ଟେଣ୍ଡର ଡ଼କାଯାଇଥିବା ବେଳେ ନଦୀ ଉପରେ ପୋଲ ନିର୍ମାଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଫଳ ସ୍ୱରୂପ ଠିକାଦାର ପ୍ରାରମ୍ଭରୁ ୧୦୦ ମିଟର ରାସ୍ତାକାମ କରି ବାକି ୨୦୦ ମିଟର ନଦୀ ପଠା ଯାଏ ଛାଡ଼ି ଦେଇଥିବା ବେଳେ ଗାଁ ପାଶ୍ୱର୍ରୁ ସେହିଭଳି ରାସ୍ତା ନିର୍ମାଣ ହୋଇ ନଦୀ କୂଳ ଯାଏଁ ଅନେକ ସ୍ଥାନ ଛଡ଼ାଯାଇଛି । ଇତି ମଧ୍ୟରେ ରାସ୍ତା କାମ ସରିବାର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବରାହ ନୂଆପଡ଼ା ଗ୍ରାମବାସୀଙ୍କ ପାଦ ରାସ୍ତା ଉପରେ ପଡ଼ିନଥିବାର ଜଣାଯାଇଛି । ପୋଲ ନିର୍ମାଣ ହୋଇପାରିନଥିବାରୁ ୩ଟି ୱାର୍ଡ଼ର ୧୫୦୦ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପୂର୍ବଭଳି ପାଳ ରାସ୍ତା ଅତିକ୍ରମ କରି ଗାଁ ଲୋକେ ଏବେବି ମୁଖ୍ୟ ରାସ୍ତାକୁ ଆସୁଛନ୍ତି । ପାଳ ରାସ୍ତାରେ ବର୍ଷାଦିନେ ମଟର ସାଇକେଲ ଓ ସାଇକେଲ ଆସିବା କଷ୍ଟକର ହୋଇପଡ଼ୁଥିବା ବେଳେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗାଁରେ କୌଣସି ଦୁର୍ଘଟଣା ଘଟିଲେ ଆମ୍ବୁଲାନ୍ସ କିମ୍ବା ଦମକଳ ଆସିବା କଷ୍ଟକର ହୋଇପଡ଼ୁଛି । ସମସ୍ୟା ସଂପର୍କରେ ନେତାଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ୨ କୋଟି ଟଙ୍କା ଅଟକଳ ମୂଲ୍ୟରେ ଏହି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଖୋଳା ନଦୀ ଉପରେ ସେତୁ ନିର୍ମାଣ ହୋଇନଥିବାରୁ ତାହା ବରାହନୂଆପଡ଼ା ବାସୀଙ୍କ ପାଇଁ ଅନୁପଯୋଗୀ ହୋଇଯାଇଛି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଜନଆନ୍ଦୋଳନ ହେବ ବୋଲି ସମିତି ସଭ୍ୟ ଖଗେଶ୍ୱର ଜେନା, ସାମାଜିକ କର୍ମୀ ପ୍ରଫୁଲ୍ଲ ନାୟକ, ଅଖିଳ ମଲ୍ଲିକ, ବିଦ୍ୟାଧର ନାୟକ, ଜଗବନ୍ଧୁ ରାଉତ, ଶିଶିର ନାୟକ, ରମାକାନ୍ତ ଭୋଇ, ପ୍ରଦୀପ ନାୟକ, ସମିର ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି ।  ଏସଂପର୍କରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ଉପ ନିର୍ବାହୀ ଯନ୍ତ୍ରୀ ସୁଧାକର ନାୟକଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପ୍ରସ୍ତାବ ଯାଇଛି, ଅର୍ଥ ବରାଦ ହେଲେ ଖୁବ୍ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ