ସ୍କାଉଟସ୍ ଏବଂ ଗାଇଡସ୍‌ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ୩୬ତମ ରାଜ୍ୟ ପୁରସ୍କାର ଉତ୍ସବ ତା୧୮ା୦୬ା୨୦୨୨ରିଖ ଅପରାହ୍ନ ୪.୩୦ ଘଟିକା ସମୟରେ ଜୟଦେବ ଭବନ ପରିସରରେ ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ୱ ସ୍କାଉଟ୍‌, ଗାଇଡ୍‌, ରୋଭର, ରେଞ୍ଜର, କବ୍‌, ବୁଲ୍‌ବୁଲ୍‌, ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ସମସ୍ତ ପଦାଧିକାରୀ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ତଥା ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହୋଦୟ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସଭାପତି ତଥା ମାନ୍ୟବର ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ସମବାୟ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ବିଧାୟକ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପସଭାପତି ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଉପସଭାପତି ତଥା ସମାଜର ମୁଦ୍ରାକାର ଓ ପ୍ରକାଶକ ଶ୍ରୀଯୁକ୍ତ ନିରଞ୍ଜନ ରଥ, ଉପସଭାପତି ତଥା ଅଧ୍ୟକ୍ଷା ମହିଳା କମିଶନ ଡଃ. ମିନତୀ ବେହେରା, ଉପସଭାପତି ତଥା ଅବସରପ୍ରାପ୍ତ ନ୍ୟାୟଧୀଶ, (କ୍ୟାଟ) ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ରାଜ୍ୟପାଳଙ୍କର ପ୍ରମୁଖ ସଚିବ ଶ୍ରୀ ଶାସ୍ୱତ ମିଶ୍ର, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ସମେତ ମୁଖ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ଓ ରାଜ୍ୟସ୍ତରୀୟ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ତାଙ୍କ ସ୍ୱାଗତ ଭାଷଣରେ ରାଜ୍ୟ ଶାଖା ଆନୁକୂଲ୍ୟରେ ବିଗତ ବର୍ଷରେ ହାତକୁ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ତଥା ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ବିଭିନ୍ନ ସେବା ତଥା ଗୋଷ୍ଠୀ ଉନ୍ନୟନ ମୂଳକ କାର୍ଯ୍ୟ ଦ୍ୱାରା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜର ଉତ୍କର୍ଷତା ବଜାୟ ରଖିଥିବା ବିଷୟରେ ରାଜ୍ୟପାଳ ମହୋଦୟଙ୍କୁ ଅବଗତ କରାଇଥିଲେ । ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଭବିଷ୍ୟତରେ ଓଡିଶା ସ୍କାଉଟ ଏକ ନମ୍ବର ହେବ ବୋଲି ଦୃଢ଼ୋକ୍ତି କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟପାଳ, ଭାରତ ସ୍କାଉଟସ୍ ଓ ଗାଇଡସ୍ ଭଳି ଏକ ବୃହତ ସ୍ୱେଚ୍ଛାସେବୀ ସଂଗଠନ ଅତୀତରେ ବହୁ ସେବାମୂଳକ କାର୍ଯ୍ୟନିର୍ବାହ କରି ପୃଥିବୀରେ ସର୍ବବୃହତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ରୂପେ ନିଜର ସ୍ଥିତି ବଜାୟ ରଖି ପାରିଛି, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକୀୟ ସେବା ଯୋଗାଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି ଆଉ ଭବିଷ୍ୟତରେ ନିଶ୍ଚିତ ଭାବେ ଏହାକୁ ଅତୁଟ ରଖିବ ବୋଲି ଆଶାବ୍ୟକ୍ତ କରିଥିଲେ । ସ୍କାଉଟ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ ହେତୁ ଡଃ. ପ୍ରଣବ ମହାପାତ୍ରଙ୍କୁ ମାନ୍ୟବର ରାଜ୍ୟପାଳ ସମ୍ମାନ ପତ୍ର ପ୍ରଦାନ କରିଥିଲେ । ଏତଦ୍‌ ବ୍ୟତୀତ ଜିଲ୍ଲା ସ୍କାଉଟ ଗାଇଡ୍ ସମାବେଶ ପାଇଁ ବରଗଡ, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ ଏବଂ ସମ୍ବଲପୁର ଜିଲ୍ଲାକୁ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଜାତୀୟସ୍ତରରେ ଲକ୍ଷ୍ମୀ ମଜୁମଦାର ପୁରସ୍କାର ପାଇବା ପାଇଁ ଏମ୍ ଏସ୍ ଏସ୍ ବିଦ୍ୟାପୀଠ, କଟକ, ସିଟି ଓମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଭୁବନେଶ୍ୱର, ବରଗାଁ ଆଇଟି ଆଇ, ସୁନ୍ଦରଗଡ, ବାଙ୍କି ଅଟୋନୋମସ୍ କଲେଜ, କଟକ, ଏନ୍‌.ଜେ.ଡବ୍ଲ୍ୟୁ ରୋଭର କ୍ରିୟୁ, ଜଗତସିଂହପୁର, ଶ୍ରୀକରଭଞ୍ଜ ଓପନ ୟୁନିଟ୍‌, ଗଞ୍ଜାମ ମନୋନୀତ ହୋଇ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ରାଜ୍ୟ ସଂଗଠନ କମିଶନର (ଗାଇଡ୍‌) ତଥା ଆଡିମିନିଷ୍ଟ୍ରେଟିଭ ଅଫିସର ଶ୍ରୀମତୀ ଅନାମିକା ଦାସଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବର ସମ୍ବର୍ଦ୍ଧନା ପର୍ବ ପରେ ଚଳିତ ବର୍ଷର ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର, କବ୍ ଓ ବୁଲ୍‌ବୁଲ୍‌ମାନଙ୍କୁ ମାନ୍ୟବର ରାଜ୍ୟପାଳ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସ୍କାଉଟ ଓ ଗାଇଡ୍‌ମାନଙ୍କ ଦ୍ୱାରା ଚିତତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର ପ୍ରୋକ୍ତ ଉତ୍ସବଟି ସଫଳତାର ସହ ସମାପନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ