ସେପ୍ଟେମ୍ବର ପହିଲାରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ
ବାଲେଶ୍ୱର : ସେପ୍ଟେମ୍ବର ପହିଲାରୁ ଅକ୍ଟୋବର ୧୫ ତାରିଖ ଯାଏଁ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୦ ଆରମ୍ଭ ହେଉଛି । ଏଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜନସାଧାରଣଙ୍କୁ ନିଜ ଭୋଟର ପରିଚୟ ପତ୍ରରେ ରହିଥିବା ତୃଟିକୁ ସୁଧାରିନେବା ପାଇଁ ଜଣାଇ ଦିଆଯାଇଛି । ଏହି ପ୍ରକ୍ରିୟାରେ ଜନସାଧାରଣ ନିଜର ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ,ଆଧାର କାର୍ଡ, ରେସନ କାର୍ଡ ସରକାରୀ/ଅର୍ଦ୍ଧସରକାରୀ ଚାକିରୀରେ ଥିବା ପରିଚୟ ପତ୍ର, ବ୍ୟାଙ୍କ ପାସବୁକ ଓ କୃଷକ ପରିଚୟ ପତ୍ର ଇତ୍ୟାଦି ଦେଖାଇ ଭୋଟର କାର୍ଡରେ ରହିଥିବା ତୃଟିକୁ ସଂଶୋଧନ କରିପାରିବେ ବୋଲି କମିଶନ ତରଫରୁ ସୂଚୀତ କରାଯାଇଛି । ଏଥି ପାଇଁ ନିଜ ଅଂଚଳରେ ଥିବା ଭୋଟର ହେଲପ ଲାଇନ, ଆପ୍, ଏନଭିଏସପି ୱେବସାଇଟ, ଜନସେବା କେନ୍ଦ୍ର କିମ୍ବା ସ୍ଥାନୀୟ ବୁଥସ୍ତରୀୟ ଅଧିକାରୀ ମାଧ୍ୟମରେ କୌଣସି ଭୋଟରଙ୍କ ଭୋଟର କାର୍ଡରେ ଥିବା ଫଟୋ ଯଦି ଝାପସା ହୋଇଥାଏ କିମ୍ବା ନାମ, ଠିକଣା ଆଦି ଭୁଲ୍ ଥାଏ ତା ହେଲେ ଉପରେ ଦର୍ଶିତ ଯେ କୌଣସି ଦସ୍ତାବିଜ୍ ଦେଇ ପରିଚୟ ପତ୍ର ସଂଶୋଧନ କରାଯାଇପାରିବ । ଯଦି ପରିବାରର କୌଣସି ବ୍ୟକ୍ତି ମୃତ ବା ସ୍ଥାନାନ୍ତରିତ ହୋଇଥାନ୍ତି ତେବେ ପରିବାରର ଯେ କୌଣସି ବ୍ୟକ୍ତି ନିଜ ନାମରେ ଆବେଦନ କରି ମୃତ କିମ୍ବା ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ କାଟି ପାରିବେ । ଯେଉଁମାନଙ୍କର ବୟସ ୦୧-୦୧-୨୦୧୯ ସୁଦ୍ଧା ୧୮ ବର୍ଷ ବୟସ ହୋଇଛି ଅଥଚ ସେମାନଙ୍କ ନାମ ଭୋଟର ତାଲିକାରେ ଦରଜ ହୋଇ ନାହିଁ, ସେମାନେ ୬ ନମ୍ବର ଫର୍ମରେ ନିଜ ନାମ ଦରଜ କରିପାରିବେ । ଦିବ୍ୟାଙ୍ଗ ବ୍ୟକ୍ତିମାନେ ଭୋଟର ସହାୟତା ନମ୍ବର ୧୯୫୦ ମାଧ୍ୟମରେ ନିଜ ଭୋଟର ପରିଚୟ ପତ୍ରର ବିବରଣୀ ପାଇପାରିବେ । ଯଦି ଆବେଦନ ପତ୍ରର ୬,୭,୮, ୮(କ) ମିଳିବାରେ ଅସୁବିଧା ହେଉଥାଏ ତେବେ ସିଇଓ.ଜିଓଭି.ଇନ୍ ୱେବସାଇଟରୁ ଆବେଦନ ପତ୍ର ପାଇପାରିବେ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାରା ବ୍ୟାପକ ଭାବେ ସଂଚାଳନ କରିବା ଉଦ୍ଦେଶ୍ୟରେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡାଯାଇଛି । ଏଥିପାଇଁ ପୃଥକ ଭାବେ ବୈଠକ ଆହୁତ କରାଯାଇ ଦଳଗୁଡିକୁ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଇଛି । ଅନୁରୂପ ଭାବେ ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳମାନେ ବୈଠକ ଆୟୋଜନ କରି କାର୍ଯ୍ୟକ୍ରମକୁ ସମସ୍ତ ଜନସାଧାରଣ ପାଖରେ ପହଂଚାଇବା ନିମନ୍ତେ ଉଦ୍ୟମ କରିଛନ୍ତି । ଆଜି ଏ ସମ୍ବନ୍ଧରେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର ପତ୍ରକାରମାନଙ୍କ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରି ଏହାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।